ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଅତ୍ୟାବଶ୍ୟକ ସାମଗ୍ରୀ ସଙ୍କଟ ଆଶଙ୍କା

Oct 29, 2026 - 11:06
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଅତ୍ୟାବଶ୍ୟକ ସାମଗ୍ରୀ ସଙ୍କଟ ଆଶଙ୍କା

ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଅନ୍ୟପଟେ, କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିକୁ ଉଭୟ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଅପରାହ୍ନରୁ ସିଲ କରାଯାଇଛି। ଫଳରେ ଦାରିଙ୍ଗବାଡ଼ିକୁ ଗଞ୍ଜାମ ଜିଲାର ସୋରଡ଼ା, କାଟୁ ଓ ସାଉଁଳେଇ ଅଞ୍ଚଳରୁ ଆସୁଥିବା ପନିପରିବା ଯୋଗାଣ ବନ୍ଦ ହୋଇଯାଇଛି। ଏହା ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବାଧାପ୍ରାପ୍ତ ହୋଇଥିବାରୁ ଆଗାମୀ ଦିନରେ ଅଞ୍ଚଳରେ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେବା ଆଶଙ୍କା ସୃଷ୍ଟି ହୋଇଛି।

ଦାରିଙ୍ଗବାଡ଼ି ଅଞ୍ଚଳକୁ ପ୍ରତିଦିନ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରୁ ଟନ ଟନ ପନିପରିବା ଆସିଥାଏ। ହେଲେ ଗାଜଲବାଡ଼ି ଘାଟି ବନ୍ଦ ହେବା ପରେ ଏହି ଯୋଗାଣ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଦାରିଙ୍ଗବାଡ଼ିରୁ ଗଞ୍ଜାମକୁ ଯିବା ପାଇଁ ବିକଳ୍ପ ରାସ୍ତା ନଥିବାରୁ ପନିପରିବା ସହ ଆଳୁ, ପିଆଜ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଆଣିବା କଷ୍ଟକର ହୋଇପଡ଼ିଛି। ଯଦି ଆଉ ଦିନେ ଦୁଇ ଦିନ ଏଭଳି ସ୍ଥିତି ଲାଗି ରହେ, ତେବେ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇପାରେ ବୋଲି ପନିପରିବା ବ୍ୟବସାୟୀ ସୀମାଞ୍ଚଳ ସାହୁ ଓ ଅମରେନ୍ଦ୍ର ପ୍ରଧାନ ଆଶଙ୍କା ପ୍ରକାଶ କରିଛନ୍ତି।

ଦାରିଙ୍ଗବାଡ଼ି ଅଞ୍ଚଳର ଲୋକେ ରାସନ ସାମଗ୍ରୀ ପାଇଁ ବ୍ରହ୍ମପୁର ଉପରେ ନିର୍ଭର କରୁଥିବାବେଳେ ପନିପରିବା ପାଇଁ କାଟୁ, ସୋରଡ଼ା ଓ ସାଉଁଳେଇ ଅଞ୍ଚଳ ଉପରେ ନିର୍ଭର କରିଥାନ୍ତି। ଗାଜଲବାଡ଼ି ଘାଟି ବନ୍ଦ ହେବା ଯୋଗୁ ଏହି ଯୋଗାଣ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡ଼ିଛି।

କେବଳ ବ୍ୟବସାୟ ନୁହେଁ, ଏହି ରାସ୍ତା ବନ୍ଦ ହେବା ଯୋଗୁ ଲୋକଙ୍କ ଯାତାୟାତ, ଜୀବିକା, ସ୍ବାସ୍ଥ୍ୟସେବା ଓ ଉଚ୍ଚଶିକ୍ଷା କ୍ଷେତ୍ର ମଧ୍ୟ ପ୍ରଭାବିତ ହେଉଛି। ପୂଜା ଛୁଟିରେ ଘରକୁ ଆସିଥିବା ଶହ ଶହ ଛାତ୍ରୀଛାତ୍ର ଏବେ ଗାଁରୁ ସହରକୁ ଫେରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Dharitri – Odisha’s No.1 Odia Daily

 

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।