ବାବେବିରା ଗାଁରେ ଶୋକର ଛାୟା, ମଳୟଙ୍କ ପରିବାରକୁ ଭେଟିଲେ ଦୂତୀ ଚାନ୍ଦ

Oct 26, 2026 - 16:44
ବାବେବିରା ଗାଁରେ ଶୋକର ଛାୟା, ମଳୟଙ୍କ ପରିବାରକୁ ଭେଟିଲେ ଦୂତୀ ଚାନ୍ଦ

ଅତାବିରା,୨୬।୧୦(ଯୁଧିଷ୍ଠିର ମହାପାତ୍ର ): ଯେଉଁ ମାଟିରେ ଦିନେ ଖେଳି ଖେଳି ବଡ଼ ହେବାର ସ୍ୱପ୍ନ ଦେଖିଥିଲେ, ସେହି ମାଟି ଆଜି ତା’ର ସୁନାପୁଅକୁ ହରାଇ ସ୍ତବ୍ଧ । ଯାହାଙ୍କ ପାଦରେ ଥିଲା ଦ୍ରୁତଗତିର ସ୍ପନ୍ଦନ, ଆଖିରେ ଥିଲା ଆକାଶ ଛୁଇଁବାର ସ୍ୱପ୍ନ, ସେହି ଉଦୀୟମାନ ଧାବକ ମଳୟ ବାରିକଙ୍କ ଅକାଳ ବିୟୋଗ ଆଜି ସମସ୍ତଙ୍କ ହୃଦୟକୁ ଶୋକାକୁଳ କରିଛି । ଦୁର୍ଘଟଣାରେ ମଳୟଙ୍କ ଅକାଳ ମୃତ୍ୟୁରେ ବରଗଡ଼ ଜିଲା ଅତାବିରା ବାବେବିରା ଗାଁରେ ଖେଳିଯାଇଛି ଶୋକର ଛାୟା।
ସୋମବାର ଓଡ଼ିଶାର ଗର୍ବ ତଥା ଅନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ ବାବେବିରା ଗାଁରେ ପହଞ୍ଚି ମଳୟଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ଗଭୀର ସମବେଦନା ଜଣାଇଥିଲେ । ଦିବଙ୍ଗତ ମଳୟଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଧରିବାକୁ ସାନ୍ତ୍ୱନା ଦେଇଥିଲେ।
ଏହି ଦୃଶ୍ୟ ଆହୁରି ହୃଦୟବିଦାରକ ହୋଇଉଠିଥିଲା, ଯେତେବେଳେ ମଳୟଙ୍କ କୋଚ୍‌ ଶିବ ପ୍ରସାଦ ମିଶ୍ର ତାଙ୍କ ପ୍ରିୟ ଶିଷ୍ୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅଶ୍ରୁସଜଳ ଆଖିରେ ମଳୟଙ୍କ ସ୍ମୃତିକୁ ମନେ ପକାଇ ସେ ନିଜର ଭାବାବେଗକୁ ରୋକି ପାରି ନ ଥିଲେ। ଜଣେ କୋଚ୍‌ଙ୍କ ପାଇଁ ଶିଷ୍ୟ କେବଳ ଖେଳାଳି ନୁହେଁ, ବରଂ ତାଙ୍କ ସ୍ୱପ୍ନ ଓ ପରିଶ୍ରମର ପ୍ରତିଫଳନ। ମଳୟଙ୍କ ଅନୁପସ୍ଥିତି ତାଙ୍କ ପରିବାର ସହ କ୍ରୀଡ଼ାଜଗତ ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି।
ଏହି ସମୟରେ ମଳୟଙ୍କ ବାପା ମଧୁସୂଦନ ବାରିକ, ମାଆ ଗିରିଜା ପ୍ରଧାନ ଏବଂ ପଡୋଶୀ ବୀରେନ୍ଦ୍ର କରଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ସମସ୍ତଙ୍କ ମନରେ ଥିଲା ମଳୟଙ୍କ ସହ ବିତାଇଥିବା ସ୍ମୃତି ଏବଂ ତାଙ୍କ ଅଧୁରା ସ୍ୱପ୍ନକୁ ନେଇ ଅସରନ୍ତି ବେଦନା।

ଅନ୍ୟପକ୍ଷରେ, ଦୁର୍ଘଟଣାରେ ମଳୟଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସେ ଅଭିଭାବକଙ୍କ ବିନା ଅନୁମତିରେ କିପରି ହଷ୍ଟେଲରୁ ବାହାରିଲେ, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦୂତୀ ଚାନ୍ଦ । ଏହି ଘଟଣାର ପ୍ରକୃତ କାରଣ ଓ ହଷ୍ଟେଲର ଦାୟିତ୍ୱ ସମ୍ପର୍କରେ ସତ୍ୟ ସାମ୍ନାକୁ ଆଣିବା ପାଇଁ ସରକାରଙ୍କ ନିକଟରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଏନେଇ ଦ୍ରୁତ ଧାବିକା ଦୂତୀ ଚାନ୍ଦ କହିଛନ୍ତି ସମ୍ପୃକ୍ତ କତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ପାଇଁ ଅକାଳରେ ଚାଲିଗଲା ୨ କ୍ରୀଡ଼ା ପ୍ରତିଭାଙ୍କ ଜୀବନ । କେଉଁ ପରିସ୍ଥିତିରେ ପିଲାମାନେ ବାହାରକୁ ଯାଇଥିଲେ ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।  ରାଜ୍ୟ ସରକାର ମଳୟଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହଯୋଗ କରିବାକୁ ଅନୁରୋଧ କରୁଛି ବୋଲି ମଧ୍ୟ ଦୂତୀ ଚାନ୍ଦ ସାକ୍ଷାତକାର ଦେଇ କହିଛନ୍ତି  ।

ମଳୟ ଆଉ ଫେରିବେ ନାହିଁ, ତାଙ୍କ ପାଦର ଦ୍ରୁତଗତି ଆଉ ଟ୍ରାକ୍‌ରେ ଦେଖିବାକୁ ମିଳିବ ନାହିଁ। ହେଲେ ତାଙ୍କୁ ନେଇ ଦେଖାଯାଇଥିବା ସ୍ୱପ୍ନ, ତାଙ୍କ ପ୍ରତିଭା ଓ ସ୍ମୃତି ସବୁଦିନ ପାଇଁ ରହିବ। ଜନ୍ମମାଟି ବାବେବିରା ଆଜି ନିଜ ସୁନାପୁଅକୁ ଝୁରୁଛି, ଆଉ ତାଙ୍କ ଅକାଳ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ପୂରଣ କରିବା ହୁଏତ କେବେ ସମ୍ଭବ ହେବ ନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।