ଫାଇନାଲରେ ବର୍ଷା ଭୟ: ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହେଲେ କାହାକୁ ମିଳିବ ସ୍ବର୍ଣ୍ଣ ପଦକ, ଜାଣନ୍ତୁ ନୂଆ ନିୟମ

Oct 02, 2026 - 14:23
ଫାଇନାଲରେ ବର୍ଷା ଭୟ: ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହେଲେ କାହାକୁ ମିଳିବ ସ୍ବର୍ଣ୍ଣ ପଦକ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ, ୨।୧0୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟରେ ଯେଉଁ ମହାମୁକାବିଲାକୁ ଫ୍ୟାନ୍ସ ଅପେକ୍ଷା କରିଥିଲେ, ଶେଷରେ ସେହି ମ୍ୟାଚ ପାଇଁ ମଞ୍ଚ ପ୍ରସ୍ତୁତ। ଶନିବାର ସ୍ବର୍ଣ୍ଣ ପଦକ ପାଇଁ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ସେମିଫାଇନାଲରେ ଶ୍ରୀଲଙ୍କାକୁ ୧୨୪ ରନର ପରାସ୍ତ କରି ଭାରତ ଫାଇନାଲ ଟିକେଟ ହାସଲ କରିଛି। ଏବେ ଭାରତୀୟ ଦଳର ନଜର ସ୍ବର୍ଣ୍ଣ ପଦକ ଉପରେ ରହିଛି।

ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୬୯ ରନ କରିଥିଲା। ଏହାର ଜବାବରେ ଭାରତୀୟ ବୋଲର୍ସଙ୍କ ଆଗରେ ଶ୍ରୀଲଙ୍କା ବ୍ୟାଟର୍ମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଯଶପ୍ରୀତ ବୁମରା, ଅକ୍ଷର ପଟେଲ ଓ ଅଭିଷେକ ଶର୍ମାଙ୍କ ଘାତକ ବୋଲିଂ ଆଗରେ ଶ୍ରୀଲଙ୍କା ମାତ୍ର ୪୫ ରନରେ ଅଲଆଉଟ ହୋଇଥିଲା। ଏହି ତିନି ଭାରତୀୟ ବୋଲର୍‌ ୨ଟି ଲେଖାଏଁ ଉଇକେଟ୍‌ ନେଇଥିଲେ।

ଅନ୍ୟପକ୍ଷରେ ବର୍ଷା ବାଧାପ୍ରାପ୍ତ ସେମିଫାଇନାଲରେ ବାଂଲାଦେଶ ଦେଇଥିବା ୧୧୨ ରନର ଲକ୍ଷ୍ୟକୁ ପାକିସ୍ତାନ ୬ ଉଇକେଟ୍‌ ହରାଇ ୯ଟି ବଲ ବାକି ଥାଇ ହାସଲ କରିଥିଲା। ଏହା ସହ ପାକିସ୍ତାନ ଫାଇନାଲରେ ସ୍ଥାନ ପକ୍କା କରିଛି।

ନିଶିନରେ ହେବାକୁ ଥିବା ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚରେ ପାଣିପାଗ ଉପରେ ମଧ୍ୟ ନଜର ରହିବ। ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ମ୍ୟାଚ ଦିନ ସକାଳେ ବର୍ଷାର ସମ୍ଭାବନା ପ୍ରାୟ ୬୨ ପ୍ରତିଶତ ରହିପାରେ। ଦିନ ବଢ଼ିବା ସହ ଏହା ୨୫ ପ୍ରତିଶତକୁ ହ୍ରାସ ପାଇପାରେ। ମ୍ୟାଚ ସମୟରେ ତାପମାତ୍ରା ପ୍ରାୟ ୨୦ ଡିଗ୍ରୀ ସେଲସିୟସ ରହିବା ସହ ଆକାଶରେ ପ୍ରାୟ ୩୭ ପ୍ରତିଶତ ମେଘ ରହିବାର ଅନୁମାନ କରାଯାଉଛି।

ଫାଇନାଲ ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହେଲେ ଏଥର ଏକ ନୂଆ ନିୟମ ଅନୁଯାୟୀ ଫଳାଫଳ ନିର୍ଣ୍ଣୟ ହେବ। ୨୦୨୩ ହାଙ୍ଗଝୋଉ ଏସିଆନ ଗେମ୍ସରେ ଆଫଗାନିସ୍ତାନ ବିପକ୍ଷ ଫାଇନାଲ ବର୍ଷା ଯୋଗୁ ରଦ୍ଦ ହେବା ପରେ ଉଚ୍ଚ T20 ରାଙ୍କିଂ ଆଧାରରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଥିଲା।

କିନ୍ତୁ ୨୦୨୬ ଏସିଆନ ଗେମ୍ସରେ ଏଭଳି ନିୟମ ଲାଗୁ ହେବ ନାହିଁ। ଟୁର୍ନାମେଣ୍ଟର ନିୟମ ଅନୁଯାୟୀ, ବର୍ଷା କାରଣରୁ ଫାଇନାଲରେ କୌଣସି ଫଳାଫଳ ନ ଆସିଲେ ଭାରତ ଓ ପାକିସ୍ତାନକୁ ଯୁଗ୍ମ ଭାବେ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ।

ଏସିଆନ ଗେମ୍ସର କ୍ରିକେଟ ମଞ୍ଚରେ ଏହା ଭାରତ ଓ ପାକିସ୍ତାନର ପ୍ରଥମ ସାମ୍ନାସାମ୍ନି ମୁକାବିଲା ହେବ। ୨୦୨୩ ହାଙ୍ଗଝୋଉ ଏସିଆନ ଗେମ୍ସରୁ ଏପର୍ଯ୍ୟନ୍ତ ଭାରତୀୟ ପୁରୁଷ ଦଳ ଏସିଆନ ଗେମ୍ସରେ ୫ଟି ମ୍ୟାଚ ଖେଳିଥିଲେ ମଧ୍ୟ ପାକିସ୍ତାନକୁ ଭେଟିନଥିଲା।

ଏପରିକି ନିକଟରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ମଧ୍ୟ ଶ୍ରୀଲଙ୍କାକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲା। ତେବେ ସେମାନଙ୍କର ମଧ୍ୟ ପାକିସ୍ତାନ ସହ ମୁକାବିଲା ହୋଇନଥିଲା।
ଏବେ ପୁରୁଷ କ୍ରିକେଟରେ ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ କ୍ରିକେଟପ୍ରେମୀଙ୍କ ଉତ୍ସାହ ଚରମରେ। ତେବେ ଏହି ବହୁ ପ୍ରତୀକ୍ଷିତ ଫାଇନାଲରେ ବର୍ଷା କେତେ ବଡ଼ ଭୂମିକା ନେବ, ତାହା ଉପରେ ସମସ୍ତଙ୍କ ନଜର ରହିବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।