ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

Oct 01, 2026 - 12:43
ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା । ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ଉପର ଦେଇ ଯାଇଥିବା ବିଦ୍ୟୁତ୍ କେବୁଲରେ ସର୍ଟସର୍କିଟ ଯୋଗୁଁ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ କେବୁଲରେ ହୁତୁ ହୁତୁ ହୋଇ ନିଆଁ ଜଳିବାକୁ ଲାଗିଥିଲା। ବିସ୍ଫୋରଣ ଶବ୍ଦ ଶୁଣି କାର୍ଯ୍ୟାଳୟ ପରିସରରେ ଥିବା କର୍ମଚାରୀ ଓ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ଏନେଇ ତୁରନ୍ତ ବିଦ୍ୟୁତ୍ ବିଭାଗ ଓ ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆଯାଇଥିଲା। ବିଦ୍ୟୁତ୍ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ୍ ସଂଯୋଗ କାଟି ଦେଇଥିଲେ। ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏକ ବଡ଼ ଧରଣର ବିପଦ ଟଳିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଉଲ୍ଲେଖଯୋଗ୍ୟ, ଗତ ଦୁଇ ଦିନ ହେଲା ବାଲେଶ୍ୱର ସହରରେ ଲଗାତାର ବ୍ୟବସାୟିକ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ନିଆଁ ଲାଗୁଛି । ବୁଧବାର ସହଦେବଖୁଣ୍ଟା ହିରୋ ସୋ-ରୁମ ଓ ଶ୍ରୀ ଟ୍ରେଡ଼ର୍ସରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିଆଁ ଲାଗିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।