ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

Sep 25, 2026 - 13:57
ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କାଶ୍ମୀରରେ ବର୍ତ୍ତମାନ ବର୍ଷକୁ ୬ଟି ଏଲପିଜି (LPG) ସିଲିଣ୍ଡର ମାଗଣାରେ ଯୋଗାଇଦେବାକୁ ଘୋଷଣା କରିଛନ୍ତି। ‘ଅନ୍ତ୍ୟୋଦୟ ଅନ୍ନ ଯୋଜନା’ (AAY) ଅଧୀନରେ ଆସୁଥିବା ପରିବାରଗୁଡ଼ିକୁ ସରକାରଙ୍କ ପକ୍ଷରୁ ଏହି ଯୋଜନାର ଲାଭ ମିଳିବ। ଏହି ପରିବାରଗୁଡ଼ିକୁ ବର୍ତ୍ତମାନ ପ୍ରତିବର୍ଷ ୬ଟି ସିଲିଣ୍ଡର ସମ୍ପୂର୍ଣ୍ଣ ମାଗଣାରେ ମିଳିବ, ଯେତେବେଳେ କି ବାକି ସିଲିଣ୍ଡର ଉପରେ ସବସିଡିର ସୁବିଧା ଉପଲବ୍ଧ ହେବ। ଖାଦ୍ୟ, ନାଗରିକ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସତୀଶ ଶର୍ମା ବିଧାନସଭା ଅଧିବେଶନ ସମୟରେ ୨୪ ସେପ୍ଟେମ୍ୱରରେ ଏହି ଘୋଷଣା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଗରିବ ପରିବାରକୁ ସିଧାସଳଖ ଆର୍ଥିକ ସହାୟତା ମିଳିବ।

ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଯୋଜନାର ଲାଭ କେବଳ ଜମ୍ମୁ-କାଶ୍ମୀରର ‘ଅନ୍ତ୍ୟୋଦୟ ଅନ୍ନ ଯୋଜନା’ (AAY) ରାସନ କାର୍ଡଧାରୀମାନଙ୍କୁ ହିଁ ମିଳିବ। ଏହି କାର୍ଡ ସମାଜର ସବୁଠାରୁ ତଳସ୍ତରର ତଥା ଅତ୍ୟନ୍ତ ଗରିବ ଶ୍ରେଣୀର ପରିବାରଗୁଡ଼ିକ ପାଇଁ ଜାରି କରାଯାଇଥାଏ। ଏହି ଯୋଜନାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ପାଇଁ ସରକାର ‘ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ’ (DBT) ବ୍ୟବସ୍ଥା ଆପଣାଇବେ। ଏହା ଅଧୀନରେ ହିତାଧିକାରୀମାନଙ୍କୁ ପ୍ରଥମେ ସାଧାରଣ ଭାବରେ ସିଲିଣ୍ଡର କିଣିବାକୁ ପଡ଼ିବ, ତା’ପରେ ସିଲିଣ୍ଡରର ସମ୍ପୂର୍ଣ୍ଣ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ରିଫଣ୍ଡ ସବସିଡି ଆକାରରେ ପଠାଇ ଦିଆଯିବ। ରାଜ୍ୟର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ମଧ୍ୟ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।