ବିଦ୍ୟାଭାରତୀଙ୍କୁ ବଡ଼ ଝଟ୍‌କା: ମିଳିଲାନି ଅନ୍ତରୀଣ ସୁରକ୍ଷା

Oct 24, 2026 - 08:37
ବିଦ୍ୟାଭାରତୀଙ୍କୁ ବଡ଼ ଝଟ୍‌କା: ମିଳିଲାନି ଅନ୍ତରୀଣ ସୁରକ୍ଷା

କଟକ,୨୪।୧୦(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆଗୁଆ ଜାମିନ ଆବେଦନରେ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଯୋଗାଇ ଦେବାକୁ ମନା କରିଛନ୍ତି। ଏଥିସହ ତଦନ୍ତକାରୀ ସଂସ୍ଥା କେସ୍‌ ଡାଏରୀ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ପ୍ରଥମ ସପ୍ତାହରେ କରିବାକୁ ଧାର୍ଯ୍ୟ ହୋଇଛି। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତରେ ବ୍ୟକ୍ତିଗତ ହାଜରରୁ ଛାଡ଼ ପାଇଁ ସୁପ୍ରିମକୋର୍ଟରୁ ନିରାଶ ହେବା ପରେ ବିଦ୍ୟାଭାରତୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଏପରି ସ୍ଥିତିରେ ତାଙ୍କ ଗିରଫଦାରି ଆଶଙ୍କା ରହିଛି।
ସୂଚନାନୁସାରେ, ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଚାଲେଞ୍ଜ କରି ସେ ପ୍ରଥମେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ସେପ୍ଟେମ୍ବର ୩ରେ ଆଦେଶରେ ବିଦ୍ୟାଭାରତୀଙ୍କ ବ୍ୟକ୍ତିଗତ ହାଜରରୁ ଛାଡ଼ ପାଇଁ ଆବେଦନକୁ ଖାରଜ କରିବା ସହ ଅକ୍ଟୋବର ୧ ସୁଦ୍ଧା ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶକୁ ଚାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ତେବେ ସେ ଚାହିଁଲେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିପାରିବେ ବୋଲି ସ୍ପଷ୍ଟ କରିବା ସହ ମାମଲାର ଅନ୍ତ ଘଟାଇଥିଲେ। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାଖଲ ପ୍ରକ୍ରିୟା ଜାରି ରହିଥିବା ଦର୍ଶାଇ ବିଦ୍ୟାଭାରତୀଙ୍କ ଓକିଲ ଏସ୍‌ଡିଜେଏମ୍‌ ଅଦାଲତରେ ହାଜର ପାଇଁ ଧାର୍ଯ୍ୟ ସମୟ ବୃଦ୍ଧି କରିବାକୁ ପ୍ରାର୍ଥନା କରିଥିଲେ। ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ବିଦ୍ୟାଭାରତୀଙ୍କ ହାଜର ସମୟସୀମା ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଆଗୁଆ ଜାମିନ ଆବେଦନରେ ବିଦ୍ୟାଭାରତୀଙ୍କୁ ଯଦି କୌଣସି ଅନ୍ତରୀଣ ସୁରକ୍ଷା ନ ମିଳେ, ତେବେ ତାଙ୍କୁ ଅକ୍ଟୋବର ୩୦ ସୁଦ୍ଧା ନିମ୍ନ ଅଦାଲତରେ ହାଜର ହେବାକୁ ପଡ଼ିବ। ଏପରି ସ୍ଥିତିରେ ତାଙ୍କ ଗିରଫଦାରି ଆଶଙ୍କା ରହିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।