ବାତ୍ୟା ‘ମୁରାସୁ’ ପାଇଁ ଦାରିଙ୍ଗବାଡ଼ିରେ ଆଗୁଆ ପ୍ରସ୍ତୁତି: ୨୫ ପଞ୍ଚାୟତରୁ ୬୯୧ ଜଣଙ୍କୁ ଥଇଥାନ
ଦାରିଙ୍ଗବାଡ଼ି,୨।୧୧(ଅରୁଣ ସାହୁ): ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ବାତ୍ୟା ‘ମୁରାସୁ’କୁ ନେଇ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଦାରିଙ୍ଗବାଡ଼ି ବ୍ଲକର ୨୫ଟି ପଞ୍ଚାୟତର ଘଞ୍ଚ ଜଙ୍ଗଲ ଓ ପାହାଡ଼ ତଳେ ବସବାସ କରୁଥିବା ବିପଦପ୍ରବଣ ଲୋକଙ୍କୁ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ଖବର ଲେଖାଯିବା ସୁଦ୍ଧା ମୋଟ ୬୯୧ ଜଣଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳରେ ଥଇଥାନ କରାଯାଇଥିବାବେଳେ ସେମାନଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଛି।
ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ସମେତ ନିକଟସ୍ଥ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧୀ ସେବାକେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ପରିସରରେ ସେମାନଙ୍କ ରହିବା ବ୍ୟବସ୍ଥା କରାଯାଇଛି। ହାତୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତାମାଙ୍ଗି ଗ୍ରାମ ନିକଟସ୍ଥ କୁମ୍ଭାରିପଦର ଗ୍ରାମକୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରାଥମିକତା ଦିଆଯାଇଛି। ୨୦୧୮ ମସିହାରେ ବାତ୍ୟା ‘ଫନି’ ସମୟରେ ଏହି ଅଞ୍ଚଳରେ ପ୍ରଥମେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷାରେ ମଧ୍ୟ ଏଠାରେ ବାରମ୍ବାର ଭୂସ୍ଖଳନ ଘଟିଛି। ଏହି ବିପଦକୁ ଦୃଷ୍ଟିରେ ରଖି କୁମ୍ଭାରିପଦର ଗ୍ରାମର ସମସ୍ତ ବାସିନ୍ଦାଙ୍କୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବିଡିଓ ପ୍ରୀତିରଞ୍ଜନ ରଥ ସୂଚନା ଦେଇଛନ୍ତି।
ବିଡିଓଙ୍କ ନେତୃତ୍ୱରେ ଥଇଥାନ କାର୍ଯ୍ୟ ଜାରି ରହିଛି। ଏଥିରେ ତହସିଲଦାର ଧୀରଜ ପାତ୍ର, ସହକାରୀ ର୍ନିବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷାର ସେଠୀ, କନିଷ୍ଠ ଯନ୍ତ୍ରୀ ଧୀରେନ ସେଠୀ ଓ କମଳ ପାତ୍ର ସାମିଲ ହୋଇଛନ୍ତି। ସେହିପରି ଦାରିଙ୍ଗବାଡ଼ି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନା, ବ୍ରାହ୍ମଣୀଗାଁ ଥାନା ଆଇଆଇସି ବିଜୟ କୁମାର ହାଇବୁରୁ, ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା, ସମସ୍ତ ପଞ୍ଚାୟତ କାର୍ଯ୍ୟର୍ନିବାହୀ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟ ସରକାରୀ କର୍ମଚାରୀ ଦିନତମାମ ଲୋକଙ୍କୁ ଆଶ୍ରୟସ୍ଥଳକୁ ନେବା ଓ ଥଇଥାନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବିଡିଓ ରଥଙ୍କ କହିବା ଅନୁଯାୟୀ, ଏପର୍ଯ୍ୟନ୍ତ ଯେତିକି ଲୋକଙ୍କୁ ଆଶ୍ରୟସ୍ଥଳକୁ ଅଣାଯାଇଛି, ସେହି ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଲୋକଙ୍କ ସୁରକ୍ଷା ପାଇଁ ତାଙ୍କ ଟିମ ଆଜି ରାତିସାରା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କାର୍ଯ୍ୟ ଜାରି ରଖିବ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।