ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡ଼ିଲା ଷଣ୍ଢ

Nov 01, 2026 - 16:20
ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡ଼ିଲା ଷଣ୍ଢ

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ଅଧୀନ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଇଲାକାରେ ଅବାଧ ବନ୍ୟଜନ୍ତୁ ଶିକାର ଦିନକୁ ଦିନ ବଢ଼ି ଚାଲିଛି। ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ନୂଆଗଡ଼, ତେଲିଆପଲ୍ଲୀ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ରବିବାର ସକାଳେ ଏକ ଷଣ୍ଢ ଫସିଯାଇଥିଲା। ଖୋଲଡ଼ି ଗ୍ରାମର ଏହି ଷଣ୍ଢଟି ଖାଦ୍ୟ ଅନ୍ବେଷଣରେ ସେଠାକୁ ଯାଇ ଘାସ ଖାଉଥିବା ବେଳେ ତାର ଗୋଡ଼ରେ ଫାଶର ତାର ଛନ୍ଦି ହୋଇଯାଇଥିଲା। ବହୁକଷ୍ଟରେ ସେ ସେଠାରୁ ଖୋଲଡ଼ି ଗାଁକୁ ଚାଲିଆସିବା ପରେ କିଛି ଯୁବକ ଦେଖି ଷଣ୍ଢର ଗୋଡ଼ରେ ଲାଗିଥିବା ଉକ୍ତ ଫାଶକୁ କାଢ଼ିବା ପାଇଁ ଚେଷ୍ଟା କରିଥିବା ବେଳେ ସେଥିରେ ସଫଳ ହୋଇ ନ ଥିଲେ। ପରେ ଗ୍ରାମର ସାମାଜିକ କର୍ମୀ ଜେ. ମୁନା ଦୋରା ଦିଗପହଣ୍ଡି ଅଗ୍ନିଶମ ବାହିନୀ ଏବଂ ପ୍ରାଣୀ ଉଦ୍ଧାରକାରୀ ଟିମ୍‌କୁ ଫୋନ୍‌ କରି ସୂଚନା ଦେବାପରେ ସେମାନେ ପହଞ୍ଚି ଦୀର୍ଘ ୧ ଘଣ୍ଟାର ପରିଶ୍ରମ ପରେ ଷଣ୍ଢର ଗୋଡ଼ରେ ଛନ୍ଦି ହୋଇରହିଥିବା ଫାଶ ତାରଗୁଡ଼ିକୁ ସୁରକ୍ଷିତ ଅବସ୍ଥାରେ କାଟିବା ସହ କ୍ଷତ ଶୁଖିବା ପାଇଁ ଇଞ୍ଜେକସନ ଦେଇଥିଲେ। ପରେ ଷଣ୍ଢଟି ମୁକ୍ତ ହୋଇଥିଲା।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।