ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

Oct 10, 2026 - 13:03
ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସରୁ ଅର୍ଥୋପେଡିକ୍ସରେ ଏମ୍‌ଏସ୍‌ ଶିକ୍ଷା ସଫଳତାର ସହ ସମାପ୍ତ କରି ସ୍ବର୍ଣ୍ଣପଦକ ସହ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ଏହା ସହ ସେପ୍ଟେମ୍ବର ୨୯ରୁ ଚଳିତ ମାସ ୧ ତାରିଖ ଯାଏ ଜାପାନର କ୍ୟୋଟୋଠାରେ ଆୟୋଜିତ ୪୬ତମ ଅନ୍ତର୍ଜାତୀୟ ଅର୍ଥୋପେଡିକ୍ସ କଂଗ୍ରେସରେ ବିଶେଷଜ୍ଞ ବକ୍ତାଭାବେ ଯୋଗଦେଇ ନିଜ ଗବେଷଣା ଓ ଅଭିଜ୍ଞତା ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେ ସ୍ପୋଟର୍‌ସ ମେଡିସିନ ଓ ମିନିମାଲ ଇନଭେସିଭ ଅର୍ଥୋପେଡିକ୍ସ ସର୍ଜରିରେ ନିଜର ଗବେଷଣାତ୍ମକ ବକ୍ତବ୍ୟ ରଖି ବିଶ୍ୱ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ପୂର୍ବରୁ ତାଙ୍କ ଦ୍ୱାରା ରଚିତ ସ୍ବତନ୍ତ୍ର ଆଣ୍ଠୁଗଣ୍ଠି ଅସ୍ତ୍ରୋପଚାର ସମ୍ବନ୍ଧୀୟ ସନ୍ଦର୍ଭ ଅନ୍ତର୍ଜାତୀୟ ଅସ୍ଥିଶଲ୍ୟ ପତ୍ରିକାରେ ପ୍ରକାଶିତ ହୋଇଛି। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଅସ୍ଥିଶଲ୍ୟ ପିଜିରେ ଟପ୍ପର ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପୂର୍ବରୁ ମଧ୍ୟ ଏମ୍‌ସରେ ଏମ୍‌ବିବିଏସ୍‌ରେ ଟପ୍ପର ହୋଇ ରାଷ୍ଟ୍ରପତିଙ୍କଠାରୁ ସ୍ବର୍ଣ୍ଣ ପଦକ ଗ୍ରହଣ କରିଛନ୍ତି। ଡା. ଅଭିଷେକ ହେଉଛନ୍ତି ବରଗଡ଼ ଜିଲା ଅତାବିରା ବ୍ଲକ ଡାକ୍ତର ସୁଜାତା ନାଏକ ଏବଂ ପ୍ରଦୀପ ନାଏକ ସୁପୁତ୍ର। ଏହା ସହ ଲରମ୍ଭା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସନ୍ତୋଷ ନାଏକଙ୍କ ପୌତ୍ର।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।