ପିଲାମାନେ ଟିକିଏ ଭାବନ୍ତୁ
ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ ଆମ ପିଲାଙ୍କ ମନ କିଣି ନେଇଛି। ଆଜିର ପିଢିକୁ ସନ୍ତୁଷ୍ଟ କରିବା ଦିଗରେ ପ୍ଲାଷ୍ଟିକ୍ ହାର୍ ମାନିନାହିଁ। ଧନୀ ଗରିବ ସମସ୍ତେ କିଣିଲା ପରି ମୂଲ୍ୟରେ ପ୍ଲାଷ୍ଟିକ୍ ମିଳିଯାଉଛି। ତେଣୁ ଆଗ ତୁଳନାରେ ଏବେ ପ୍ଲାଷ୍ଟିକ୍ ଜିନିଷପତ୍ରର ବ୍ୟବହାର ଅତିମାତ୍ରାରେ ବଢ଼ିଯାଇଛି। ଏବେ କିନ୍ତୁ ଏହାର ଅତ୍ୟଧିକ ଓ ଅବିବେକୀ ବ୍ୟବହାର ପରିବେଶକୁ ନଷ୍ଟ କରିବା ସହିତ ଜୀବଜଗତ ପାଇଁ ଜହର ପ୍ରମାଣିତ ହୋଇଛି। ନାଳନର୍ଦ୍ଦମାରେ ପ୍ଲାଷ୍ଟିକ୍ ଜମୁଛି। କଞ୍ଜରଭେଶନ ଇଣ୍ଟରନାଶନାଲ ତରଫରୁ କୁହାଯାଇଛି, ପ୍ରତିଦିନ ପ୍ରାୟ ୨୦୦୦ ଟ୍ରକ୍ ପ୍ଲାଷ୍ଟିକ୍ ଆବର୍ଜନା ସମୁଦ୍ରରେ ମିଶୁଛି, ଅର୍ଥାତ୍ ବର୍ଷକୁ ହାରାହାରି ୧୨୦ ଲକ୍ଷ ଟନ୍। ପବନରେ ସବୁବେଳେ ପ୍ଲାଷ୍ଟିକ୍ କ୍ଷୁଦ୍ର କଣିକା ଓ ବିଷାକ୍ତ ଧୂଆଁ ମିଶୁଛି। ତେଣୁ ପାଣି-ପବନ-ମାଟି ଏବେ ବ୍ୟବହାର ଅନୁପଯୋଗୀ। ସୂକ୍ଷ୍ମ ପ୍ଲାଷ୍ଟିକ୍ ଖାଦ୍ୟପାନୀୟ ମାଧ୍ୟମରେ ଶରୀରରେ ପ୍ରବେଶ କରି ମାରାତ୍ମକ ରୋଗ ସୃଷ୍ଟି କରୁଛି। ତେଣୁ ଜନସାଧାରଣଙ୍କୁ ପ୍ଲାଷ୍ଟିକ୍ ପ୍ରଦୂଷଣର ମାରାତ୍ମକ ଭୟାବହତା, ପ୍ଲାଷ୍ଟିକ୍ ବର୍ଜନ, ପରିବେଶଗ୍ରାହୀ ଓ ବିଘଟନକ୍ଷମ ପ୍ଲାଷ୍ଟିକ୍ ବ୍ୟବହାର, ପ୍ଲାଷ୍ଟିକ୍ ଆବର୍ଜନାର ପୁନଃଚକ୍ରୀକରଣ, କାଗଜ କିମ୍ବା କପଡ଼ା ଥଳି ବ୍ୟବହାର ସମ୍ପର୍କରେ ସତର୍କ କରିବା ଜରୁରୀ ହୋଇପଡ଼ିଛି। ସମୁଦାୟ ପୃଥିବୀ ଗ୍ରହକୁ ପ୍ଲାଷ୍ଟିକ୍-ମୁକ୍ତ ଗ୍ରହରେ ପରିବର୍ତ୍ତନ କରିବା ଦିଗରେ ଲୋକଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ଆମେ ବଡ଼ମାନେ ତ କାହାରି କଥା ମାନିବା ନାହିଁ। ତେଣୁ ଆମ ପିଲାମାନେ ସଚେତନ ହେଲେ ପ୍ଲାଷ୍ଟିକ୍ ପ୍ରଦୂଷଣ ସମସ୍ୟାର ସମାଧାନ ହେବ।
ପିଲାମାନେ ପଢ଼ିଛନ୍ତିି – ଘରଦ୍ୱାର, ରାସ୍ତାଘାଟ, ମାଟିପଥର, ଗଛଲତା, ପାହାଡ଼ପର୍ବତ, ନଦୀଝରଣା, ମଣିଷ, ପଶୁପକ୍ଷୀ ଓ ଜୀବାଣୁଭୂତାଣୁଙ୍କୁ ନେଇ ଆମ ‘ପରିବେଶ’ ଗଠିତ ା ଆଉ ଟିକିଏ ସହଜ ଭାଷାରେ ପିଲାମାନେ ପରିବେଶକୁ ବାପା-ମାଆ ଅର୍ଥାତ୍ ପାଣି-ପବନ-ମାଟି-ଆକାଶ ବୋଲି କହିପାରିବେ। ମାତାପିତା କେବଳ ଜନ୍ମ ଦିଅନ୍ତି, କିନ୍ତୁ ପବନ-ପାଣି-ମାଟି-ଆକାଶ ସେମାନଙ୍କୁ ଜୀବନ ଦିଏ। ପରିବେଶର ପ୍ରାକୃତିକ ସମ୍ପଦ ତାଙ୍କର ମୌଳିକ ଆବଶ୍ୟକତାକୁ ପୂରଣ କରେ ା ପରିବେଶ ସୁସ୍ଥ ରହିଲେ ପିଲାଙ୍କ ସ୍ବାସ୍ଥ୍ୟ ଠିକ୍ ରହିବ। ଆମେ ପ୍ରତିବର୍ଷ ‘ବିଶ୍ୱ ପରିବେଶ ଦିବସ’ ପାଳନ କରୁଛୁ। ପିଲାମାନେ ଏହି ଦିବସକୁ ମଧ୍ୟ ପାଳନ କରନ୍ତିି, ଶପଥ ନିଅନ୍ତିି। ଗତବର୍ଷ ଏହି ଦିବସରେ ପ୍ଲାଷ୍ଟିକ୍ ପ୍ରଦୂଷଣକୁ ବନ୍ଦ କରିବା ପାଇଁ ଶପଥ ନେଇଥିଲେ , କାରଣ, ୨୦୨୫ ବର୍ଷ ପାଇଁ ‘ବିଶ୍ୱ ପରିବେଶ ଦିବସ’ର ବାର୍ତ୍ତା ଥିଲା – ‘ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁଶନ୍‘ (ପ୍ଲାଷ୍ଟିକ୍ ପ୍ରଦୂଷଣ ବନ୍ଦ କର)।
ଏବେ ପିଲାମାନେ ଅଧିକ ପ୍ଲାଷ୍ଟିକ୍ ବ୍ୟବହାର କରୁଛନ୍ତି। ପ୍ଲାଷ୍ଟିକ୍ ପ୍ରଦୂଷଣ ପିଲାମାନଙ୍କ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛି, ଯାହା ସେମାନଙ୍କ ସ୍ବାସ୍ଥ୍ୟ, ବିକାଶ ଏବଂ ସାମଗ୍ରିକ ସୁସ୍ଥତାକୁ ପ୍ରଭାବିତ କରୁଛି। ପ୍ଲାଷ୍ଟିକ୍ ନାନା ପ୍ରକାର ବିଷାକ୍ତ ରାସାୟନିକ ପଦାର୍ଥ ନିର୍ଗତ କରେ, ଯାହା ଖାଦ୍ୟ, ପାଣି ଏବଂ ବାୟୁ ମାଧ୍ୟମରେ ପିଲାମାନଙ୍କ ଶରୀରରେ ପ୍ରବେଶ କରିପାରେ। ଏହି ପଦାର୍ଥଗୁଡ଼ିକ ପିଲାଙ୍କର ହରମୋନ୍ ସନ୍ତୁଳନରେ ବାଧା ସୃଷ୍ଟି କରିପାରେ, ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିପାରେ, ଶ୍ୱାସକ୍ରିୟାରେ ଅସୁବିଧା ଏବଂ ବିକାଶଗତ ସମସ୍ୟା ସୃଷ୍ଟି କରିପାରେ। ଆଜିକାଲି ଅଳିଆରେ ନିଆଁ ଲଗେଇ ପରିବେଶକୁ ସ୍ବଚ୍ଛ ରଖୁଛନ୍ତି। କିନ୍ତୁ ସେଥିରେ ପରିବେଶ ଆହୁରି ଖରାପ ହେଉଛି। ଯେତେବେଳେ ପ୍ଲାଷ୍ଟିକ୍ ଅଳିଆ ପୋଡ଼ାଯାଏ, ଧୂଆଁରେ କ୍ଷତିକାରକ ବାଷ୍ପ ଥାଏ। ସେହି ବାଷ୍ପକୁ ପିଲାମାନେ ସିଧାସଳଖ ପ୍ରଶ୍ୱାସରେ ନିଅନ୍ତିି, ଯାହା ଫୁସଫୁସ ସଂକ୍ରମଣ ଏବଂ ଦୀର୍ଘକାଳୀନ ସ୍ବାସ୍ଥ୍ୟଗତ ବିପଦ ସୃଷ୍ଟି କରେ। ପ୍ରଦୂଷିତ ମାଟି, ଖେଳ ପଡ଼ିଆ ଏବଂ ଜଳ ଉତ୍ସ ପିଲାମାନଙ୍କୁ ବିଭିନ୍ନ ସଂକ୍ରମଣର ସମ୍ମୁଖୀନ କରାଏ। ପଶୁମାନେ ଖାଦ୍ୟରେ ପ୍ଲାଷ୍ଟିକ୍ ଖାଇ ଦିଅନ୍ତି। ଏହା ମଧ୍ୟ ମାଂସ ଓ କ୍ଷୀର ଭଳି କେତେକ ଖାଦ୍ୟକୁ ଦୂଷିତ କରେ, ଯାହାଦ୍ୱାରା ପିଲାମାନଙ୍କ ପୁଷ୍ଟି ଏବଂ ବୃଦ୍ଧି ଉପରେ ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ପିଲାମାନଙ୍କର କେବଳ ଶାରୀରିକ ସ୍ବାସ୍ଥ୍ୟ ନୁହେଁ ବରଂ ସେମାନଙ୍କର ଭବିଷ୍ୟତର ପରିବେଶକୁ ମଧ୍ୟ ବିପଦରେ ପକାଇଥାଏ।
ପିଲାମାନେ ସଚେତନ ହୋଇ ପ୍ଲାଷ୍ଟିକ୍ ବ୍ୟବହାର କଲେ ପ୍ରଦୂଷଣ କମ୍ ହେବ। ସେମାନେ ଥରେ ବ୍ୟବହାର ହେଉଥିବା ପତଳା ପ୍ଲାଷ୍ଟିକ୍ ବ୍ୟବହାର କରିବେ ନାହିଁ। ଡିସପୋଜେବଲ୍ କପ୍, ଷ୍ଟ୍ର, ପ୍ଲେଟ୍ ଏବଂ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରିବେ ନାହିଁ। ପ୍ଲାଷ୍ଟିକ୍ ଆବର୍ଜନା, ବୋତଲ କିମ୍ବା ପ୍ୟାକେଟ୍ଗୁଡ଼ିକୁ ଏଣେତେଣେ ନ ଫିଙ୍ଗି ସାଇତି ରଖିବେ। ପ୍ଲାଷ୍ଟିକ୍ ଆବର୍ଜନା ଜାଳିବେ ନାହିଁ। ସେଥିରେ ଅନେକ ବିପଦ ଅଛି। ପ୍ଲାଷ୍ଟିକ୍ ଆବର୍ଜନାରୁ ବାହାରୁଥିବା ଧୂଆଁ ଆମ ପାଇଁ ବିଷ। ଗୁଡାଏ ଶସ୍ତା ପ୍ଲାଷ୍ଟିକ୍ ଖେଳଣା ନ କିଣି ଗୋଟିଏ ଦୁଇଟା ମଜଭୁତ୍ ଖେଳନା କିଣିବେ। ସେହି ଖେଳଣା ସହଜରେ ଭାଙ୍ଗିବନି କି ମାଟିରେ ପାଣିରେ ପଡି ପ୍ରଦୂଷଣ କରିବ ନାହିଁ। ଗରମ ପାଣି ପାଇଁ ପ୍ଲାଷ୍ଟିକ୍ ବୋତଲ ଓ ଖାଦ୍ୟ ପାଇଁ ପ୍ଲାଷ୍ଟିକ୍ ଡବା ବ୍ୟବହାର କରିବେ ନାହିଁ। ପ୍ଲାଷ୍ଟିକ୍ରୁ ବାହାରୁଥିବା ବିଷାକ୍ତ ରାସାୟନିକ ପଦାର୍ଥ ମାରାତ୍ମକ ରୋଗ ସୃଷ୍ଟି କରେ। ପିଲାଙ୍କର ଏମିତି ଛୋଟ ଛୋଟ ଅଭ୍ୟାସ ପ୍ଲାଷ୍ଟିକ୍ ପ୍ରଦୂଷଣକୁ କମ୍ କରିବ।
ଡ. କମଳାକାନ୍ତ ଜେନା
-ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର, ମୋ: ୯୪୩୯୫୦୧୬୫୧
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।