ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍
ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର ଲିକ୍୍ହେବା ଘଟଣା ସାମ୍ନାକୁ ଆସିଛି। ଏହା ପରେ ଶନିବାର ହେବାକୁ ଥିବା ପରୀକ୍ଷାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥଗିତ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲା ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାର ପ୍ରାୟ ୫୨ କେନ୍ଦ୍ରରେ ପରୀକ୍ଷାକୁ ସ୍ଥଗିତ କରାଯାଇଛି।
ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ପ୍ରଧାନଙ୍କ ସୂଚନା ଅନୁସାରେ, ଶନିବାର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଅପରାହ୍ନ ୨ଟାରୁ ୫ଟା ଯାଏ + ୩ ଦ୍ବିତୀୟ ସେମିଷ୍ଟରର ଏଇସିସି ଇଂଲିଶ୍ ପରୀକ୍ଷା ହେବାର ଥିଲା। କିନ୍ତୁ ପୂର୍ବାହ୍ନ ୧୧ଟାରେ କେତେଜଣ ଛାତ୍ରୀଛାତ୍ର ହ୍ବାଟ୍ସଆପ୍ରେ ଏଇସିସି ପ୍ରଶ୍ନପତ୍ର ଘୂରି ବୁଲୁଥିବା ପରୀକ୍ଷା ନିୟନ୍ତ୍ରକ ପ୍ରଧାନଙ୍କୁ ଜଣାଇଥିଲେ। ଛାତ୍ରୀଛାତ୍ରମାନେ ତାଙ୍କୁ ୪ରୁ ୫ଟି ଭିନ୍ନ ପ୍ରଶ୍ନପତ୍ର ଦେଖାଇଥିଲେ। ସେଥିରୁ ଗୋଟିଏ ପ୍ରଶ୍ନପତ୍ର ଶନିବାର ହେବାକୁ ଥିବା ଏଇସିସି ଇଂଲିଶ ପରୀକ୍ଷାର ମୂଳ ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଜଣାପଡ଼ିଥିଲା।
ପରୀକ୍ଷାର ସ୍ବଚ୍ଛତା ଏବଂ ବିଶ୍ୱସନୀୟତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ପରୀକ୍ଷାକୁ ସ୍ଥଗିତ କରିଥିଲେ। ଏହାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୋରାପୁଟ ସାଇବର ଥାନାରେ ଅଭିଯୋଗ କରାଯାଇଛି। ପରୀକ୍ଷା ସ୍ଥଗିତ କରାଯାଇଥିବା ନେଇ ଅବିଭକ୍ତ କୋରାପୁଟ ଜିଲାର ପ୍ରାୟ ୫୨ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କୁ ଅବଗତ କରାଯାଇଛି।
ଘଟଣା ପଛରେ କିଛି ଅସାମାଜିକ ବ୍ୟକ୍ତିଙ୍କ ହାତ ଥାଇପାରେ ଓ ଛାତ୍ରୀଛାତ୍ରଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଏଭଳି ପ୍ରଶ୍ନପତ୍ର ଲିକ୍ କରାଯାଇଥିବା ପରୀକ୍ଷା ନିୟନ୍ତ୍ରକ ପ୍ରଧାନ କହିଛନ୍ତି। ଏ ନେଇ ତଦନ୍ତ ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ। ଛାତ୍ରୀଛାତ୍ର କୌଣସି ଗୁଜବ କିମ୍ବା ହ୍ବାଟ୍ସଆପ୍ରେ ପ୍ରଚାରିତ ବାର୍ତ୍ତାରେ ବିଭ୍ରାନ୍ତ ନ ହେବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସ୍ଥଗିତ ପରୀକ୍ଷା ପାଇଁ ନୂତନ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବା ପରେ ପରୀକ୍ଷାର ନୂତନ ତାରିଖ ଓ ସମୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ପ୍ରଧାନ ସୂଚନା ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।