ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

Sep 27, 2026 - 08:21
ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଦାଖଲ କରିଥିବା ସତ୍ୟପାଠରେ ଭୁଲ୍‌ ତଥ୍ୟ ଦେଇଥିବା ନେଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ୱତନ ବିଧାୟକ ପ୍ରଦୀପ କୁମାର ଅମାତ ବୌଦ୍ଧ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଏକ ମାମଲା ଦାଏର କରିଥିଲେ। ଅଦାଲତ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ବିଧାୟକ ପ୍ରଧାନଙ୍କୁ ଅଦାଲତରେ ଉପସ୍ଥିତ ହୋଇ ତାଙ୍କ ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଥିଲେ। ତେବେ ଅଦାଲତର ଆଦେଶକୁ ନେଇ ବିଧାୟକ ପ୍ରଧାନ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କୁ ୧୨ସପ୍ତାହର ମହଲତ ଦେଇଥିଲେ। ଏହି ସମୟ ପରେ ତାଙ୍କୁ ଅଦାଲତରେ ହାଜର ପାଇଁ କୁହାଯାଇଥିଲା। ଏହି ସମୟସୀମା ଶେଷ ହେବା ପରେ ମଧ୍ୟ ବିଧାୟକ ପ୍ରଧାନ ବାରମ୍ୱାର ସମୟ ନେଇ ଏସ୍‌ଡିଜେଏମ୍‌ଙ୍କ ନିକଟରେ ହାଜର ହୋଇ ନ ଥିଲେ। ଫଳରେ ଅଦାଲତ ଶୁକ୍ରବାର ବିଧାୟକ ପ୍ରଧାନଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି। ଅଦାଲତର ଏଭଳି ଆଦେଶକୁ ନେଇ ବୌଦ୍ଧ ଜିଲାରେ ରାଜନୀତି ସରଗରମ ହୋଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।