ବଡ଼ ଖୁଲାସା କଲେ ଯୁବରାଜ ସିଂ, ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗଦେବା ପୂର୍ବରୁ ସୌରଭ ଗାଙ୍ଗୁଲି….

Oct 15, 2026 - 15:30
ବଡ଼ ଖୁଲାସା କଲେ ଯୁବରାଜ ସିଂ, ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗଦେବା ପୂର୍ବରୁ ସୌରଭ ଗାଙ୍ଗୁଲି….

ନୂଆଦିଲ୍ଲୀ,୧୫।୧୦: IPL ୨୦୨୭କୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସରେ ନୂଆ ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ୍‌ର ପୂର୍ବତନ ଷ୍ଟାର୍‌ ଯୁବରାଜ ସିଂ । ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ କୋଚ୍‌ ହେବା ପାଇଁ ତାଙ୍କୁ ପ୍ରଥମେ ପଚାରିଥିଲେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି । IPL ୨୦୨୭ ପାଇଁ ଗାଙ୍ଗୁଲି ଦଳର ହେଡ୍‌ କୋଚ୍‌ ନିଯୁକ୍ତ ହୋଇଛନ୍ତି । ଉଭୟେ ଏବେ ଦିଲ୍ଲୀ ଦଳକୁ ମାର୍ଗଦର୍ଶନ ଦେବାକୁ ଯାଉଥିବାରୁ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ IPL ଟାଇଟଲ୍‌ ଜିତିପାରିନାହିଁ । ଏଭଳି ସ୍ଥିତିରେ ଗାଙ୍ଗୁଲି ଓ ଯୁବରାଜଙ୍କ ଅଭିଜ୍ଞତା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଉଭୟ ଖେଳାଳି ଭାରତ ପାଇଁ ଏକାଠି ଖେଳି ଅନେକ ସ୍ମରଣୀୟ ବିଜୟରେ ଅବଦାନ ରଖିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସେୟାର କରାଯାଇଥିବା ଏକ ଭିଡିଓରେ ଯୁବରାଜ ସିଂ ଏହି ନୂଆ ଦାୟିତ୍ୱ ପଛର କାହାଣୀ କହିଛନ୍ତି । ଯୁବରାଜଙ୍କ କହିବା ଅନୁଯାୟୀ, ସୌରଭ ଗାଙ୍ଗୁଲି ତାଙ୍କୁ ପଚାରିଥିଲେ, “ତୁମେ କ’ଣ ମୋର ଆସିଷ୍ଟାଣ୍ଟ ହେବ?” ଏହାର ଉତ୍ତରରେ ଯୁବରାଜ ମଜାଳିଆ ଢଙ୍ଗରେ କହିଥିଲେ, “ମୁଁ ଗତ ୨୫ ବର୍ଷ ହେଲା ଆପଣଙ୍କ ଆସିଷ୍ଟାଣ୍ଟ ଅଛି, ତେଣୁ ସେହି କାମ ଜାରି ରଖିବି।”

ଯୁବରାଜ ୨୦୦୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ। ସେତେବେଳେ ଭାରତୀୟ ଦଳର ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲି । ଦୀର୍ଘ ବର୍ଷ ଧରି ଉଭୟ ଏକାଠି ଖେଳି ଭାରତୀୟ କ୍ରିକେଟ୍‌ର ସଫଳତାରେ ଅବଦାନ ରଖିଥିଲେ। ନୂଆ ଦାୟିତ୍ୱକୁ ନେଇ ଯୁବରାଜ କହିଛନ୍ତି ଯେ କୋଚ୍‌ ହେବା ପାଇଁ ସେ ଗତ ୩ରୁ ୪ ବର୍ଷ ଧରି ନିଜକୁ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ସେ ବିଭିନ୍ନ ଖେଳାଳିଙ୍କ ସହ କାମ କରିଛନ୍ତି। କିନ୍ତୁ ଏବେ ସମ୍ପୂର୍ଣ୍ଣ ଦଳ ସହ ଯୋଡ଼ି ହେବା ତାଙ୍କ ପାଇଁ ଏକ ଭିନ୍ନ ଅନୁଭବ ହେବ ବୋଲି ସେ କହିଛନ୍ତି।

ଯୁବରାଜ ଅଭିଷେକ ଶର୍ମା ଓ ଶୁଭମନ ଗିଲ୍‌ଙ୍କ ପରି ଖେଳାଳିଙ୍କୁ ନିଜ ଖେଳରେ ଉନ୍ନତି ଆଣିବା ଦିଗରେ ସହାୟତା କରିଛନ୍ତି । ଏବେ ଦିଲ୍ଲୀ କ୍ୟାପିଟାଲ୍ସର ସମ୍ପୂର୍ଣ୍ଣ ଦଳ ସହ କାମ କରିବାକୁ ସେ ଉତ୍ସାହିତ ଅଛନ୍ତି।ଉଲ୍ଲେଖଯୋଗ୍ୟ, ଯୁବରାଜ ୨୦୧୫ IPL ସିଜିନ୍‌ରେ ଦିଲ୍ଲୀ ପକ୍ଷରୁ ଖେଳିଥିଲେ । ସେହି ସିଜିନ୍‌ରେ ୧୪ଟି ମ୍ୟାଚ୍‌ ଖେଳି ୨୪୮ ରନ୍‌ କରିଥିଲେ। ସୌରଭ ଗାଙ୍ଗୁଲିଙ୍କ ପ୍ରଶଂସା କରି ଯୁବରାଜ କହିଛନ୍ତି ଯେ ଦଳର ପରିବେଶ କିପରି ଭଲ ରଖିବାକୁ ହୁଏ, ତାହା ସେ ଗାଙ୍ଗୁଲିଙ୍କଠାରୁ ଶିଖିଛନ୍ତି । ଗାଙ୍ଗୁଲି ଦଳକୁ ଏକଜୁଟ୍‌ ରଖିବା ସହ ବିଦେଶ ମାଟିରେ ମଧ୍ୟ ଜିତିପାରିବାର ଆତ୍ମବିଶ୍ୱାସ ଖେଳାଳିଙ୍କ ମନରେ ସୃଷ୍ଟି କରିଥିଲେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।