ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ
ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ ଦୂରବୀକ୍ଷଣ ଯନ୍ତ୍ରରେ ଧରିବା ସମ୍ଭବ ନୁହେଁ। ଏହି ଅଦୃଶ୍ୟ ବ୍ରହ୍ମାଣ୍ଡକୁ ବୁଝିବାର ଏକ ନୂଆରାସ୍ତା ଖୋଲିଥିବା ବୈଜ୍ଞାନିକ ଫ୍ରାନ୍ସିସ୍ ହାଲ୍ଜେନ୍ଙ୍କୁ ୨୦୨୬ର ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିଛି। ଆମେରିକାର ୱିସ୍କନସିନ୍-ମ୍ୟାଡିସନ ବିଶ୍ୱବିଦ୍ୟାଳୟର ପ୍ରଫେସର ହାଲ୍ଜେନ୍ଙ୍କୁ ଦକ୍ଷିଣମେରୁରେ ନିର୍ମିତ ଆଇସ୍କ୍ୟୁବନ୍ୟୁଟ୍ରିନୋ ପର୍ଯ୍ୟବେକ୍ଷଣକେନ୍ଦ୍ର ପାଇଁ ଏବଂ ଦୂରବ୍ରହ୍ମାଣ୍ଡରୁ ଆସୁଥିବା ଅତ୍ୟଧିକ ଶକ୍ତିଶାଳୀ ନ୍ୟୁଟ୍ରିନୋ ଚିହ୍ନଟ କରିବାରେ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଛି।
ସହଜ ଭାଷାରେ କହିଲେ, ନ୍ୟୁଟ୍ରିନୋ ହେଉଛି ବ୍ରହ୍ମାଣ୍ଡର ଏକ ଅତିକ୍ଷୁଦ୍ର କଣିକା। ଏହାର ବିଶେଷତ୍ୱ ହେଉଛି-ଏହା ଅନ୍ୟ ପଦାର୍ଥ ସହ ଖୁବ୍ କମ ପ୍ରତିକ୍ରିୟା କରେ। ସେଥିପାଇଁ ଏହାକୁ ‘ଭୂତକଣିକା’(Ghost particle) କୁହାଯାଏ। ଆପଣ ଖାଉଥିବା କଦଳୀଠାରୁ ଆରମ୍ଭକରି ଆଣବିକ ରିଆକ୍ଟର, ସୂର୍ଯ୍ୟ ଏବଂ ସମଗ୍ର ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ, ସବୁକିଛି ନ୍ୟୁଟ୍ରିନୋ ନିର୍ଗତ କରିଥାଏ। ପ୍ରତି ସେକେଣ୍ଡରେ କୋଟିକୋଟି ନ୍ୟୁଟ୍ରିନୋ ଆମ ଶରୀର ଭିତର ଦେଇ ଯାଉଥିଲେ ମଧ୍ୟ ଆମେ ତାହା ଅନୁଭବ କରିପାରୁନାହୁଁ। ଏପରି କି ସେମାନଙ୍କ ମଧ୍ୟରୁ ଅଧିକାଂଶ ପୃଥିବୀ ଭିତର ଦେଇ ମଧ୍ୟ ଅତିକ୍ରମ କରିଯାଆନ୍ତି। କିନ୍ତୁ ବେଳେ ବେଳେ ଗୋଟିଏ ନ୍ୟୁଟ୍ରିନୋ ଅନ୍ୟ ପଦାର୍ଥର ଏକ ପରମାଣୁ ସହ ଧକ୍କା ଖାଏ ଏବଂ ବୈଦ୍ୟୁତିକ ଆବେଶ-ବିଶିଷ୍ଟ କଣିକା ଉତ୍ପନ୍ନ କରେ। ସେତେବେଳେ ଏକ କ୍ଷୁଦ୍ର ଆଲୋକ ଝଲକ ସୃଷ୍ଟିହୁଏ, ଯାହାକୁ ଚେରେନକୋଭ୍ ବିକିରଣ କୁହାଯାଏ। ବୈଜ୍ଞାନିକମାନେ ଏହି ଆଲୋକକୁ ଧରି ନ୍ୟୁଟ୍ରିନୋର ଉପସ୍ଥିତି ବିଷୟରେ ଜାଣିପାରନ୍ତି।
ଏ କ୍ଷେତ୍ରରେ ହାଲ୍ଜେନ୍ଙ୍କ ଚିନ୍ତାଧାରା ଥିଲା ଅତ୍ୟନ୍ତ ଅଭିନବ। ୧୯୮୮ରେ ସେ ପ୍ରସ୍ତାବ ଦେଲେ-ଦକ୍ଷିଣ ମେରୁର ବରଫକୁ ଏକ ବିଶାଳ ନ୍ୟୁଟ୍ରିନୋ ଟେଲିସ୍କୋପ ଭାବେ ବ୍ୟବହାର କରାଯାଉ। ଏହି ଧାରଣା କାର୍ଯ୍ୟକାରୀ ହେଲା। ଦକ୍ଷିଣ ମେରୁର ପ୍ରାୟ ଏକ ଘନ କିଲୋମିଟର ବରଫ ଭିତରେ ଅନେକ ହଜାର ଆଲୋକ-ସମ୍ବେଦୀ ଯନ୍ତ୍ର (ସେନ୍ସର) ବସାଯାଇଛି। ନ୍ୟୁଟ୍ରିନୋ ବରଫ ଭିତରେ କୌଣସି ପରମାଣୁ ସହ ଧକ୍କା ଖାଇଲେ ଯେତିକି ଛୋଟ ଆଲୋକ ଝଲକ ସୃଷ୍ଟିହୁଏ, ଏହି ସେନ୍ସରଗୁଡ଼ିକ ତାହାକୁ ଧରିନିଅନ୍ତି। ସେହି ଆଲୋକ ଆଧାରରେ ବୈଜ୍ଞାନିକମାନେ ଜାଣିପାରନ୍ତି-ନ୍ୟୁଟ୍ରିନୋ କେଉଁ ଦିଗରୁ ଆସିଥିଲା ଏବଂ ତାହା କେତେ ଶକ୍ତିଶାଳୀ ଥିଲା।
ଦକ୍ଷିଣମେରକୁ ଚୟନ କରାଯିବାର ଦୁଇଟି ମୁଖ୍ୟ କାରଣ ରହିଛି। (୧)ଉଚ୍ଚ-ଶକ୍ତିସମ୍ପନ୍ନ ନ୍ୟୁଟ୍ରିନୋ ପ୍ରବାହ ବହୁତ କମ୍, ଆମକୁ ଏକ ବିଶାଳ ଆୟତନ- ବିଶିଷ୍ଟ ପର୍ଯ୍ୟବେକ୍ଷଣ ଯନ୍ତ୍ର ଆବଶ୍ୟକ, ଯାହାକି କେବଳ ପୃଥିବୀରେ ପ୍ରାକୃତିକ ଭାବରେ ପ୍ରଚୁର ପରିମାଣରେ ମିଳୁଥିବା ପଦାର୍ଥ, ଯେପରିକି ବରଫ କିମ୍ବା ପାଣିଦ୍ୱାରା ହିଁ ଯୋଗାଇ ଦିଆଯାଇପାରିବ। (୨) ଦକ୍ଷିଣ ମେରୁରେ ବହୁଦୂର ପର୍ଯ୍ୟନ୍ତ ସ୍ବଚ୍ଛ ବରଫ ରହିଛି। ତେଣୁ ନ୍ୟୁଟ୍ରିନୋ ଧକ୍କାରୁ ଉତ୍ପନ୍ନ ଅତି କ୍ଷୁଦ୍ର ଆଲୋକ ସେନ୍ସର ପର୍ଯ୍ୟନ୍ତ ପହଞ୍ଚତ୍ପାରେ। ଏଠାରେ ଭୂମିକମ୍ପ ଭଳି ଭୂଗର୍ଭୀୟ ବାଧା କିମ୍ବା ମାନବକୃତ ଅନାବଶ୍ୟକ ତରଙ୍ଗ ପ୍ରାୟନାହିଁ। ପରବର୍ତ୍ତୀ ସମୟରେ, ବୈଜ୍ଞାନିକମାନେ ଭୂମଧ୍ୟସାଗର ପାଣି ଭିତରେ ଏହିଭଳି ଏକ ବିଶାଳ ପର୍ଯ୍ୟବେକ୍ଷଣ କେନ୍ଦ୍ର ସଫଳତାର ସହ ନିର୍ମାଣ କରିବା ପାଇଁ ଏହି ଧାରଣାକୁ ପ୍ରୟୋଗ କଲେ।
ବୈଜ୍ଞାନିକମାନେ ଜାଣନ୍ତି ଯେ, ବ୍ରହ୍ମାଣ୍ଡର କିଛି ସ୍ଥାନରେ ଅତ୍ୟନ୍ତ ଶକ୍ତିଶାଳୀ ଘଟଣା ଘଟେ। ଏହି ସ୍ଥାନଗୁଡ଼ିକୁ ଆମେ ଏକ ପ୍ରକାରର ପ୍ରାକୃତିକ ‘କଣିକା କାରଖାନା’ ବୋଲି ଭାବି ପାରିବା। ଏଠାରେ ଏମିତି କଣିକା ସୃଷ୍ଟିହୁଏ, ଯାହାର ଶକ୍ତି ପୃଥିବୀରେ ମଣିଷ ତିଆରି କରିଥିବା ବୃହତ୍ତମ କଣିକାଯନ୍ତ୍ରରେ ପାଇବା କଷ୍ଟକର। କିନ୍ତୁ ଏହି ଶକ୍ତିଶାଳୀ ମହାଜାଗତିକ କାରଖାନା କେଉଁଠି? ସେଠାରେ କ’ଣ ଘଟୁଛି? ଏତେ ବିପୁଳ ଶକ୍ତି କିପରି ସୃଷ୍ଟି ହେଉଛି? ଏହି ପ୍ରଶ୍ନଗୁଡ଼ିକ ଦୀର୍ଘଦିନ ଧରି ବୈଜ୍ଞାନିକଙ୍କ ପାଇଁ ରହସ୍ୟ ହୋଇ ରହିଥିଲା। ଉଚ୍ଚ-ଶକ୍ତିର ନ୍ୟୁଟ୍ରିନୋ ଏହି ରହସ୍ୟର ସମାଧାନରେ ଏକ ନୂଆ ଦ୍ୱାର ଖୋଲିଛି।
ମହାଜାଗତିକ ପ୍ରକ୍ରିୟାରୁ ଉତ୍ପନ୍ନ ଅନ୍ୟାନ୍ୟ କଣିକା ଓ ବିକିରଣ ପୃଥିବୀ ଆଡ଼କୁ ଆସିବା ସମୟରେ ବିଭିନ୍ନ ପ୍ରଭାବର ସମ୍ମୁଖୀନ ହୁଅନ୍ତି ଏବଂ ମାର୍ଗ ବିଚ୍ୟୁତ ହୋଇଯାନ୍ତି ଅଥବା ଶକ୍ତି ହରାଇଥାନ୍ତି। ନ୍ୟୁଟ୍ରିନୋର ବଡ଼ଗୁଣ ହେଉଛି-ଏହା ସହଜରେ ନିଜପଥ ବଦଳାଏ ନାହିଁ, କାରଣ ଏହା ପଦାର୍ଥ ସହ ଅତ୍ୟନ୍ତ ଦୁର୍ବଳଭାବେ ପ୍ରତିକ୍ରିୟା କରେ। ଦୂର ବ୍ରହ୍ମାଣ୍ଡର କୌଣସି ଘଟଣାରୁ ବାହାରିଥିବା ନ୍ୟୁଟ୍ରିନୋ ପ୍ରାୟ ସିଧା ରାସ୍ତାରେ ପୃଥିବୀକୁ ଆସିପାରେ। ଏହି କାରଣରୁ ଏହା ତା’ ସହିତ ଜନ୍ମନେଇଥିବା ସ୍ଥାନର ଖବର ନେଇଆସେ। ଅର୍ଥାତ୍, ନ୍ୟୁଟ୍ରିନୋକୁ ଅନୁସରଣ କରି ବୈଜ୍ଞାନିକମାନେ ବ୍ରହ୍ମାଣ୍ଡର ଏପରି ଘଟଣା ବିଷୟରେ ଜାଣିପାରନ୍ତି, ଯାହାକୁ କେବଳ ଆଲୋକ ଅଥବା ଅନ୍ୟ ମାଧ୍ୟମ ଦେଖି ଜାଣିବା ସମ୍ଭବ ନୁହେଁ।
ହାଲ୍ଜେନ୍ଙ୍କ ଧାରଣା ୧୯୮୮ରେ ଆରମ୍ଭ ହୋଇଥିଲା। ତା’ପରେ ଅନେକ ବୈଜ୍ଞାନିକ ଓ ଇଞ୍ଜିନିୟର ଏହି ପ୍ରକଳ୍ପରେ ଯୋଡ଼ି ହୋଇଥିଲେ। ଶେଷରେ ୨୦୧୧ରେ ଆଇସ୍କ୍ୟୁବ ପର୍ଯ୍ୟବେକ୍ଷଣ କେନ୍ଦ୍ରର ନିର୍ମାଣ ସମ୍ପୂର୍ଣ୍ଣ ହେଲା। ତା’ପରେ ବୈଜ୍ଞାନିକମାନେ ଉଚ୍ଚ-ଶକ୍ତିର ନ୍ୟୁଟ୍ରିନୋ ଧରିବା ଆରମ୍ଭ କଲେ। ପରେ ଏପରି ନ୍ୟୁଟ୍ରିନୋ ମଧ୍ୟ ମିଳିଲା, ଯାହା ଆମ ସୌରଜଗତର ବାହାରେ ଥିବା ଅତ୍ୟନ୍ତ ଦୂର ମହାଜାଗତିକ ଉତ୍ସରୁ ଆସିଥିଲା। ଫଳରେ ଖଗୋଳ ବିଜ୍ଞାନର ଏକ ନୂଆ ଅଧ୍ୟାୟ ଖୋଲିଗଲା-ନ୍ୟୁଟ୍ରିନୋ ମାଧ୍ୟମରେ ବ୍ରହ୍ମାଣ୍ଡକୁ ଦେଖିବାର ଯୁଗ। ଆଲୋକ, ମହାଜାଗତିକ କିରଣ ଓ ମାଧ୍ୟାକର୍ଷଣ ତରଙ୍ଗ ସହିତ ମିଳିତ ଭାବେ ନ୍ୟୁଟ୍ରିନୋ ଆରମ୍ଭ କଲା ଜ୍ୟୋତିର୍ବିଜ୍ଞାନର ଏକ ନୂତନ ଯୁଗ।
ଆଇସ୍କ୍ୟୁବ୍ ମାଧ୍ୟମରେ ଏବେ ବୈଜ୍ଞାନିକମାନେ ଅତି ବିଶାଳକାୟ କୃଷ୍ଣଗର୍ତ୍ତ, ସକ୍ରିୟ ତାରକାପୁଞ୍ଜ ଓ ଅନ୍ୟାନ୍ୟ ଶକ୍ତିଶାଳୀ ମହାଜାଗତିକ ପରିବେଶରେ ଘଟୁଥିବା ଘଟଣାକୁ ଭଲ ଭାବରେ ବୁଝିବାର ସୁଯୋଗ ପାଇଛନ୍ତିି। ଭବିଷ୍ୟତରେ ଆଇସକ୍ୟୁବ୍କୁ ମିଳୁଥିବା ତଥ୍ୟ ଆମକୁ ବ୍ରହ୍ମାଣ୍ଡର ଅନେକ ରହସ୍ୟ ସମ୍ପର୍କରେ ଜଣାଇପାରେ। ଏପରି କି ନୂଆ ମହାଜାଗତିକ ଘଟଣାର ସନ୍ଧାନ ମିଳିପାରେ।
ନୋବେଲ କମିଟିର ଅଧ୍ୟକ୍ଷ ମାର୍କପିୟର୍ସଙ୍କ ମତରେ, ଫ୍ରାନ୍ସିସ ହାଲ୍ଜେନ୍ଙ୍କ ଦୃଢ଼ତା ଓ ବୈଜ୍ଞାନିକ ଦୂରଦୃଷ୍ଟି ଖଗୋଳ ବିଜ୍ଞାନର ଏକ ନୂଆଦିଗର ପଥ ପ୍ରଶସ୍ତ କରିଛି। ଏହି ଲେଖକ ବିଗତ ୧୪ବର୍ଷ ଧରି ଆଇସକ୍ୟୁବ୍ ସମ୍ବନ୍ଧୀୟ ଗବେଷଣା କରିଆସୁଛିି ଏବଂ ସୌଭାଗ୍ୟବଶତଃ, ହାଲ୍ଜେନ୍ଙ୍କ ଦଳର ସଦସ୍ୟଙ୍କ ସହିତ କାର୍ଯ୍ୟ କରିଛି। ଏହି ଗବେଷଣା ଭବିଷ୍ୟତର ନୂଆ ପ୍ରଯୁକ୍ତିର ଭିତ୍ତି ତିଆରି କରେ। ଆଇସକ୍ୟୁବ୍୍ ଭଳି ଏକ ବିଶାଳ ପରୀକ୍ଷଣ ପାଇଁ ସମ୍ବେଦନଶୀଳ ଆଲୋକ ସେନ୍ସର୍, ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ ପ୍ରଣାଳୀ, ଇଞ୍ଜିନିୟରିଂ ଏବଂ କମ୍ପ୍ୟୁଟର ବିଜ୍ଞାନର ନୂଆ କୌଶଳ ବିକଶିତ ହୁଏ। ଏହି ଜ୍ଞାନ ଚିକିତ୍ସା, ଯୋଗାଯୋଗ, ଉଚ୍ଚ-କ୍ଷମତାସମ୍ପନ୍ନ ଗଣନା ପ୍ରକ୍ରିୟା କିମ୍ବା ଅନ୍ୟ କ୍ଷେତ୍ରରେ ନୂଆ ପ୍ରଯୁକ୍ତିର ରୂପ ନେଇପାରେ। ବଡ଼କଥା ହେଉଛି, ଏପରି ଗବେଷଣା ଆମେ କେଉଁଠୁ ଆସିଛୁ ଓ ଏହି ବିଶାଳ ବ୍ରହ୍ମାଣ୍ଡ କିପରି କାମକରେ-ସେ ସମ୍ପର୍କରେ ଆମର ବୁଝାମଣାକୁ ଆହୁରି ଗଭୀର କରେ।
ଡ. ଭୂପାଳ ଦେବ
ୱାଶିଂଟନ୍ ବିଶ୍ୱବିଦ୍ୟାଳୟ,
ଯୁକ୍ତରାଷ୍ଟ୍ର ଆମେରିକା
Email: bhupaldev@gmail.com
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।