ଭାରତକୁ ହରାଇବାର ଖୁସି ମନାଇଲେ ପାକ ପ୍ରଧାନମନ୍ତ୍ରୀ: ସୋସିଆଲ ମିଡିଆରେ ଲେଖିଲେ ଏମିତି, ୟୁଜର୍ସ କହିଲେ…

Oct 31, 2026 - 10:05
ଭାରତକୁ ହରାଇବାର ଖୁସି ମନାଇଲେ ପାକ ପ୍ରଧାନମନ୍ତ୍ରୀ: ସୋସିଆଲ ମିଡିଆରେ ଲେଖିଲେ ଏମିତି, ୟୁଜର୍ସ କହିଲେ…

ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସେସ୍‌ରେ ଅକ୍ଟୋବର ୩୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମୁକାବିଲାରେ ପାକିସ୍ତାନ ୪ ଉଇକେଟ୍‌ରେ ବିଜୟୀ ହୋଇଥିଲା। ହଂକଂ ସିକ୍ସେସ ଅନ୍ତର୍ଜାତୀୟ କ୍ରିକେଟର ଅଂଶ ନୁହେଁ। ଏହା ମାତ୍ର ୬-୬ ଓଭରର ଏକ ସାଧାରଣ ଟୁର୍ନାମେଣ୍ଟ। ଏଥିରେ ଭାରତ ବିପକ୍ଷରେ ପାକିସ୍ତାନର ବିଜୟର ସେତେଟା ଗୁରୁତ୍ୱ ନାହିଁ। ତଥାପି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ବିଜୟର ଉତ୍ସବ ପାଳନ କରିଛନ୍ତି। ଏହି କାରଣରୁ ସେ ଏବେ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ ହେଉଛନ୍ତି।

ହଂକଂ ସିକ୍ସେସ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୋଙ୍ଗ କୋକ୍ସ୍ଥିତ ମିଶନ ରୋଡ ଗ୍ରାଉଣ୍ଡରେ ମ୍ୟାଚ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୬ ଓଭରରେ ୮୮ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ମାତ୍ର ୩.୫ ଓଭରରେ ଲକ୍ଷ୍ୟ ହାସଲ କରି ୪ ଉଇକେଟ୍‌ରେ ବିଜୟ ଲାଭ କରିଥିଲା।

ଭାରତ ବିପକ୍ଷରେ ଏହି ବିଜୟ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ସେ ଲେଖିଥିଲେ, ‘ହଂକଂ ସିକ୍ସେସ୍‌ରେ ଭାରତ ବିପକ୍ଷରେ ୪ ଉଇକେଟ୍‌ରେ ଚମତ୍କାର ବିଜୟ ହାସଲ କରିଥିବାରୁ ଆମ ଖେଳାଳିମାନଙ୍କୁ ଅଭିନନ୍ଦନ। ଏହା କ୍ରିକେଟର ଏକ ଚମତ୍କାର ମୁକାବିଲା ଥିଲା। ଖେଳାଳିମାନଙ୍କୁ ପ୍ରସ୍ତୁତ କରିବା ଏବଂ ସେମାନଙ୍କୁ ସମର୍ଥନ ଯୋଗାଇବାରେ ଉତ୍କୃଷ୍ଟ ପ୍ରୟାସ କରିଥିବାରୁ PCB ଅଧ୍ୟକ୍ଷ ମୋହସିନ ନକଭି ଏବଂ ତାଙ୍କ ଟିମକୁ ମଧ୍ୟ ଅଭିନନ୍ଦନ ଜଣାଉଛି।’ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହି ପୋଷ୍ଟ ଖୁବ ଭାଇରାଲ ହୋଇଥିଲା। ଏହାକୁ ନେଇ ପ୍ରଶଂସକମାନେ ତାଙ୍କର ଜୋରଦାର ମଜାକ ଉଡ଼ାଇଥିଲେ। ଏକ ସାଧାରଣ ଟୁର୍ନାମେଣ୍ଟରେ ପାକିସ୍ତାନର ବିଜୟ ପାଇଁ ଦେଶର ପ୍ରଧାନମନ୍ତ୍ରୀ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିବା ଘଟଣାକୁ ନେଇ ଅନେକେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। କେହି କେହି ୟୁଜର୍ସ କହିଛନ୍ତି, ଏତିକି ଓଭର ମ୍ୟାଚ ପାଇଁ ଏତେ ଖୁସି! ଆଉ ଜଣେ ୟୁଜର୍ସ କହିଛନ୍ତି, କମେଡି କରନ୍ତୁନି!

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।