ବିଜ୍ଞାନର ଅନିୟନ୍ତ୍ରିତ ପ୍ରୟୋଗ

Oct 29, 2026 - 08:36
ବିଜ୍ଞାନର ଅନିୟନ୍ତ୍ରିତ ପ୍ରୟୋଗ

ମଣିଷର ବିକାଶ ଯାତ୍ରା ଦ୍ରୁତଗତିରେ ବଢ଼ିଚାଲିଛି। ବିକାଶ ଯାତ୍ରାରେ ନିଜକୁ ସାମିଲ କରି ମଣିଷର ଅହଂକାର ନିଶ୍ଚିତରୂପେ ଧୀରେ ଧୀରେ ଉଗ୍ର ହେବା ସ୍ବାଭାବିକ। ବିଜ୍ଞାନକୁ ଅସ୍ତ୍ର କରି ମଣିଷ ନିଜ ପାଇଁ ଯାହା ଆବଶ୍ୟକ ସେଥିନିମନ୍ତେ ପ୍ରୟାସ କରି ସଫଳ ହେଉଛି। ଆମେ ନିଶ୍ଚିତ ରୂପେ ଭାଗ୍ୟବାନ। କାରଣ ତିନି ଲୋକର ଆବିଷ୍କାର ସହ ସେଥିରେ ନିଜକୁ ସଂଶ୍ଳିଷ୍ଟ କରାଇବାରେ ଆମେ ବହୁ ଆଗରେ। ପଥରକୁ ପଥର ସହ ଘଷି ସେଥିରୁ ନିଅଁା ଆବିଷ୍କାର କରୁକରୁ ନିଅଁାକୁ ପକେଟ୍‌ ଭିତରେ ପୂରେଇ ତାକୁ ଆୟତ୍ତ କରିବା ବିଜ୍ଞାନର ଚମତ୍କାରିତା।
ଏକ ସୁସ୍ଥ ସୁନ୍ଦର ଜୀବନ ପାଇଁ ବିଜ୍ଞାନ ତଥା ବୈଷୟିକ ଜ୍ଞାନକୌଶଳର ଅବଦାନକୁ ଅସ୍ବୀକାର କରାଯାଇପାରିବନାହିଁ। ବିଜ୍ଞାନର ସୃଷ୍ଚି ମଣିଷ ଜାତିର ପ୍ରଗତି ତଥା ସୁରକ୍ଷା ପାଇଁ। ବୈଷୟିକ ଜ୍ଞାନକୌଶଳରୁ ପ୍ରଯୁକ୍ତି ବିଜ୍ଞାନ, ଭେଷଜରୁ ଯାନ୍ତ୍ରିକ, ନିଦାନରୁ ମହାକାଶ, କୃଷିରୁ କୌଳିକ ବୃତ୍ତି ସହ ବାଣିଜ୍ୟ ବ୍ୟବସାୟ ପରିବହନ କ୍ଷେତ୍ରରେ ଯେଉଁ ସୁଫଳ ମଣିଷକୁ ମିଳିଛି ତାହା ବିଜ୍ଞାନର ଅଗ୍ରଗତି। ଜୀବନର ଆଶା ଅଭିଳାଷକୁ ପୂରଣ କରି ବଞ୍ଚତ୍ବାର ଏକ ନୂଆ ସୂର୍ଯ୍ୟୋଦୟ ଆଡ଼କୁ ଆକୃଷ୍ଟ କରିଚାଲିଛି ବିଜ୍ଞାନ। ମଣିଷର ବିଶ୍ୱାସକୁ ମଜଭୁତ କରି ଜୀବନକୁ ଆନନ୍ଦମୟ କରିବାକୁ ଆଶ୍ୱାସନା ଯୋଗାଇଛି। ନିରୁତ୍ସାହିତ ଜୀବନ, ଭଙ୍ଗା ମନକୁ ସଜାଡ଼ିବାର ପୂର୍ଣ୍ଣ ପ୍ରୟାସରେ ବିଜ୍ଞାନ ବ୍ରତୀ ହେବାବେଳେ ତା’ ଚିନ୍ତା ଚେତନାକୁ ଧ୍ବଂସାଭିମୁଖୀ ଆଡ଼କୁ ଟାଣି ନେଉଛନ୍ତି କିଛି ଭସ୍ମାସୁରମାନେ। ପୃଷ୍ଠପୋଷକ ସାଜିଛନ୍ତି ତା’ର ପରିଚାଳକଗଣ।
ବିଜ୍ଞାନର ପ୍ରତିଟି ଉପହାର ସମାଜ ପାଇଁ ଉପାଦେୟ ସାବ୍ୟସ୍ତ ହୋଇଛି। ବିଛଣାରୁ ଉଠିବାରୁ ରାତି ବିଶ୍ରାମଯାଏ, ଜନ୍ମରୁ ମଶାଣି ପର୍ଯ୍ୟନ୍ତ ସବୁଠି ବିଜ୍ଞାନର ଚମତ୍କାରିତା ଆତ୍ମବିଭୋର କରିଛି ମାନବଜାତିକୁ। ଯେତେ ସଭ୍ୟତା ବିକଶିତ ହେଉଛି, ମଣିଷର ଜୀବନଶୈଳୀ ସେତେ ବିଶୃଙ୍ଖଳିତ ହେବାରେ ଲାଗିଛି। ଅତ୍ୟାଧୁନିକ ଶୈଳୀରେ ବଞ୍ଚତ୍ବାର ଦ୍ୱାହି ଦେଇ ସେ ନିଜକୁ ନିଜେ ହତ୍ୟା କରିଚାଲିଛି। ଏସବୁପାଇଁ ବୈଜ୍ଞାନିକ ଜ୍ଞାନକୌଶଳ ଦାୟୀ। ଖାଦ୍ୟକୁ କରୁଛି ଅପମିଶ୍ରିତ, ବିଷାକ୍ତମୟ, ଦୀର୍ଘାୟୁ ମଣିଷକୁ ଜରାଜୀର୍ଣ୍ଣ ରୋଗାଗ୍ରସ୍ତ ତଥା ଯନ୍ତ୍ରଣାମୟ କରିବାରେ ବିଜ୍ଞାନ ଆଗରେ। ବିଜ୍ଞାନକୁ ଆଜି ପଥଭ୍ରଷ୍ଟ, ଦୃଷ୍ଟିହୀନ ଏବଂ ବଧିର ଚେତାଶୂନ୍ୟ ଅବସ୍ଥାରେ ଅଧିଷ୍ଠିତ କରିବାରେ ଲାଗି ପଡ଼ିଛନ୍ତି କିଛି ବିଜ୍ଞାନ ପୁରୁଷମାନେ। ବିଜ୍ଞାନର ଦୁରୁପଯୋଗ ଦିନକୁଦିନ ବୃଦ୍ଧି ହେବାରେ ଲାଗିଛି। ବିଜ୍ଞାନର ଅପବ୍ୟବହାର ଏବଂ ଅନିୟନ୍ତ୍ରିତ ପ୍ରୟୋଗ ବିଶ୍ୱପାଇଁ ବିପଦ ସୃଷ୍ଟି କରିବା ସ୍ବାଭାବିକ। ଅତ୍ୟାଧୁନିକ ଶୈଳୀରେ ନିର୍ମିତ ହତିଆର, ଯୁଦ୍ଧ ବିମାନ, ମିଶାଇଲର ବାସ୍ତବିକ ଆବଶ୍ୟକତା କ’ଣ? ଏଠି ନିଜକୁ ସୁରକ୍ଷିତ ରଖିବା ଅପେକ୍ଷା ଅନ୍ୟକୁ ଆଘାତ ଏବଂ ବିନାଶ କରିବା ଲକ୍ଷ୍ୟରେ ବିଜ୍ଞାନ ଅଧିକ ସକ୍ରିୟ। ଆବଶ୍ୟକତାଠାରୁ ଅଧିକ କଳ କାରଖାନା ପ୍ରତିଷ୍ଠା ଏବଂ ଉତ୍ପାଦନ ବିଶ୍ୱର ବାୟୁ, ଜଳ ଏବଂ ସ୍ଥଳ ଆଦି ଉପରେ କୁପ୍ରଭାବ ସୃଷ୍ଚି କରିଚାଲିଛି। ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର ଦ୍ୱାରା ଜଳବାୟୁ ପରିବର୍ତ୍ତନ ଜୀବଜଗତ ପାଇଁ ବିପଦପୂର୍ଣ୍ଣ ବାତାବରଣ ଉତ୍ପନ୍ନ ହେବା ଏକ ଚିନ୍ତାର କାରଣ। ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତ୍ତା ମଣିଷର ସୃଜନଶୀଳତାକୁ ଧୀରେ ଧୀରେ ନଷ୍ଟ କରୁଛି। ଗୋପନୀୟତା ତଥା ମାନବୀୟ ସ୍ବାଧୀନତାର ସ୍ବତନ୍ତ୍ରତାକୁ ଦାୟିତ୍ୱହୀନରୂପେ ପ୍ରଦର୍ଶନ କରିବା ଅନେକ ସମୟରେ ଦ୍ୱନ୍ଦ୍ୱପୂର୍ଣ୍ଣ ପରିସ୍ଥିତିକୁ ଡାକିଆଣିବା ସଦୃଶ।
ଆଧୁନିକ ବୈଜ୍ଞାନିକ ଜ୍ଞାନକୌଶଳରେ ଉତ୍ପାଦିତ ପ୍ରତିଟି ଉପହାରରେ କୃତ୍ରିମତ୍ତା, ବିଷାକ୍ତ ଏବଂ ଶାରୀରିକ ଅବକ୍ଷୟତା ହିଁ ଲୁଚି ରହିଛି। ସବୁ ଶାରୀରିକ ଓ ମାନସିକ ସୁଖ ପ୍ରଦାନକାରୀ ଖାଦ୍ୟପଦାର୍ଥ, ଅଙ୍ଗବସ୍ତ୍ର, ଆସବାସ, ରୂପଚର୍ଯ୍ୟା ଏବଂ ବିଳାସମୟ ଉପଭୋଗ୍ୟ ସାମଗ୍ରୀର ଉପଯୋଗ ଆମକୁ ବିକଳାଙ୍ଗ କରୁନାହିଁ ତ? ସୁସ୍ଥ ତଥା ନୀରୋଗ ଜୀବନ ଅର୍ଥାତ୍‌ ସମାଜକୁ ରୋଗମୁକ୍ତ ପାଇଁ ଭେଷଜ ବିଜ୍ଞାନର ଆବଶ୍ୟକତାକୁ ଏଡ଼େଇ ହେବନି। ଔଷଧକୁ ପ୍ରସ୍ତୁତି ପାଇଁ ବ୍ୟବହାର ପ୍ରତିଟି ଉପାଦାନ ଶରୀର ପାଇଁ କେତେ ଅନୁପଯୋଗୀ କେହି କେବେ ଚିନ୍ତା କରନ୍ତି କି?ବିଶ୍ୱକୁ ଶକ୍ତିଶାଳୀ, ବିକଶିତ ଏବଂ ଉନ୍ନତ ଲକ୍ଷ୍ୟରେ ପ୍ରୟାସ କରି ବିଜ୍ଞାନ ବିଶ୍ୱକୁ ପ୍ରଦୂଷିତ ଏବଂ ଯନ୍ତ୍ରଣା ଜର୍ଜରିତ କରିଚାଲିଛି। ବିଜ୍ଞାନ ଆଜି ନୀତିହୀନ, ଦାୟିତ୍ୱହୀନ, ମୂଲ୍ୟବୋଧହୀନ ପଥରେ ପଥିକ ହୋଇ ବିକାଶ ଓ ପ୍ରଗତି ନାମରେ ବିଶ୍ୱଜୟୀ ହେବାରେ ଯେଉଁ ସ୍ବପ୍ନ ଦେଖୁଛି, ତାହା ମାନବ ମଙ୍ଗଳ ପାଇଁ ଭରସାଯୋଗ୍ୟ ଲାଗୁନି।

ଡ. ମନୋଜ କୁମାର ମହାନ୍ତି
ଦର୍ଶନ ବିଭାଗ ମୁଖ୍ୟ
ବିଏନ୍‌ଏମ୍‌ଏ ମହାବିଦ୍ୟାଳୟ, ଭଦ୍ରକ
ମୋ: ୮୮୯୫୩୪୧୦୩୩


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।