ବିହାରରେ ମର୍ମନ୍ତୁଦ ନୌକା ଦୁର୍ଘଟଣା: ଗଙ୍ଗା ନଦୀରେ ଡଙ୍ଗା ଓଲଟି ୧୧ ଜଣଙ୍କ ମୃତ୍ୟୁ, ୪ ଲକ୍ଷ କ୍ଷତିପୂରଣ ଘୋଷଣା

Oct 14, 2026 - 00:13
ବିହାରରେ ମର୍ମନ୍ତୁଦ ନୌକା ଦୁର୍ଘଟଣା: ଗଙ୍ଗା ନଦୀରେ ଡଙ୍ଗା ଓଲଟି ୧୧ ଜଣଙ୍କ ମୃତ୍ୟୁ, ୪ ଲକ୍ଷ କ୍ଷତିପୂରଣ ଘୋଷଣା

ବୈଶାଳୀ,୧୩।୧୦: ବିହାରର ବୈଶାଳୀ ଜିଲା ରାଘୋପୁର ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଏକ ଅତ୍ୟନ୍ତ ଦୁଃଖଦ ନୌକା ଦୁର୍ଘଟଣା ଘଟିଛି। ଗଙ୍ଗା ନଦୀରେ ପ୍ରାୟ ୧୫ରୁ ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିବା ଫଳରେ ୧୧ ଜଣଙ୍କର ବୁଡ଼ିଯାଇ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ସାନ ସାନ ଶିଶୁ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଦୁର୍ଘଟଣାଟି ରାମପୁର ଶ୍ୟାମଚନ୍ଦ ଗ୍ରାମ ନିକଟରେ ଘଟିଛି। ଗଙ୍ଗା ନଦୀ ପାର ହୋଇ ଏକ ଭୋଜିରେ ଯୋଗ ଦେବା ପାଇଁ ବହୁ ସଂଖ୍ୟାରେ ଲୋକେ ଡଙ୍ଗାରେ ଯାଉଥିଲେ। ବର୍ଷା ହେତୁ ଗଙ୍ଗା ନଦୀରେ ଜଳସ୍ରୋତ ବହୁତ ପ୍ରଖର ଥିଲା। କ୍ଷମତାଠାରୁ ଅଧିକ ଯାତ୍ରୀ (ଓଭରଲୋଡ୍) ଥିବାରୁ ନଦୀ ମଝିରେ ଡଙ୍ଗାଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିବା ସନ୍ଦେହ କରାଯାଉଛି। ଡଙ୍ଗା ଓଲଟିବା କ୍ଷଣି କିଛି ଲୋକ ପହଁରି କୂଳକୁ ଆସିବାରେ ସଫଳ ହୋଇଥିବା ବେଳେ ୧୧ ଜଣ ଗଭୀର ପାଣିରେ ଫସିଯାଇ ପ୍ରାଣ ହରାଇଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ପ୍ରଶାସନିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ସ୍ତରରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଅଭାବନୀୟ ଘଟଣାରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ୪-୪ ଲକ୍ଷ ଟଙ୍କାର ସହାୟତା ରାଶି (କ୍ଷତିପୂରଣ) ଦେବାକୁ ଘୋଷଣା କରିଛନ୍ତି।

ରାଘୋପୁର ଦିୟାରା ଅଞ୍ଚଳ ହେଉଛି ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ନିର୍ବାଚନ ମଣ୍ଡଳୀ। ଏହି ଘଟଣାରେ ଶୋକ ପ୍ରକାଶ କରି ତେଜସ୍ୱୀ ଯାଦବ କହିଛନ୍ତି ଯେ, ନୌକା ବୁଡ଼ିଯିବା ଖବର ଅତ୍ୟନ୍ତ ଦୁଃଖଦ। ସେ ସ୍ଥାନୀୟ ପ୍ରଶାସନ ଓ ଅଧିକାରୀମାନଙ୍କ ସହ କଥା ହୋଇ ଉଦ୍ଧାର, ରିଲିଫ୍ ଓ ଚିକିତ୍ସା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।