ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

Oct 04, 2026 - 19:04
ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ମତ ରଖିଛନ୍ତି । ଆୟର କହିଛନ୍ତି, ଏବେ ଦଳର ପୂରା ଧ୍ୟାନ ସିରିଜ୍ ଜିତିବା ଉପରେ ରହିଛି।

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ ନେଇ ମଧ୍ୟ ଶ୍ରେୟସ ଆୟର ଖୁବ୍ ପ୍ରଶଂସା କରିଛନ୍ତି। ଏକ ସାକ୍ଷାତକାରରେ ଆୟର କହିଛନ୍ତି ଯେ, ସେ ବୈଭବଙ୍କ ସହ କ୍ରିକେଟ୍ କିମ୍ବା ମ୍ୟାଚ୍‌କୁ ନେଇ ବେଶି କଥା ହୁଅନ୍ତି ନାହିଁ। କାରଣ, ସମସ୍ତେ ତାଙ୍କ ସହ ଦିନରାତି କ୍ରିକେଟ୍‌କୁ ନେଇ ଆଲୋଚନା କରୁଥାନ୍ତି। ତେଣୁ ଆୟର ବୈଭବଙ୍କ ସହ ତାଙ୍କ ପରିବାର, ଦୈନନ୍ଦିନ ଜୀବନ ଓ ପସନ୍ଦ-ନାପସନ୍ଦ ବିଷୟରେ ଆଲୋଚନା କରନ୍ତି। ଏହାଦ୍ୱାରା ବୈଭବ ଅଧିନାୟକଙ୍କ ସହ ଅଧିକ ସହଜ ଓ ଆରାମଦାୟକ ଭାବେ କଥା ହୋଇପାରନ୍ତି ବୋଲି କହିଛନ୍ତି ।

ବୈଭବଙ୍କ ସ୍ୱଭାବକୁ ନେଇ ମଧ୍ୟ ଶ୍ରେୟସ ଆୟର ଏକ ମଜାଦାର କଥା କହିଛନ୍ତି । ତାଙ୍କ କହିବା ଅନୁସାରେ, ବୈଭବ ପଡ଼ିଆ ବାହାରେ ଖୁବ୍ ଶାନ୍ତ ଓ ଲାଜୁଆ ସ୍ୱଭାବର । କିନ୍ତୁ ବ୍ୟାଟ୍ ଧରି ପଡ଼ିଆକୁ ଓହ୍ଲାଇବା ମାତ୍ରେ ତାଙ୍କ ଖେଳ ସମ୍ପୂର୍ଣ୍ଣ ବଦଳିଯାଏ । ସେ ବୋଲରଙ୍କ ଉପରେ ଚାପ ସୃଷ୍ଟି କରି ଆକ୍ରମଣାତ୍ମକ ବ୍ୟାଟିଂ କରନ୍ତି। ଆୟର କହିଛନ୍ତି ଯେ, ଏତେ ଶାନ୍ତ ଓ ସରଳ ପିଲା ପଡ଼ିଆରେ ଏତେ ଆକ୍ରମଣାତ୍ମକ କ୍ରିକେଟ୍ କିପରି ଖେଳନ୍ତି, ତାହା ଦେଖିବା ମଜାଦାର। ଡ୍ରେସିଂ ରୁମ୍‌ରେ ବୈଭବଙ୍କ ଉପସ୍ଥିତି ମଧ୍ୟ ସମସ୍ତଙ୍କୁ ଭଲ ଲାଗେ ବୋଲି ସେ କହିଛନ୍ତି।

ବୈଭବଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଶ୍ରେୟସ ଆୟର ଆଶାବାଦୀ ଅଛନ୍ତି। ସେ କହିଛନ୍ତି, ବୈଭବଙ୍କ ସମୟ ନିଶ୍ଚିତ ଭାବେ ଆସିବ। ବର୍ତ୍ତମାନ ଭାରତୀୟ ଦଳରେ ବିଶ୍ୱକପ୍ ଜିତିଥିବା ଓପନରମାନେ ଖେଳୁଛନ୍ତି ଏବଂ ସେମାନେ ନିଜ ସ୍ଥାନ ପାଇବାର ଯୋଗ୍ୟ । ବୈଭବ ଏବେ ଭାରତୀୟ ଦଳର ୧୫ ଜଣିଆ ମୁଖ୍ୟ ସ୍କ୍ୱାଡ୍‌ର ଅଂଶ ଥିବାରୁ ସୁଯୋଗ ମିଳିଲେ ସେ ଭାରତୀୟ କ୍ରିକେଟ୍‌ରେ ନିଜ ଛାପ ଛାଡ଼ିବେ ବୋଲି ଆୟର ଆଶା ପ୍ରକାଶ କରିଛନ୍ତି । ଏସିଆନ୍ ଗେମ୍ସ ଶେଷ ହେବା ପରେ ଏବେ ଆୟରଙ୍କ ନେତୃତ୍ୱରେ ଭାରତ ନିଜ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୫ ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳିବ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।