ଧୋଇଗଲା ବ୍ରିଜ୍‌ର ସଂଯୋଗୀକରଣ ରାସ୍ତା: ସୀତାପାଙ୍ଗା-ଅଡ଼ାଗାଡୁ ଯୋଗାଯୋଗ ବିଚ୍ଛିନ୍ନ

Oct 30, 2026 - 11:18
ଧୋଇଗଲା ବ୍ରିଜ୍‌ର ସଂଯୋଗୀକରଣ ରାସ୍ତା: ସୀତାପାଙ୍ଗା-ଅଡ଼ାଗାଡୁ ଯୋଗାଯୋଗ ବିଚ୍ଛିନ୍ନ

ଦାରିଙ୍ଗବାଡ଼ି, ୩୦।୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବର ପ୍ରଭାବରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଏକାଧିକ ସ୍ଥାନରେ ଭୂସ୍ଖଳନ ଏବଂ ବ୍ରିଜ୍‌ର ସଂଯୋଗୀକରଣ ରାସ୍ତା ଧୋଇଯିବା ଭଳି ଘଟଣା ସାମ୍ନାକୁ ଆସିଛି। ବିଶେଷକରି ବାଡ଼ାବାଙ୍ଗା ପଞ୍ଚାୟତର ଦୁର୍ଗମ ଅଞ୍ଚଳ ସୀତାପାଙ୍ଗାରୁ ଅଡ଼ାଗାଡୁକୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି।

ବାଡ଼ାବାଙ୍ଗା ପଞ୍ଚାୟତର ସୀତାପାଙ୍ଗା ଓ ଅଡ଼ାଗାଡୁ ଗ୍ରାମକୁ ସଂଯୋଗ କରୁଥିବା ବ୍ରିଜ୍ର ଉଭୟ ପାର୍ଶ୍ୱର ସଂଯୋଗୀକରଣ ରାସ୍ତା ବର୍ଷାଜଳର ପ୍ରଖର ସ୍ରୋତରେ ଧୋଇ ହୋଇଯାଇଛି। ଫଳରେ ଦୁଇ ଗ୍ରାମ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ବାଦଲଫଟା ବର୍ଷାରେ ପାହାଡ଼ିଆ ପାଣିର ପ୍ରଖର ସ୍ରୋତ ସ୍ଥାନୀୟ ସୂଚନା ଅନୁସାରେ, ବାତ୍ୟାର ପ୍ରଭାବରେ ମଙ୍ଗଳବାର ଓ ବୁଧବାର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ପାହାଡ଼ ଉପରୁ ତଳିଆ ଅଞ୍ଚଳକୁ ମାଡ଼ି ଆସିଥିବା ବର୍ଷାଜଳର ପ୍ରଖର ସ୍ରୋତରେ ବ୍ରିଜ୍‌ର ଉଭୟ ପାର୍ଶ୍ୱର ସଂଯୋଗୀକରଣ ରାସ୍ତା ଧୋଇଯାଇଛି।

ରାସ୍ତା ନଷ୍ଟ ହେବା ପରେ ସୀତାପାଙ୍ଗା ଓ ଅଡ଼ାଗାଡୁ ଗ୍ରାମବାସୀ ଯାତାୟାତ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଲୋକଙ୍କ ଦୈନନ୍ଦିନ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ତୁରନ୍ତ ରାସ୍ତାର ମରାମତି କରାନଗଲେ ଗ୍ରାମବାସୀଙ୍କ ସମସ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।