ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

Sep 27, 2026 - 18:18
ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର କୋଟି କୋଟି ପ୍ରିପେଡ୍ ମୋବାଇଲ୍ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଇ ‘ଟେଲିକମ୍ କନ୍‌ଜ୍ୟୁମର ପ୍ରୋଟେକ୍ସନ୍ (୧୩ଶ ସଂଶୋଧନ) ନିୟମ, ୨୦୨୬’ ଜାରି କରିଛନ୍ତି। ମୋବାଇଲ୍ କମ୍ପାନୀଗୁଡ଼ିକ ଦ୍ୱାରା ଦିଆଯାଉଥିବା ରିଚାର୍ଜ ପ୍ଲାନ୍‌ଗୁଡ଼ିକୁ ଅଧିକ ସ୍ୱଚ୍ଛ, ଗ୍ରାହକ-ଅନୁକୂଳ ଏବଂ ଶସ୍ତା କରିବା ଏହି ନୂତନ ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ।

ଦୀର୍ଘ ଦିନ ଧରି ଟେଲିକମ୍ କମ୍ପାନୀଗୁଡ଼ିକ ସାଧାରଣତଃ ୨୮ ଦିନର ବୈଧତା (Validity) ଥିବା ପ୍ଲାନ୍ ପ୍ରଦାନ କରୁଥିଲେ। ଏହାଯୋଗୁ ଗ୍ରାହକଙ୍କୁ ଗୋଟିଏ ବର୍ଷ (୩୬୫ ଦିନ) ମଧ୍ୟରେ ୧୨ ଥର ପରିବର୍ତ୍ତେ ୧୩ ଥର ରିଚାର୍ଜ କରିବାକୁ ପଡ଼ୁଥିଲା, ଯାହା ଗ୍ରାହକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଉଥିଲା। ସରକାରଙ୍କ ନୂଆ ନିୟମ ଅନୁଯାୟୀ, ଏବେ କମ୍ପାନୀଗୁଡ଼ିକୁ ପୂରା ୩୦ ଦିନର ସ୍ପଷ୍ଟ ବୈଧତା ଥିବା ରିଚାର୍ଜ ପ୍ଲାନ୍ ଆଣିବା ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ଗ୍ରାହକମାନେ ପ୍ରତି ମାସରେ ଗୋଟିଏ ନିର୍ଦ୍ଦିଷ୍ଟ ତାରିଖରେ ରିଚାର୍ଜ କରିପାରିବେ ଏବଂ ବର୍ଷକୁ କେବଳ ୧୨ ଥର ହିଁ ଦେୟ ଦେବାକୁ ପଡ଼ିବ, ଯାହା ସେମାନଙ୍କର ଅର୍ଥ ସଞ୍ଚୟ କରିବାରେ ସାହାଯ୍ୟ କରିବ।

ଏହି ନୂଆ ନୀତିର ଦ୍ୱିତୀୟ ବଡ଼ ଫାଇଦା ସେହି ଗ୍ରାହକମାନଙ୍କୁ ମିଳିବ ଯେଉଁମାନେ ଇଣ୍ଟରନେଟ୍ କିମ୍ବା ଡାଟା ବ୍ୟବହାର କରନ୍ତି ନାହିଁ। ନୂତନ ସଂଶୋଧନ ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡ଼ିକୁ କେବଳ ‘ଭଏସ୍ କଲ୍ ଏବଂ SMS’ ଥିବା ସ୍ୱତନ୍ତ୍ର ପ୍ଲାନ୍ ମଧ୍ୟ ବାହାର କରିବାକୁ ପଡ଼ିବ। ଏପର୍ଯ୍ୟନ୍ତ କେବଳ କଥାବାର୍ତ୍ତା ପାଇଁ ଫୋନ୍ ବ୍ୟବହାର କରୁଥିବା ଲୋକଙ୍କୁ ବାଧ୍ୟତାମୂଳକ ଭାବେ ଡାଟା ଥିବା ଦାମୀ ପ୍ଲାନ୍ ନେବାକୁ ପଡ଼ୁଥିଲା। ଏବେ ବରିଷ୍ଠ ନାଗରିକ, ଗ୍ରାମାଞ୍ଚଳର ଲୋକ ଏବଂ କମ୍ ବଜେଟ୍ ଥିବା ଗ୍ରାହକଙ୍କୁ ଧ୍ୟାନରେ ରଖି ଏହି ବିକଳ୍ପ ଦିଆଯାଇଛି, ଯାହାଦ୍ୱାରା ସେମାନେ ବିନା କୌଣସି ଅନାବଶ୍ୟକ ଡାଟା ଖର୍ଚ୍ଚରେ କେବଳ ବେସିକ୍ କଲିଂ ପାଇଁ ଶସ୍ତା ପ୍ଲାନ୍ ବାଛିପାରିବେ।

ଏହି ନୀତିଗତ ପରିବର୍ତ୍ତନ ପଛରେ ଆମ୍ ଆଦ୍‌ମୀ ପାର୍ଟିର ସଂସଦ ସଦସ୍ୟ ରାଘବ ଚଡ୍ଡାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗତ ମାର୍ଚ୍ଚ ୧୧ ତାରିଖରେ ସେ ସଂସଦରେ ଗ୍ରାହକଙ୍କ ଏହି ସମସ୍ୟା ଏବଂ ସୀମିତ ରିଚାର୍ଜ ବିକଳ୍ପ ବିଷୟରେ ଦୃଢ଼ ଭାବରେ ଦାବି ଉଠାଇଥିଲେ। ସେ ଗ୍ରାହକଙ୍କ ପାଇଁ ଅଧିକ ଶସ୍ତା ଏବଂ ସୁବିଧାଜନକ ବିକଳ୍ପ ଯୋଗାଇଦେବାକୁ ଦାବି କରିଥିଲେ। ନିୟମରେ ଏହି ଐତିହାସିକ ପରିବର୍ତ୍ତନ ପରେ ସେ ଭାରତ ସରକାର ଏବଂ TRAI କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସାଧାରଣ ଜନତାଙ୍କ ସ୍ୱାର୍ଥ, ସୁବିଧା ଏବଂ ସଠିକ୍ ପସନ୍ଦର ଅଧିକାରକୁ ଧ୍ୟାନରେ ରଖି ନିଆଯାଇଥିବା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।