ବନ୍ୟା କ୍ଷତ ଶୁଖିନି, ପୁଣି ବାତ୍ୟା ଆଶଙ୍କା, ଅଞ୍ଚଳବାସୀଙ୍କୁ ସତର୍କ କରି ପ୍ରଶାସନ…

Nov 01, 2026 - 19:10
ବନ୍ୟା କ୍ଷତ ଶୁଖିନି, ପୁଣି ବାତ୍ୟା ଆଶଙ୍କା, ଅଞ୍ଚଳବାସୀଙ୍କୁ ସତର୍କ କରି ପ୍ରଶାସନ…

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପାଣି ଘରୁ ନ ଶୁଖୁଣୁ ପୁଣି ୨, ୩ ଓ ୪ ତାରିଖରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ଆଶଙ୍କାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ଛତ୍ରପୁର ଉପଜିଲାପାଳ ଡଃ ଶିବାଶିଷ ବରାଳଙ୍କ ତତ୍ତ୍ୱାବଧାନରେ ପୁରୁଷୋତ୍ତମପୁର ଏନ୍‌ଏସି ସମେତ ବ୍ଲକର ସମସ୍ତ ଗ୍ରାମରେ ସତର୍କତା ଲାଗି ସଚେତନ କରିବାରେ ଲାଗିଛନ୍ତି। ନଦୀକୂଳିଆ ଅଞ୍ଚଳ ଓ ବିପଦସଙ୍କୁଳ ସ୍ଥାନରେ ରହୁଥିବା ଲୋକମାନେ ସତର୍କ ରହିବା। ପ୍ରଶାସନର ନିର୍ଦ୍ଦେଶ ମାନି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦଇଛନ୍ତି। ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନେବାକୁ କୁହାଯାଇଛି। ପ୍ରବାହିତ ନଦୀ, ନାଳ କିମ୍ବା ଜଳମଗ୍ନ ରାସ୍ତା ପାର ନ ହେବା, ବିଦ୍ୟୁତ୍‌ ଖୁଣ୍ଟ, ତାର ଓ ବଡ଼ ଗଛଠାରୁ ଦୂରେଇ ରହିବା ଲାଗି କହି ଘରେ ଆବଶ୍ୟକ ପରିମାଣର ଶୁଖିଲା ଖାଦ୍ୟ, ପିଇବା ପାଣି, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖିବା, ପିଇବା ପାଣିକୁ ଫୁଟାଇ ବ୍ୟବହାର କରିବା, ଗୃହପାଳିତ ପଶୁ ପକ୍ଷୀଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବା ସହ କୌଣସି ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇ କେବଳ ପ୍ରଶାସନ ଓ ପାଣିପାଗ ବିଭାଗର ସରକାରୀ ସୂଚନାକୁ ଅନୁସରଣ କରି ସତର୍କ ଓ ସୁରକ୍ଷିତ ରହିବାକୁ ନିବେଦନ କରାଯାଇଛି। ପୂର୍ବ ବନ୍ୟାର କ୍ଷତ ଶୁଖି ନ ଥିବା ବେଳେ ପୁଣି ବାତ୍ୟା, ବର୍ଷା ଆଶଙ୍କା ବିପନ୍ନଙ୍କ ଚିନ୍ତା ବଢ଼ାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।