ବସ୍ଷ୍ଟାଣ୍ଡରୁ ବାଘ ଛାଲ ଜବତ
ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସ୍ଷ୍ଟାଣ୍ଡରୁ ୨ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏନେଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗ ଗାଁର ଉତ୍ତମ ମାଝୀ। କେସ୍ ନଂ. ୪୩/୨୬ ଅଧିକ ତଦନ୍ତ ଜାରି ରହିଥିବା ନେଇ ଡିଏଫ୍ଓ ଘନଶ୍ୟାମ ମହନ୍ତ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବନ୍ୟଜନ୍ତୁ ସାମଗ୍ରୀ ବେଆଇନ ଭାବେ ରଖିବା ଓ ବିକ୍ରି ସମ୍ପର୍କରେ ବାଲିଗୁଡ଼ା ବନ ବିଭାଗକୁ ଖବର ମିଳିଥିଲା। ଏହାପରେ ଶୁକ୍ରବାର ବାଲିଗୁଡ଼ା ବସ୍ଷ୍ଟାଣ୍ଡ ନିକଟରେ ବନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେଶନ କରାଯାଇଥିଲା। ଏହି ସମୟରେ ଉତ୍ତମଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ଯାଞ୍ଚ କରାଯିବା ପରେ ତାଙ୍କ ନିକଟରୁ ୨ଟି କଲରାପତରିଆ ଛାଲ ମିଳିଥିଲା। ଛାଲ ଗୁଡ଼ିକୁ ରାଜ୍ୟ ଭିତରେ ଚାଲାଣ କରି ବିକ୍ରି କରିବା ଉଦ୍ଦେଶ୍ୟରେ ଉତ୍ତମ ନେଇ ଯାଉଥିବା ବନ ବିଭାଗ ସୂଚନା ଦେଇଛି।
ତେବେ ଉତ୍ତମ ନିଜେ କଲରାପତରିଆ ବାଘକୁ ଶିକାର କରି ନ ଥିବାବେଳେ ଶିକାରୀଙ୍କ ଠାରୁ ଛାଲ ଆଣି ବିକ୍ରି ପାଇଁ ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଡିଏଫ୍ଓ କହିଛନ୍ତି। ବାଲିଗୁଡ଼ା ଏସିଏଫ୍ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବାଲିଗୁଡ଼ା ରେଞ୍ଜ ଅଧିକାରୀଙ୍କ ସମେତ କେ.ନୂଆଗାଁ, କୋଟଗଡ଼, ତୁମୁଡ଼ିବନ୍ଧ ଓ ବ୍ରାହ୍ମଣୀଗାଁ ରେଞ୍ଜର କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଥିଲେ। ଏନେଇ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଛାଲ କେଉଁ ଶିକାରୀଙ୍କ ଠାରୁ ଆସିଛି ଏବଂ ଏହାକୁ କେଉଁଠାକୁ ଚାଲାଣ କରାଯିବାର ଯୋଜନା ଥିଲା। ସେ ସମ୍ପର୍କରେ ଏକ ସ୍ବତନ୍ତ୍ର ଟିମ୍ ତଦନ୍ତ କରୁଛି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫଓ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।