ବସ୍‌ ଡିକିରୁ ୨ ବସ୍ତା ଗଞ୍ଜେଇ ଜବତ, ୫ ଅଟକ

Sep 26, 2026 - 16:20
ବସ୍‌ ଡିକିରୁ ୨ ବସ୍ତା ଗଞ୍ଜେଇ ଜବତ, ୫ ଅଟକ

ବଲାଙ୍ଗୀ ର, ୨୬।୯(ସୁନିଲ କୁମାର ମହାନ୍ତି): ବସ୍‌ ଡିକିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରି ୫ ଜଣଙ୍କୁ ଅଟକ ରଖିଛି। ଅଟକ ବ୍ୟକ୍ତିମାନଙ୍କୁ ଅବକାରୀ ବିଭାଗ ପକ୍ଷରୁ ପଚରାଉଚରା କରାଯାଉଛି।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲା ବାଲିଗୁଡ଼ାରୁ ବଲାଙ୍ଗିର ଅଭିମୁଖେ ଏକ ଘରୋଇ ବସ୍‌ ଆସୁଥିଲା। ଏହି ସମୟରେ ଜଣେ ସ୍କୁଟି ଚାଳକ ଏକ ବ୍ୟାଗ୍‌ରେ ଗଞ୍ଜେଇ ଧରି ଆସୁଥିବା ଖବର ପାଇ ଅବକାରୀ ବିଭାଗ ତାଙ୍କୁ ରାସ୍ତାରେ ଅଟକାଇଥିଲା। ପଚରାଉଚରା ବେଳେ ସେ ଆଗରେ ଯାଉଥିବା ବସ୍‌ରେ ତାଙ୍କର ଅନ୍ୟ ସହଯୋଗୀମାନେ ଥିବା ଏବଂ ବସ୍‌ରେ ଗଞ୍ଜେଇ ଆଣୁଥିବା ସୂଚନା ଦେଇଥିବା ଜଣାପଡ଼ିଛି।

ଏହାପରେ ଅବକାରୀ ବିଭାଗର ମୋବାଇଲ୍‌ ଟିମ୍‌ ତୁରନ୍ତ ଏସ୍‌ପି ଅଫିସ୍‌ ନିକଟରେ ବସ୍‌ଟିକୁ ଅଟକାଇ ଯାଞ୍ଚ କରିଥିଲା। ବସ୍‌ ଭିତରୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ସନ୍ଦେହରେ ୩ ଜଣଙ୍କୁ ଧରିବା ସହ ବସ୍‌ ଡିକିରୁ ୨ ବସ୍ତା ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି।

ଅବକାରୀ ବିଭାଗ ଗଞ୍ଜେଇ ଜବତ କରିବା ସହ କଣ୍ଡକ୍ଟର, ହେଲ୍‌ପରଙ୍କ ସମେତ ମୋଟ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ଘଟଣା ସମ୍ପର୍କରେ ସେମାନେ କିଛି ଜାଣି ନ ଥିବା କହିଛନ୍ତି।

ତଦନ୍ତ ଚାଲିଥିବାରୁ ଏନେଇ ଅଧିକ କିଛି କହିବାକୁ ଅବକାରୀ ଅଧୀକ୍ଷକ ମନା କରିଛନ୍ତି। ଅପରାହ୍ନ ୩ଟା ୩୦ରେ ସାମ୍ବାଦିକ ସମ୍ମିଳନୀ କରାଯାଇ ଘଟଣା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ପ୍ରାଥମିକ ଭାବେ କନ୍ଧମାଳରୁ ବସ୍‌ ଯୋଗେ ଗଞ୍ଜେଇ ଆଣି ବଲାଙ୍ଗିର ରେଳଷ୍ଟେଶନରୁ ଟ୍ରେନ୍‌ ଯୋଗେ ବିଭିନ୍ନ ରାଜ୍ୟକୁ ଚାଲାଣ କରାଯାଉଥିବା ସୂଚନା ମିଳିଥିବା କୁହାଯାଉଛି। ଘଟଣାରେ ଅବକାରୀ ବିଭାଗର ତଦନ୍ତ ଜାରି ରହିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।