ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

Sep 21, 2026 - 18:35
ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଲଘୁଚାପଜନିତ ଲଗାଣ ବର୍ଷା ବର୍ଷା ହେଉ କିମ୍ବା ବାତ୍ୟା ସମସ୍ତଙ୍କ ମନରେ ଭୂସ୍ଖଳନ ଭୟ। ଗତବର୍ଷ ହୋଇଥିବା ବିରାଟ ଭୂସ୍ଖଳନ ପରେ ପ୍ରାୟ ୪୭ ଦିନ କଳିଙ୍ଗା ଘାଟି ଦେଇ ଯାତାୟତ ବନ୍ଦ ରହିଥିଲା। ବିଭାଗ ଦ୍ୱାରା ଉକ୍ତ ସ୍ଥାନ ରେ ଅସ୍ଥାୟୀ ରାସ୍ତାରେ ନିର୍ମାଣ ପରେ ଯାନବାହନ ଚଳାଚଳ ସମ୍ଭବ ହୋଇଥିଲା।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଚଳିତ ମାସ ୨୩ ଓ ୨୪ ତାରିଖ ଦୁଇଦିନ ଧରି ସମ୍ଭାବ୍ୟ ବାତ୍ୟା ଯୋଗୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ଆଶଙ୍କାକୁ ଦୃଷ୍ଟିରେ ରଖି କଳିଙ୍ଗା ଘାଟି ବନ୍ଦ ରହିବା ନେଇ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ବେଦଭୂଷଣ ସୂଚନା ଦେଇଛନ୍ତି। ଏହି ଦୁଇଦିନ ମଧ୍ୟରେ ଯାତ୍ରୀବାହୀ ବସ ଓ ଅନ୍ୟାନ୍ୟ ଯାନବାହନ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିବ କୌଣସି ପରିସ୍ଥିତିରେ ମଧ୍ୟ ଜନସାଧାରଣ ଯିବା ଆସିବା କରିବେ ନାହିଁ।

ପ୍ରବଳ ବର୍ଷା ହେଲେ କଳିଙ୍ଗା ଘାଟିର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଆସିଲେ ପାହାଡ ଉପରୁ ବଡ ବଡ ପଥର କିମ୍ବା ମାଟି ଅତଡ଼ା ଖସିବାର ଆଶଙ୍କା ରହିଛି। ବିଶେଷ କରି ଭୂସ୍ଖଳନ ସ୍ଥାନରେ ମାଟି ଅତଡ଼ା ଖସିବା ସହ ଅଟକି ରହିଥିବା ବଡ ବଡ ପଥର ଖସିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ସମୟରେ ଧନ ଜୀବନର ସୁରକ୍ଷା ଅତି ଜରୁରୀ। ଏଣୁ ଚଳିତ ମାସ ୨୩ ଓ ୨୪ ତାରିଖ କଳିଙ୍ଗା ଘାଟି ବନ୍ଦ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ଓ ବର୍ଷା କମିବା ପରେ ବୈଷୟିକ ଟିମ କଳିଙ୍ଗା ଘାଟି ରାସ୍ତା ପରିଦର୍ଶନ କରିବ। ବାତ୍ୟା ଜନିତ ଅଘଟଣକୁ ରୋକିବା ପାଇଁ ଘାଟି ରାସ୍ତା ବନ୍ଦ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସମସ୍ତ ଜନସାଧାରଣ ତଥା ଯାନବାହନ ଚାଳକମାନେ ସମର୍ଥନ କରି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।