BJP ଟିକେଟ ଅଫର କରିଥିଲେ ଜ୍ଞାନେଶ କୁମାର! ଦାବିକୁ ନେଇ ରାଜନୀତିରେ ହଇଚଇ, ରାହୁଲ କହିଲେ…
ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)ର ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏବେ ଏକ ନୂଆ ଖୁଲାସା ସାମ୍ନାକୁ ଆସିଛି, ଯାହାକୁ ନେଇ ଦେଶର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏହି ମାମଲାରେ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।
କେରଳର ପୂର୍ବତନ ମୁଖ୍ୟ ସଚିବ ଜିଜି ଥମସନ ଦାବି କରିଛନ୍ତି ଯେ, ୨୦୧୬ରେ ଜ୍ଞାନେଶ କୁମାର ତାଙ୍କୁ ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ପକ୍ଷରୁ ଟିକେଟ ଅଫର୍ କରିଥିଲେ। ନିକଟରେ ନିର୍ବାଚନ ଆୟୋଗ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଜ୍ଞାନେଶ କୁମାର ବିରୋଧୀଙ୍କ ନିଶାନାକୁ ଆସିଥିଲେ। ଏବେ ଥମସନଙ୍କ ଏହି ଦାବି ବିବାଦକୁ ଆହୁରି ବଢ଼ାଇ ଦେଇଛି।
ଜିଜି ଥମସନ କହିଛନ୍ତି ଯେ, ସେ ଓ ଜ୍ଞାନେଶ କୁମାର ଏକ ବିମାନରେ ଯାତ୍ରା କରୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଉଭୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ କଥା ହେଉଥିଲେ। ଆଲୋଚନା ସମୟରେ ଜ୍ଞାନେଶ କୁମାର ତାଙ୍କୁ ପଚାରିଥିଲେ ଯେ, ସେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ କି? ୨୦୧୯ ଲୋକ ସଭା ନିର୍ବାଚନରେ କେରଳର ପଠାନମଥିଟ୍ଟା ଆସନରୁ ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ତାଙ୍କର ଆଗ୍ରହ ଅଛି କି ବୋଲି ମଧ୍ୟ ସେ ପଚାରିଥିଲେ।
ଥମସନ କହିଛନ୍ତି ଯେ, ସେ ଏହି ପ୍ରସ୍ତାବକୁ ମନା କରିଦେଇଥିଲେ। ତେବେ ଜ୍ଞାନେଶ କୁମାର କହିଥିଲେ, ଯଦି ସେ ନିର୍ବାଚନ ଲଢ଼ି ବିଜୟୀ ହୁଅନ୍ତି, ତେବେ କେନ୍ଦ୍ରମନ୍ତ୍ରୀ ହେବାର ସୁଯୋଗ ମିଳିପାରେ। କିନ୍ତୁ ଥମସନ ଏହି ପ୍ରସ୍ତାବକୁ ମଧ୍ୟ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ, ତାଙ୍କର ନିର୍ବାଚନ ଲଢ଼ିବାରେ କୌଣସି ଆଗ୍ରହ ନାହିଁ।
ଥମସନଙ୍କ ଏହି ଦାବି ଉପରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ଅଭିଯୋଗ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ମାଧ୍ୟମରେ ନିର୍ବାଚନରେ ‘ମ୍ୟାଚ ଫିକ୍ସିଂ’ କରାଉଛନ୍ତି।
ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଅନୁଯାୟୀ, ଜ୍ଞାନେଶ କୁମାର IAS ଅଧିକାରୀ ଥିବା ସମୟରେ ତାଙ୍କୁ ଭାଜପାରେ ଲୋକଙ୍କୁ ନିଯୁକ୍ତି କରାଇବାରେ ବ୍ୟବହାର କରାଯାଇଥିଲା ଏବଂ ପରେ ତାଙ୍କୁ ‘ଅମ୍ପାୟାର’ କରି ନିର୍ବାଚନରେ ମ୍ୟାଚ ଫିକ୍ସିଂ କରାଯାଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।