ବଲାଙ୍ଗୀରରେ ୬୭ତମ ପୋଲିସ ଶହୀଦ ଦିବସ ପାଳିତ

Oct 21, 2026 - 12:57
ବଲାଙ୍ଗୀରରେ ୬୭ତମ ପୋଲିସ ଶହୀଦ ଦିବସ ପାଳିତ

ବଲାଙ୍ଗୀର ଅଫିସ, ୨୧/୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁରସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ୬୭ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଅଭିଳାଷ ଜି ଯୋଗଦେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିବା ସହ ଦେଶ ପାଇଁ ପ୍ରାଣବଳି ଦେଇଥିବା ପୋଲିସ ଯବାନଙ୍କ ନାମ ପାଠ କରି ସେମାନଙ୍କ ସ୍ମୃତିଚାରଣ କରିଥିଲେ।

ଏହି ଅବସରରେ ଏସ୍‌ପି ଅଭିଳାଷ ଜି ଦେଶର ସୁରକ୍ଷା ଓ ସାଧାରଣ ଜନତାଙ୍କ ଧନଜୀବନ ରକ୍ଷା କ୍ଷେତ୍ରରେ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଏଥିସହ ସାମ୍ପ୍ରତିକ ସମୟରେ ପୋଲିସ ବାହିନୀର ଉଲ୍ଲେଖନୀୟ ସେବା ଓ କର୍ତ୍ତବ୍ୟନିଷ୍ଠା ସମ୍ପର୍କରେ ସେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌ପି ଗୁଣନିଧି ମଲ୍ଲିକ, ସଦର ଏସ୍‌ଡିପିଓ ସରୋଜ ଉପାଧ୍ୟାୟ, ସଦର ଥାନା ଆଇଆଇସି ରାଜକୁମାର ବିଶ୍ୱାଳ, ଟାଉନ୍‌ ଥାନା ଆଇଆଇସି ଅବନୀ ସାହୁ, ରିଜର୍ଭ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସମେତ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ, ଅନ୍ୟାନ୍ୟ ଅଧିକାରୀ ଓ ଅବସରପ୍ରାପ୍ତ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।