ବନ୍ଧୁକ ଦେଖାଇ ୪୫ ହଜାର ଟଙ୍କା ଲୁଟ୍, ଛାନ୍ଭିନ୍
ଖଇରା, ୧୭/୧୦ (ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଡଗରପଡ଼ା ପଞ୍ଚାୟତର ବଡ଼ବାହାଦୁଲପୁର ଗ୍ରାମର ସନ୍ତୋଷ ଗାହାଣ ବନ୍ଧୁକ ମୁନରେ ଲୁଟ୍ର ଶିକାର ହୋଇଛନ୍ତି। ଶୁକ୍ରବାର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କଠାରୁ ନଗଦ ୪୫ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ଖଇରା ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ସନ୍ତୋଷଙ୍କର ଔପଦା ବଜାରରେ ଏକ ଗହଣା ଦୋକାନ ରହିଛି। ପ୍ରତିଦିନ ଭଳି ଶୁକ୍ରବାର ରାତିରେ ଦୋକାନ ବନ୍ଦ କରି ସେ ନିଜ ଭାଇଙ୍କ ସହ ବାଇକ୍ରେ ଘରକୁ ଫେରୁଥିଲେ। ଏହି ସମୟରେ ଶାଳଗଡ଼ିଆ ଛକ ନିକଟରେ ୩ଟି ପଲସର୍ ବାଇକ୍ରେ ଆସିଥିବା ୬ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। ପରେ ଜଣେ ଦୁର୍ବୃତ୍ତ ସନ୍ତୋଷଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନଗଦ ୪୫ ହଜାର ଟଙ୍କା ଲୁଟି ନେଇଥି।ଲେ। ପରେ ସମସ୍ତ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଖବର ପାଇ ଖଇରା ଥାନା ଆଇଆଇସି ପ୍ରଶାନ୍ତ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଛାନ୍ଭିନ୍ ଜାରି ରଖିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।