ବେଆଇନ ଗ୍ୟାସ୍ ମହଜୁଦ୍ ଉପରେ ଯୋଗାଣ ବିଭାଗର ଚଢ଼ାଉ, ୨୨୯ ଘରୋଇ ସିଲିଣ୍ଡର ଜବତ
ଖୋର୍ଦ୍ଧା,୩୧ା୧୦(ପ୍ରଭାତ ପାଣିଗ୍ରାହୀ): ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡରର ବେଆଇନ ମହଜୁଦ ଓ କଳାବଜାର ଉପରେ ଖୋର୍ଦ୍ଧା ଜିଲା ଯୋଗାଣ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଅଧୀନ କଳିଙ୍ଗନଗର ଛକ ନିକଟରେ ଥିବା ଏକ ପରିତ୍ୟକ୍ତ ଆଜବେଷ୍ଟସ ଘରୁ ୨୨୯ଟି ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିବାବେଳେ ଗ୍ୟାସ ଭର୍ତ୍ତି କରିବାରେ ବ୍ୟବହୃତ ଉପକରଣ ମଧ୍ୟ ଜବତ ହୋଇଛି।
ଜବତ ସିଲିଣ୍ଡର ମଧ୍ୟରେ ଇଣ୍ଡେନ୍ର ୯୦ଟି, ଭାରତ ଗ୍ୟାସ୍ ୩୮ଟି ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ର ୧୦୧ଟି ସିଲିଣ୍ଡର ରହିଛି। ଏଥିସହ ଗ୍ୟାସ ଭର୍ତ୍ତି ପାଇଁ ବ୍ୟବହୃତ ଦୁଇଟି ମୋଟର ପ୍ରେସର ପାଇପ, ସିଲିଣ୍ଡର କ୍ୟାପ ଓ ବିଭିନ୍ନ ତୈଳ କମ୍ପାନୀର ପ୍ଲାଷ୍ଟିକ ସିଲ ମଧ୍ୟ ଜବତ କରାଯାଇଛି।
ସମ୍ପୃକ୍ତ ଅଞ୍ଚଳରେ ଦୀର୍ଘଦିନ ଧରି ଘରୋଇ ରନ୍ଧନ ଗ୍ୟାସ୍ ପାଇବାରେ ଉପଭୋକ୍ତାମାନେ ଅସୁବିଧା ଭୋଗୁଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏହି ଅଭିଯୋଗକୁ ଆଧାର କରି ଯୋଗାଣ ବିଭାଗ ଚଢ଼ାଉ କରିଥିବା ଜଣାପଡ଼ିଛି। ଏତେ ସଂଖ୍ୟକ ସିଲିଣ୍ଡର କେଉଁ ଉଦ୍ଦେଶ୍ୟରେ ଗଚ୍ଛିତ ରଖାଯାଇଥିଲା ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି, ସେନେଇ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଜବତ ସିଲିଣ୍ଡର ଗୁଡ଼ିକୁ ସଂପୃକ୍ତ ବିଭାଗ ର ବିତରକ ଏଜେନ୍ସିକୁ ହସ୍ତାନ୍ତର କରାଯାଇଛି।
ଜିଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ରଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। ଘରୋଇ ଗ୍ୟାସ ସିଲିଣ୍ଡରର ବେଆଇନ ମହଜୁଦ ଓ ଅପବ୍ୟବହାର ରୋକିବା ସହ ଉପଭୋକ୍ତାଙ୍କୁ ନିୟମିତ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱ ଦିଆଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।