ବଦଳିର ବାର୍ତ୍ତା
ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ ପ୍ରଶାସନିକ ଦକ୍ଷତା ଓ ଶକ୍ତିର ଆବଶ୍ୟକତା ଅନୁଭବ କରୁଛନ୍ତି, ସେ ବିଷୟରେ ଅଧିକ କିଛି ସୂଚାଉଛି।
ବିପିନ କୁମାରଙ୍କୁ ଏୟାରପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବଦଳି କରାଯାଇଥିବାବେଳେ ଶ୍ରୀକାନ୍ତ ନାଗୁଲାପାଲ୍ଲୀ ହାଇଡ୍ରୋକାର୍ବନ ମହାନିର୍ଦ୍ଦେଶାଳୟରୁ ବ୍ୟୟ ବିଭାଗକୁ ଯାଇଛନ୍ତି। ଆନନ୍ଦ ସିଂହ ଅର୍ଥନୈତିକ ବ୍ୟାପାର ବିଭାଗରେ ଯୋଗ ଦେଇଥିବା ବେଳେ ପୀୟୂଷ ସିଂହ ଜାତୀୟ ଜଳ ମିଶନକୁ ବଦଳି ହୋଇଛନ୍ତି। ଏହି ଅଦଳବଦଳରେ ଉଚ୍ଚଶିକ୍ଷା, ଇସ୍ପାତ, ଦକ୍ଷତା ବିକାଶ ଏବଂ କର୍ମଚାରୀ ପ୍ରଶାସନିକ ବ୍ୟବସ୍ଥାକୁ ମଧ୍ୟ ମଜଭୁତ କରାଯାଇଛି।
ଅର୍ଥ ମନ୍ତ୍ରଣାଳୟରେ ଦୁଇଜଣ ନୂଆ ଅତିରିକ୍ତ ସଚିବଙ୍କୁ ନିଯୁକ୍ତ କରାଯାଇଛି। ସରକାର ବିକାଶ, ନିବେଶ ଏବଂ ବ୍ୟୟ ଚାପର ଆଉ ଏକ ଆହ୍ବାନପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରୁଥିବା ବେଳେ ଏହା ସରକାରୀ ଅର୍ଥର ପରିଚାଳନାକୁ ଦିଆଯାଉଥିବା ଗୁରୁତ୍ୱକୁ ସ୍ପଷ୍ଟ କରେ। କେତେକ ନିଯୁକ୍ତି ପାଇଁ ଅସ୍ଥାୟୀ ଅପ୍ଗ୍ରେଡେଶନ ଦର୍ଶାଏ ଯେ ଏବେ ଖାଲିଥିବା ପଦବୀ ମଧ୍ୟରେ ସୀମିତ ନ ରହି ଆବଶ୍ୟକତା ଅନୁଯାୟୀ ପ୍ରଶାସନିକ ଗଠନକୁ ନୂତନ ରୂପ ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି।
ବାବୁମାନଙ୍କ ପାଇଁ ସ୍ପଷ୍ଟ ବାର୍ତ୍ତା ଯେ କେବଳ ବରିଷ୍ଠତା କୌଣସି ପଦବୀର ଗୁରୁତ୍ୱ ନିର୍ଦ୍ଧାରଣ କରେ ନାହିଁ, ବରଂ କେଉଁଠାରେ ଏବଂ କେଉଁ ଭୂମିକାରେ ତାଙ୍କୁ ନିୟୋଜିତ କରାଯାଉଛି ତାହା ମହତ୍ତ୍ୱପୂର୍ଣ୍ଣ। ରାଜ୍ୟ କ୍ୟାଡରଗୁଡ଼ିକ ପାଇଁ ଏହା ଦର୍ଶାଉଛି ଯେ କେନ୍ଦ୍ର ସରକାର ଅଭିଜ୍ଞ ପ୍ରଶାସକଙ୍କୁ ବିଶେଷ ଜାତୀୟ ଦାୟିତ୍ୱରେ ନିୟୋଜିତ କରିବା ପାଇଁ ଆଗ୍ରହୀ ଅଛନ୍ତି।
ନୂଆ ଭବନ, ନୂଆ ଠିକଣା
ନୂଆ ସେଣ୍ଟ୍ରାଲ ଭିସ୍ତା ପୁନର୍ବିକାଶ ପ୍ରକଳ୍ପର ଅଂଶ ଭାବେ ପୁରୁଣା ଶାସ୍ତ୍ରୀ ଭବନ ଓ କୃଷି ଭବନ କୋଠାକୁ ଭାଙ୍ଗିବା ପାଇଁ ଖୁବ୍ଶୀଘ୍ର ବୁଲ୍ଡୋଜର ଚାଲିବ। ଏହି ଦୁଇ କୋଠାକୁ ସେପ୍ଟେମ୍ବର ଶେଷ ସୁଦ୍ଧା ଖାଲି କରାଯାଇ ସେହି ସ୍ଥାନରେ ଆନୁମାନିକ ୩,୧୫୫ କୋଟି ଟଙ୍କା ବ୍ୟୟରେ କର୍ତ୍ତବ୍ୟ ଭବନ ୪ ଏବଂ ୫ ନିର୍ମାଣ କରାଯିବ। ପ୍ରାୟ ୫୪,୦୦୦ ଅଧିକାରୀଙ୍କୁ ସ୍ଥାନ ଦେବା ପାଇଁ ୫୧ଟି ମନ୍ତ୍ରଣାଳୟକୁ ୧୦ଟି ଆଧୁନିକ କୋଠା ମଧ୍ୟରେ ଏକାଠି କରିବାକୁ ଥିବା ବୃହତ୍ କମନ ସେଣ୍ଟ୍ରାଲ ସେକ୍ରେଟାରିଏଟ ଯୋଜନାରେ ଏହି ଦୁଇଟି ନୂଆ କୋଠା ସାମିଲ ହେବାକୁ ଯାଉଛି। ଏହି ନୂତନ କମ୍ପ୍ଲେକ୍ସ ଆଧୁନିକ କାର୍ଯ୍ୟକ୍ଷେତ୍ର, ପ୍ରଯୁକ୍ତିବିଦ୍ୟା-ସମ୍ପନ୍ନ କାର୍ଯ୍ୟାଳୟ ଏବଂ ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ସହଜ ସହଯୋଗ ସମ୍ଭବ ହେବ ବୋଲି କୁହାଯାଉଛି। ତେବେ ନୂତନ କାର୍ଯ୍ୟାଳୟ କାଗଜପତ୍ରର ଗଦାକୁ ଦୂର କରିପାରେ, କିନ୍ତୁ ଏହା ଚିରାଚରିତ ଅମଲାତାନ୍ତ୍ରିକ ମନ୍ଥରତାକୁ ଦୂର କରିପାରିବ ନାହିଁ। ପ୍ରଯୁକ୍ତି ଫାଇଲର ଗତି ବଢ଼ାଇପାରେ, କିନ୍ତୁ ଏହା ନିଷ୍ପତ୍ତି ନେବାର ଗତି ବଢ଼ାଇପାରିବ ନାହିଁ। ଏକାଠି ରହିବା ଦ୍ୱାରା ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ଅଧିକ ଯୋଗାଯୋଗ ରହିପାରେ, କିନ୍ତୁ ସେମାନେ ପରସ୍ପରର କଥା ଶୁଣିବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ।
ତଥାପି ଏକ ସମ୍ପୂର୍ଣ୍ଣ ନୂତନ କାର୍ଯ୍ୟ ପ୍ରଣାଳୀ, ଉତ୍ତରଦାୟିତ୍ୱ ଏବଂ ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ଆଦାନପ୍ରଦାନର ଶୈଳୀକୁ ପୁନର୍ବାର ଚିନ୍ତା କରିବାର ସୁଯୋଗ ଦେଇପାରେ। ସରକାର ଏହି ସ୍ଥାନାନ୍ତରଣକୁ ପ୍ରଶାସନିକ ସୁଧାରର ସୁଯୋଗ ଭାବେ ବ୍ୟବହାର କରିବା ଆବଶ୍ୟକ। ନଚେତ୍ ଭାରତ ଶେଷରେ ୨୧ତମ ଶତାବ୍ଦୀର କାର୍ଯ୍ୟାଳୟ ତ ପାଇଯିବ, କିନ୍ତୁ ସେଥିରେ କେବଳ ୨୦ତମ ଶତାବ୍ଦୀର ବାବୁ ମାନସିକତା ରହିଯିବ।
ମଞ୍ଜୁରୀ ପାଇଁ ବିଳମ୍ବ
ମାଡ୍ରାସ ହାଇକୋର୍ଟଙ୍କ ନୂତନ ରାୟରେ ଅମଲାତାନ୍ତ୍ରିକ ମନ୍ଥରଗତିର ଛବି ସାମ୍ନାକୁ ଆସିଛି। ଜଣେ ଆଇଏଏସ୍ ଅଧିକାରୀଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ଫାଇଲ ପ୍ରଥମେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି)ରୁ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି) ଏବଂ ଶେଷରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)କୁ ଯିବା ଆବଶ୍ୟକ ଏବଂ ତା’ ପରେ ଯାଇ ମାମଲା ଚଳାଇବା ଲାଗି ମଞ୍ଜୁରୀ ଉପରେ ନିଷ୍ପତ୍ତି ହୋଇପାରିବ। ଏହି ସମସ୍ୟା କେବଳ କାଗଜପତ୍ରରେ ସୀମିତ ନୁହେଁ, ଏହା ୨୦୧୪-୧୮ ମସିହା ମଧ୍ୟରେ ଚେନ୍ନାଇ ଏବଂ କୋଏମ୍ବାଟୁର କର୍ପୋରେଶନରେ ହୋଇଥିବା ୯୮.୨୫ କୋଟି ଟଙ୍କାର ଟେଣ୍ଡର ଅନିୟମିତତା ମାମଲାରେ ଅଭିଯୁକ୍ତ ଦୁଇଜଣ ଆଇଏଏସ୍ ଅଧିକାରୀଙ୍କ ସହ ଜଡ଼ିତ । ଏହି ମାମଲାରେ ୨୦୨୧ରେ ଏଫ୍ଆଇଆର୍ ରୁଜୁ କରାଯାଇଥିଲା। ଫଳରେ ପୂର୍ବତନ ମନ୍ତ୍ରୀ ଏସ୍.ପି. ଭେଲୁମଣିଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ୨୦୨୪ ଫେବୃଆରୀରେ ମଞ୍ଜୁରୀ ମିଳିଥିଲେ ମଧ୍ୟ ସେହି ଦୁଇଜଣ ଅଧିକାରୀ ଏବେ ମଧ୍ୟ ନିଜ ମଞ୍ଜୁରୀ ପାଇଁ ଅପେକ୍ଷା କରିଛନ୍ତି।
ଏହି ବିଳମ୍ବକୁ ନେଇ ମାଡ୍ରାସ ହାଇକୋର୍ଟ ବାରମ୍ବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଜୁଲାଇ ମାସରେ କୋର୍ଟ ଉଲ୍ଲେଖ କରିଥିଲେ ଯେ ଆବଶ୍ୟକ ମଞ୍ଜୁରୀ ବିନା ପାଞ୍ଚ ବର୍ଷ ବିତିଗଲାଣି ଏବଂ ଏକ ନିର୍ବାଚନ ଆସି ଚାଲିଗଲାଣି। ଦୁର୍ନୀତି ଫାଇଲଗୁଡ଼ିକର ସମାଧାନ ପାଇଁ କୌଣସି ସମୟ ସୀମା ଅଛି କି ନାହିଁ ତାହା ଉପରେ ସେପ୍ଟେମ୍ବରରେ ବିଚାରପତି ବି ପ୍ରଶ୍ନ କରିଥିଲେ। କେନ୍ଦ୍ର ସରକାର ଏବେ ଦୁଇ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ନିଶ୍ଚିତ ଭାବରେ ମଞ୍ଜୁରୀ ବ୍ୟବସ୍ଥା ରହିବାର ଏକ ନିର୍ଦ୍ଦିଷ୍ଟ କାରଣ ରହିଛି। ସରକାରୀ କର୍ମଚାରୀମାନେ ଯେପରି କୌଣସି ଅଯଥା କିମ୍ବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମାମଲାର ଶିକାର ନ ହୁଅନ୍ତି ତାହା ସୁନିଶ୍ଚିତ କରିବା ଆବଶ୍ୟକ।
Email: dilipcherian@gmail.com
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।