ବାତ୍ୟା ଆଶଙ୍କା: ୫ IASଙ୍କୁ ମିଳିଲା ପରିଚାଳନା ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଜିଲା…

Oct 25, 2026 - 15:56
ବାତ୍ୟା ଆଶଙ୍କା: ୫ IASଙ୍କୁ ମିଳିଲା ପରିଚାଳନା ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଜିଲା…

ଭୁବନେଶ୍ୱର,୨୫ା୧୦: ସମ୍ଭାବ୍ୟ ବାତ୍ୟା ଓ ଏହାର ପରବର୍ତ୍ତୀ ସ୍ଥିତିର ସଫଳ ପରିଚାଳନା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବାତ୍ୟା ଯୋଗୁ ଅଧିକ ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକରେ ରିଲିଫ, ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ୫ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ୫ଟି ଜିଲାର ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଛି।

ପ୍ରଶାସନିକ ସ୍ତରରେ ସମନ୍ବୟ ରକ୍ଷା କରିବା ଏବଂ ଗ୍ରାଉଣ୍ଡ ଲେଭେଲରେ ବାତ୍ୟା ମୁକାବିଲା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏହି ବରିଷ୍ଠ ଅଧିକାରୀମାନଙ୍କୁ ତୁରନ୍ତ ନିଜ ନିଜ ନିର୍ଦ୍ଧାରିତ ଜିଲାକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବରିଷ୍ଠ IAS ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ରାୟଗଡ଼ା ଜିଲା ଦାୟିତ୍ୱ ଦିଆଯାଇଛି। ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଠାରେ ପାଣିପାଗ ବିପର୍ଯ୍ୟୟ ସମୟରେ ବର୍ଷା ଓ ଭୂସ୍ଖଳନର ଭୟ ଥାଏ। ଏହାକୁ ଦୃଷ୍ଟିରେ ରଖି ସେ ଜିଲା ପ୍ରଶାସନ ସହ ମିଶି ଜରୁରୀକାଳିନ ପଦକ୍ଷେପ ନେବେ।

କୋରାପୁଟ ଜିଲାର ସୁରକ୍ଷା ଓ ପରିଚାଳନା ଦାୟିତ୍ୱ ଡ. ପୋମା ଟୁଡୁଙ୍କୁ ନ୍ୟସ୍ତ କରାଯାଇଛି। ବର୍ଷା ଓ ବନ୍ୟା ଆଶଙ୍କା ଥିବା ଅଞ୍ଚଳଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ଏବଂ ସ୍ବାସ୍ଥ୍ୟସେବା ଯୋଗାଇଦେବା ଉପରେ ସେ ଗୁରୁତ୍ୱ ଦେବେ।

ସେହିପରି ଗଜପତି ଜିଲାର ଦାୟିତ୍ୱ ସମ୍ଭାଳିବେ ବିଜୟ କୁମାର ଦାଶ। ଗଜପତି ଜିଲାର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଯୋଗାଯୋଗ ବ୍ୟବସ୍ଥା ଯେପରି ବିଚ୍ଛିନ୍ନ ନ ହୁଏ ଏବଂ ରିଲିଫ ସାମଗ୍ରୀ ଯେପରି ସଠିକ ସମୟରେ ପହଞ୍ଚିପାରିବ, ସେଥିପାଇଁ ସେ ସ୍ବତନ୍ତ୍ର ନଜର ରଖିବେ।

ଦୂରବର୍ତ୍ତୀ ତଥା ସୀମାନ୍ତ ଜିଲା ମାଲକାନଗିରି ଦାୟିତ୍ୱ ଡ. ୟେଦୁଲା ବିଜୟଙ୍କୁ ଦିଆଯାଇଛି। ଜଳବନ୍ଦୀ ହେବାର ସମ୍ଭାବନା ଥିବା ତଳିଆ ଅଞ୍ଚଳରେ ପାନୀୟ ଜଳ, ଶୁଖିଲା ଖାଦ୍ୟ ଓ ଜରୁରୀ ଔଷଧ ମହଜୁଦ୍‌ ରଖିବା ପ୍ରକ୍ରିୟାକୁ ସେ ତଦାରଖ କରିବେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।