ଭାରତୀୟ ବାୟୁସେନା ପାଇବ ୨ୟ ଉପଗ୍ରହ, ନୌସେନାକୁ ମିଳିବ ବରୁଣାସ୍ତ୍ର ଟର୍ପେଡୋ
ନୂଆଦିଲ୍ଲୀ,୧୬।୧୦: ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ପ୍ରାୟ ୪,୧୦୬ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିବା ସହ ଭାରତୀୟ ବାୟୁସେନା (ଆଇଏଏଫ୍) ଦ୍ୱିତୀୟ ସ୍ବତନ୍ତ୍ର ଯୋଗାଯୋଗ ଉପଗ୍ରହ ଏବଂ ସ୍ବଦେଶୀ ‘ବରୁଣାସ୍ତ୍ର’ ହେଭିୱେଟ ଟର୍ପେଡୋ ହାସଲ କରିବାକୁ ଯାଉଛି। ଜିଏସ୍ଏଟି-୭ସି ଉପଗ୍ରହ ପାଇଁ ୨,୫୬୩ କୋଟି ଟଙ୍କାର ଚୁକ୍ତି ଇସ୍ରୋର ବାଣିଜି୍ୟକ ଶାଖା ଭାବେ କାର୍ଯ୍ୟ କରୁଥିବା ମହାକାଶ ବିଭାଗର ପିଏସୟୁ, ‘ନ୍ୟୁସ୍ପେସ ଇଣ୍ଡିଆ ଲିମିଟେଡ’ (ଏନ୍ଏସ୍ଆଇଏଲ) ସହିତ ସ୍ବାକ୍ଷରିତ ହୋଇଛି। ସେହିପରି ୧,୫୪୩ କୋଟି ଟଙ୍କାର ଟର୍ପେଡୋ ଚୁକ୍ତି ହାଇଦ୍ରାବାଦର ‘ଭାରତ ଡାଇନାମିକ୍ସ ଲିମିଟେଡ’ (ବିଡିଏଲ) ସହିତ ସ୍ବାକ୍ଷରିତ ହୋଇଛି। ମନ୍ତ୍ରଣାଳୟ କହିଛି, ଏହି ସ୍ବଦେଶୀ ଭାବେ ନିର୍ମିତ ଉପଗ୍ରହ ଭାରତୀୟ ବାୟୁସେନାର ସମ୍ପତ୍ତି ପାଇଁ ସୁରକ୍ଷିତ, ସ୍ଥିର ଏବଂ ନିରବଚ୍ଛିନ୍ନ ଯୋଗାଯୋଗ କ୍ଷମତାକୁ ବୃଦ୍ଧି କରିବ ଯାହା ଦ୍ୱାରା ଅପରେସନାଲ କାର୍ଯ୍ୟଦକ୍ଷତା ମଜଭୁତ ହେବ।
‘ଅପରେସନ ସିନ୍ଦୂର’ ପରେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିବା ସାର୍ବଭୌମ ସାମରିକ ମହାକାଶ କ୍ଷମତା ପାଇଁ ଏହା ଏକ ବ୍ୟାପକ ପ୍ରୟାସର ଅଂଶ । ଏହାପରେ ସରକାର କକ୍ଷପଥରେ ୫୨ଟି ସାମରିକ ଉପଗ୍ରହ ସ୍ଥାପନ କରିବା ପାଇଁ ୨୬,୯୬୮ କୋଟି ଟଙ୍କାର ମହାକାଶ-ଭିତ୍ତିକ ନୀରିକ୍ଷଣ (ଏସ୍ବିଏସ୍-୩) କାର୍ଯ୍ୟକ୍ରମକୁ ତ୍ୱରାନୱିତ କରିଛନ୍ତି। ଅନ୍ୟପକ୍ଷରେ ‘ବରୁଣାସ୍ତ୍ର’ ହେଉଛି ବିଶାଖାପଟ୍ଟନମସ୍ଥିତ ଡିଆର୍ଡିଓର ନାଭାଲ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିକାଲ ଲ୍ୟାବ ଦ୍ୱାରା ବିକଶିତ ଏକ ଜାହାଜ-ନିର୍ଗତ ଆଣ୍ଟି-ସବମରିନ ଟର୍ପେଡୋ। ଏହା ଦୂର ଦୂରାନ୍ତରରେ ଶତ୍ରୁର ସବ୍ମେରିନ୍ଗୁଡ଼ିକୁ ମୁକାବିଲା କରିବାରେ ସକ୍ଷମ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।