ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଜଳବନ୍ଦୀ ଗାଁ ବୁଲି ସ୍ଥିତି ପରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ
ଗଞ୍ଜାମ,୩୦।୧୦(ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଅନେକ ଗାଁ ଜଳଘେରରେ ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଲୋକଙ୍କ ସମସ୍ୟାର ଆକଳନ କରି ତୁରନ୍ତ ସମାଧାନ ପାଇଁ ଆଗେଇ ଆସିଛନ୍ତି ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ। ଜଳବନ୍ଦୀ ଗାଁଗୁଡ଼ିକରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସମସ୍ୟା ବୁଝିବାକୁ ବିଧାୟକ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବର୍ଷା ଯୋଗୁ କେଉଁ କେଉଁ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିଛି, ଏହାର ଆକଳନ କରିବା ସହ ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚିବାକୁ ବିଧାୟକ ଗୁରୁତ୍ୱାରୋପ କରିଛନ୍ତି। ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ସହ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ବିଶେଷକରି ବର୍ଷାଜଳ ନିଷ୍କାସନ, ପ୍ରଭାବିତ ଲୋକଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି।
ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କ ନିକଟରେ ପ୍ରଶାସନିକ ସହାୟତା ପହଞ୍ଚାଇବା ଏବଂ ସେମାନଙ୍କ ଅସୁବିଧାର ତ୍ୱରିତ ସମାଧାନ କରିବା ଜରୁରୀ। ତେଣୁ ଜଳବନ୍ଦୀ ଅଞ୍ଚଳର ସ୍ଥିତି ନିୟମିତ ଅନୁଧ୍ୟାନ କରିବା ସହ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଓ ଲଗାଣ ବର୍ଷା ଯୋଗୁ ଉପୁଜିଥିବା ସମସ୍ୟାର ମୁକାବିଲା ପାଇଁ ପ୍ରଶାସନର ତ୍ୱରିତ ପଦକ୍ଷେପ ଉପରେ ଏବେ ପ୍ରଭାବିତ ଅଞ୍ଚଳବାସୀଙ୍କ ନଜର ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।