ଫାଳିକିଆ ଆଇନ
ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪ ଜଣଙ୍କ ମୃତ୍ୟୁ ଘଟିଛି। କୁକି ସମ୍ପ୍ରଦାୟ ‘କଳା ଦିବସ’ ପାଳନ କରୁଥିବା ବେଳେ ଏଭଳି ହିଂସା ଘଟାଯାଇଥିବା ଖବର ମିଳିଛି। ସୂଚନାଯୋଗ୍ୟ ଯେ, ୧୯୯୦ରେ କୁକି ଓ ନାଗା ସଂଘର୍ଷ ସମୟରେ କୁକିମାନେ ସବୁଠାରୁ ଅଧିକ ଶିକାର ହୋଇଥିଲେ। ଏଠାରେ ଆହୁରି ମନେପକାଇ ଦିଆଯାଇପାରେ ଯେ ୨୦୨୩ରେ କୁକି ଓ ମେଇତିମାନଙ୍କ ମଧ୍ୟରେ ଜାତିଗତ ହିଂସା ଘଟିଥିଲା, ଯାହା ଅଦ୍ୟାବଧି ସମାଧାନ ହୋଇପାରି ନାହିଁ। ଦେଖିବାକୁ ଗଲେ ଉତ୍ତର-ପୂର୍ବାଞ୍ଚଳବାସୀଙ୍କ ବିଷୟକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଅଣଦେଖା କରି ରଖିଛନ୍ତି। ମଣିପୁରରେ ହିଂସା ଘଟୁଥିବା ବେଳେ ତାହାକୁ ରୋକିବା ଲାଗି କେବଳ ରାଜ୍ୟ ସରକାର ଉପରେ ଦାୟିତ୍ୱ ଦିଆଯାଉଥିବାର ବାରମ୍ବାର ପ୍ରମାଣ ମିଳୁଛି। ଅନ୍ତର୍ଜାତୀୟ ସୀମାକୁ ମଣିପୁର ଲାଗି ରହିଥିବାରୁ କେନ୍ଦ୍ରର ହସ୍ତକ୍ଷେପ ନିତାନ୍ତ ଦରକାର। ଏ ହେଲା ମଣିପୁରରେ ଜାତିଗତ ହିଂସାର କଥା। ୫ ଦିନ ତଳେ ଦକ୍ଷିଣ ଦିଲ୍ଲୀରେ ଥିବା ନିଜ ଘର ବାହାରେ କିଛି ଲୋକ ପାଟିତୁଣ୍ଡ କରୁଥିବାରୁ ତାହାକୁ ବିରୋଧ କରିବାରୁ ମଣିପୁରର ସଙ୍ଗୀତଜ୍ଞ ଚୋଙ୍ଗଥାମ ବିକ୍ରମ ସିଂହଙ୍କୁ ପିଟି ହତ୍ୟା କରାଯାଇଥିଲା। ଯେଉଁ ପରିମାଣରେ ଏ ବିଷୟରେ ଆଲୋଚନା ହେବା କଥା, ତାହା ବ୍ରିକ୍ସ ଖବର ଯୋଗୁ ଅଟକି ଯାଇଥିଲା। ଏପରି ସମୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁମ୍ବାଇରେ କହିଛନ୍ତି ଯେ, ୨୦୨୯ ସୁଦ୍ଧା ୨୧ଟି ଏନ୍ଡିଏ ଶାସିତ ରାଜ୍ୟରେ ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ କରାଯିବ। ଅନ୍ୟତମ ଏନ୍ଡିଏ ଶାସିତ ରାଜ୍ୟ ଉତ୍ତରାଖଣ୍ଡ ଏହାକୁ ଲାଗୁ କରିସାରିଛି। ଯେତେବେଳେ ଦେଶର ଆଭ୍ୟନ୍ତରୀଣ ସମସ୍ୟା ଉପୁଜୁଛି ସେତେବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାହାକୁ ସର୍ବାଧିକ ଗୁରୁତ୍ୱ ଦେବା କଥା।
ଏଠାରେ ୟୁସିସିକୁ ବିରୋଧ କରାଯାଉ ନାହିଁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଆଇନ ଅଣାଯିବା ଦରକାର। ହେଲେ ତାହାକୁ କେବଳ ଇଣ୍ଟରନେଟ୍ ମାଧ୍ୟମରେ ମତାମତ ଲୋଡ଼ି କାମ ସାରିଦେଲେ ହେବ ନାହିଁ। ସମାଜର ବିଭିନ୍ନ ଗୋଷ୍ଠୀର ମତ ନିଆଯାଇ ଏକ ଶକ୍ତିଶାଳୀ ନିୟମ ଅଣାଯିବାର ଆବଶ୍ୟକତା ରହିଛି। ଅସୁବିଧା ହେଉଛି କେନ୍ଦ୍ର ସରକାର ସବୁକିଛି ଲୋକ ସଭା ଭୋଟ ବର୍ଷକୁ ଲକ୍ଷ୍ୟକରି କାର୍ଯ୍ୟ କରିବାକୁ ଚାହୁଁଛନ୍ତି। ଆଜି ଭାରତର ଆଭ୍ୟନ୍ତରୀଣ ସ୍ଥିତିକୁ ଦେଖିଲେ ଛାତ୍ର ଓ ଯୁବକ ଏହି ଶାସନ ବ୍ୟବସ୍ଥାରେ ଅତିଷ୍ଠ ହୋଇପଡ଼ିଲେଣି। ଶିକ୍ଷାର ଅଧୋଗତି, ପରୀକ୍ଷା ପରିଚାଳନାରେ ଦୁର୍ନୀତି, ନିଯୁକ୍ତିର ଅଭାବ ସହ ଦରଦାମ ବୃଦ୍ଧି ଏବଂ ସାଧାରଣ ପ୍ରଶାସନିକ ବିଫଳତା ଯୋଗୁ ଭାଜପା ବିରୋଧରେ ସ୍ରୋତ ବୋହିବାକୁ ଆରମ୍ଭ କଲାଣି। ବାରମ୍ବାର ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇ ଆସୁଥିବା ଏହି ଦଳ କୌଣସି ଆଖିଦୃଶିଆ ପରିବର୍ତ୍ତନ ଆଣିପାରୁନାହିଁ। ସେଭଳି ପରିସ୍ଥିତିରେ ପୁରୁଣା ଢାଞ୍ଚାରେ ସାମାଜିକ ବିଭେଦକୁ ଲକ୍ଷ୍ୟରେ ରଖି ହିନ୍ଦୁ ଓ ସଂଖ୍ୟାଲଘୁଙ୍କ ମଧ୍ୟରେ ଝଗଡ଼ା ଲଗାଇପାରିଲେ ତାହା ସେହି ଦଳରେ ମୌଳିକ ପ୍ରସଙ୍ଗକୁ ପୁନର୍ଜୀବିତ କରିବା ସହିତ ଭୋଟ ଟାଣିଆଣିପାରିବ ବୋଲି ଆଶା ରଖାଯାଉଛି। ଏଥିରୁ ବୁଝିହେଉଛି ଯେ, ୨୦୨୮ ପରିବର୍ତ୍ତେ ଲୋକ ସଭା ନିର୍ବାଚନ ବର୍ଷ ୨୦୨୯କୁ ଟାର୍ଗେଟ ଭାବେ ରଖାଯାଉଛି।
ଏବର ସ୍ଥିତିକୁ ଦେଖିଲେ କେନ୍ଦ୍ର ପାଇଁ ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ଗୁରୁତ୍ୱ ରଖେ। ତେବେ ଆଭ୍ୟନ୍ତରୀଣ ସମସ୍ୟାକୁ ଅଣଦେଖା କରିଦେଲେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ିଯିବ। ଭିତର କନ୍ଦଳ ବିସ୍ଫୋରକ ସ୍ଥିତି ସୃଷ୍ଟି କଲେ ତାହାକୁ ନିୟନ୍ତ୍ରଣାଧୀନ କରିବା କଷ୍ଟକର ବ୍ୟାପାର। ଏନ୍ଡିଏ ଶାସିତ ରାଜ୍ୟ ହେଉ ବା ଅନ୍ୟ ଯେକୌଣସି ଦଳର ଶାସନରେ ଚାଲିଥିବା ପ୍ରଦେଶକୁ ସମାନ ଗୁରୁତ୍ୱ ଦିଆଯିବା କଥା। କୌଣସି ଦେଶରେ ଫାଳିକିଆ ଆଇନ ତିଆରି କଲେ ତାହାର କାର୍ଯ୍ୟକାରିତା ଅତ୍ୟନ୍ତ ଦୁର୍ବଳ ହୋଇଯିବ। ଭାଜପାର ଆଭିମୁଖ୍ୟ ଦେଖିଲେ ସେଥିରେ ମହିଳା, ମୁସଲମାନ, ଖ୍ରୀଷ୍ଟିଆନଙ୍କ ସମେତ ଦଳିତଙ୍କ ପ୍ରତି ଘୋର ଅବିଚାର ବାନ୍ଧି ହୋଇରହିିଛି। ଦଳିତ ସମ୍ପ୍ରଦାୟକୁ ସାଧାରଣ ହିନ୍ଦୁ ଆଇନ ଉପରେ ଆଧାରିତ ୟୁସିସି କେତେଦୂର ଗ୍ରହଣୀୟ ହେବ ସେ ସମ୍ପର୍କରେ କୌଣସି ଆଲୋଚନା କରାଯାଇ ନାହିଁ। ଦେଶବ୍ୟାପୀ ଭାଜପା କର୍ମୀଙ୍କ କାର୍ଯ୍ୟକଳାପ ଦେଖିଲେ ଅନେକ ସମୟରେ ସ୍ପଷ୍ଟ ଧାରଣା ଜନ୍ମନିଏ ଯେ, ସେହି ବ୍ୟକ୍ତିମାନେ ମୁସଲମାନଙ୍କଠାରୁ କାହିଁ ଅଧିକ ଦଳିତଙ୍କୁ ଘୃଣା କରିଥାଆନ୍ତି। ତେଣୁ ଆଜିର ପରିସ୍ଥିତିରେ କୌଣସି ପ୍ରକାରର ସାମାଜିକ ଆଇନ ପ୍ରଣୟନ କରି ଦେଶକୁ ଅଧିକ ବିଭାଜନାତ୍ମକ ଦ୍ୱନ୍ଦ୍ୱରେ ପକାଇବା ଦେଶବିରୋଧୀ ବୋଲି କହିହେବ।
ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ଦାୟିତ୍ୱବାନ ମନ୍ତ୍ରୀ ଅମିତ ଶାହାଙ୍କ ୨୧ଟି ଏନ୍ଡିଏ ଶାସିତ ରାଜ୍ୟରେ ୟୁସିସିକୁ ଗୃହୀତ କରାଯିବ ବୋଲି ଘୋଷଣା ଏକ ବିଚିତ୍ର ଆଇନ ପରିସ୍ଥିତି ସୃଷ୍ଟି କରିପାରେ। ୟୁସିସି ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଆଇନକୁ ଯଦି ବିଭିନ୍ନ ରାଜ୍ୟରେ ଭିନ୍ନ ପ୍ରକାର ଭାବେ ପ୍ରଣୟନ କରାଯାଏ, ତେବେ ମୀମାଂସା ପାଇଁ ସୁପ୍ରିମକୋର୍ଟରେ କୌଣସି ବିଚାରାଧୀନ ମାମଲା ପହଞ୍ଚତ୍ଲେ; ତାହାର ନିଷ୍ପତ୍ତି ରାଜନୈତିକ ଶାସକ ଦଳର ଆଭିମୁଖ୍ୟ ଉପରେ ନିର୍ଭରଶୀଳ ରହିବ। ଯଦି ଭାଜପା କୌଣସି ରାଜ୍ୟରେ ନିର୍ବାଚନ ହାରେ ତେବେ ଜିଣିଥିବା ଅନ୍ୟ ଦଳ ପ୍ରଥମେ ୟୁସିସିକୁ ରଦ୍ଦ କରିବା ଥୟ। ତେଣୁ ଏହାର ନାମକରଣରେ ‘ସମାନ’ ଶବ୍ଦ ଅକାମୀ ରହିଯାଇପାରେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।