ବୀର ସୁରେନ୍ଦ୍ରସାଏ ଦିବ୍ୟଦୃଷ୍ଟି ଯୋଜନା: ୨୫୧ ଛାତ୍ରୀଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା, ୧୩୬ ଜଣଙ୍କୁ ଚଷମା ବଣ୍ଟନ

Oct 05, 2026 - 19:07
ବୀର ସୁରେନ୍ଦ୍ରସାଏ ଦିବ୍ୟଦୃଷ୍ଟି ଯୋଜନା: ୨୫୧ ଛାତ୍ରୀଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା, ୧୩୬ ଜଣଙ୍କୁ ଚଷମା ବଣ୍ଟନ

ଦାରିଙ୍ଗବାଡ଼ି,୫।୧୦(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋମବାର ବୀର ସୁରେନ୍ଦ୍ରସାଏ ଦିବ୍ୟଦୃଷ୍ଟି ଯୋଜନା ଅଧୀନରେ ଚକ୍ଷୁ ପରୀକ୍ଷା ଓ ଚଷମା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି।
ଏହି ଶିବିରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ମୋଟ ୨୫୧ ଜଣ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ଛାତ୍ରଛାତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ଉଚ୍ଚତର ଚିକିତ୍ସାକେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେହିପରି ଦୃଷ୍ଟିଶକ୍ତି ସମସ୍ୟା ଥିବା ୧୩୬ ଜଣ ଛାତ୍ରୀଛାତ୍ରଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପଦକ୍ଷେପରେ ବୀର ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅଧୀନରେ ବିଦ୍ୟାଳୟଗୁଡ଼ିକରେ ଦୃଷ୍ଟିଶକ୍ତି ସମସ୍ୟା ଥିବା ଛାତ୍ରୀଛାତ୍ରଙ୍କ ମାଗଣା ଚକ୍ଷୁ ପରୀକ୍ଷା, ଚିକିତ୍ସା ଓ ଆବଶ୍ୟକତା ଅନୁଯାୟୀ ଚଷମା ପ୍ରଦାନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡ଼ି ବ୍ଲକର ୪ଟି ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ସିମନବାଡ଼ି ସମେତ ବାଡ଼ାବାଙ୍ଗା, କିରିକୁଟି ଓ ଶ୍ରାନିକେତା ପଞ୍ଚାୟତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଥିଲା।

ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚକ୍ଷୁ ବିଜ୍ଞାନ ଚିକିତ୍ସକ ସୁବାଶିଷ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁଶ୍ରୀ ଅର୍ଚ୍ଚନା ସ୍ବାଇଁ ଏବଂ ଚକ୍ଷୁ ବିଜ୍ଞାନ ବିଶେଷଜ୍ଞ ଜି. ଚକ୍ରବର୍ତ୍ତୀ ପ୍ରମୁଖ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ ଓ ରଶ୍ମିତା ସେନାପତି ପରିଚାଳନା କରିଥିଲେ। ସେମାନଙ୍କୁ ସିମନବାଡ଼ି ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦେଶୀ ନାୟକ, ସିଆରସିସି ଶିବ ଶଙ୍କର ସାହୁ, କିରିକୁଟି ସିଆରସିସି ରାକେଶ ସାହୁ, ବାଡ଼ାବାଙ୍ଗାର ସଲିମ ନାୟକ ଓ ଶ୍ରାନିକେତାର ଜୟଦେବ ସାହୁ ପ୍ରମୁଖ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।