ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି
ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ ପ୍ରତିରୋଧୀ ଘରର ମଡେଲ୍ ଏବେ ଚର୍ଚ୍ଚାରେ ରହିଛି । ଶିଳ୍ପପତି ହର୍ଷ ଗୋଏଙ୍କା ମଧ୍ୟ ଏହି ଟେକ୍ନୋଲୋଜିର ଫଟୋ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଜାପାନୀ କମ୍ପାନୀ ‘ଏୟାର ଦାନଶିନ୍ ସିଷ୍ଟମ୍ସ ଇଙ୍କ୍’ ଏହି ଟେକ୍ନୋଲୋଜି ବିକଶିତ କରିଥିବା ରିପୋର୍ଟରେ ଦାବି କରାଯାଇଛି। ଭୂକମ୍ପ ସମୟରେ ଘରକୁ ଜମିର କମ୍ପନରୁ ଅଲଗା ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଘରର ତଳଭାଗରେ ଏକ ସ୍ୱତନ୍ତ୍ର ଏୟାର ଚେମ୍ବର ବା ବାୟୁ ଆଧାର ରହିଥାଏ । ସାଧାରଣ ସମୟରେ ଏହା ସକ୍ରିୟ ରହେନାହିଁ। ଭୂମି ତଳେ ହଠାତ୍ କମ୍ପନ ଆରମ୍ଭ ହେଲେ ଘରରେ ଲାଗିଥିବା ସେନ୍ସର ଏହାକୁ ଚିହ୍ନଟ କରିଥାଏ। ରିପୋର୍ଟ ଅନୁସାରେ, ମାତ୍ର ୦.୫ରୁ ୧ ସେକେଣ୍ଡ ମଧ୍ୟରେ ଏୟାର କମ୍ପ୍ରେସର ଚାଲୁ ହୋଇଯାଏ। ଏହାପରେ ଘର ତଳେ ଏକ ଶକ୍ତିଶାଳୀ ବାୟୁ କୁଶନ୍ ସୃଷ୍ଟି ହୋଇ ଘରକୁ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠାଇଦିଏ। ଭୂକମ୍ପର ଝଟକା ଚାଲିଥିବା ସମୟରେ ଘରଟି ଏହି ସ୍ଥିତିରେ ରହେ ଏବଂ ଝଟକା ଶେଷ ହେବା ପରେ ପୁଣି ଧୀରେ ଧୀରେ ନିଜ ସ୍ଥାନକୁ ଫେରିଆସେ ବୋଲି କୁହାଯାଇଛି।
ଏହି ଟେକ୍ନୋଲୋଜିର ଏକ ଲାଇଭ୍ ଟେଷ୍ଟ ମଧ୍ୟ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଘର ଭିତରେ ଟେବୁଲ୍, ଚେୟାର ଏବଂ କାଚର ନାଜୁକ ୱାଇନ୍ ଗ୍ଲାସ୍ ରଖାଯାଇ କୃତ୍ରିମ ଭୂକମ୍ପ ଝଟକା ସୃଷ୍ଟି କରାଯାଇଥିଲା। ଝଟକା ଆରମ୍ଭ ହେବା ପରେ ଘର ଉପରକୁ ଉଠିଥିଲା ଏବଂ ଭିତରେ ଥିବା ଜିନିଷଗୁଡ଼ିକ ସ୍ଥାନରୁ ହଟିନଥିବା ଦାବି କରାଯାଇଛି। ରିପୋର୍ଟ ଅନୁସାରେ, ଜାପାନର ପ୍ରାୟ ୯୦ଟି ଘରେ ଏହି ସିଷ୍ଟମ୍ ବ୍ୟବହାର ହେଉଛି।
ଏହି ଟେକ୍ନୋଲୋଜିର ଉଦ୍ଭାବକ ଭାବେ ଶୋଇଚି ସାକାମୋଟୋଙ୍କ ନାମ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ, ପାରମ୍ପରିକ ଭୂକମ୍ପ ପ୍ରତିରୋଧୀ ବ୍ୟବସ୍ଥା ତୁଳନାରେ ଏହାର ଖର୍ଚ୍ଚ ପ୍ରାୟ ଏକ-ତୃତୀୟାଂଶ ହୋଇପାରେ । ବିଦ୍ୟୁତ୍ ବିଚ୍ଛିନ୍ନ ହେଲେ ମଧ୍ୟ ସିଷ୍ଟମ୍କୁ ଚାଲୁ ରଖିବା ପାଇଁ ବ୍ୟାଟେରୀ ବ୍ୟାକ୍ଅପ୍ ରହିଥିବା କୁହାଯାଇଛି।ତେବେ ଏହି ଟେକ୍ନୋଲୋଜିକୁ ନେଇ କିଛି ବିଶେଷଜ୍ଞ ସତର୍କତା ମଧ୍ୟ ପ୍ରକାଶ କରିଛନ୍ତି। ହାଲୁକା ଓ ମଧ୍ୟମ ଧରଣର ଭୂକମ୍ପରେ ଏହା କେତେ ପ୍ରଭାବୀ, ତାହା ନେଇ ଦାବି ଥିବାବେଳେ ଅତ୍ୟନ୍ତ ଶକ୍ତିଶାଳୀ ଓ ବହୁଦିଗରୁ ଝଟକା ଦେଉଥିବା ଭୂକମ୍ପରେ ଏହି ସିଷ୍ଟମ୍ କେତେ ଫଳପ୍ରଦ ହେବ, ସେନେଇ ପ୍ରଶ୍ନ ରହିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।