ଭାରତ ବିପକ୍ଷ ସିରିଜ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍ରେ ବଡ଼ ହଲଚଲ: ଦଳରୁ ବାଦ୍ ପଡ଼ିଲେ ଦୁଇ ଷ୍ଟାର୍ ଖେଳାଳି
ନୂଆଦିଲ୍ଲୀ, ୨।୧୧: ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଲାଗିଛି ଦୁଇଟି ବଡ଼ ଝଟ୍କା। ଦଳର ଷ୍ଟାର ବ୍ୟାଟର୍ ମାର୍କ ଚାପମ୍ୟାନ ଏବଂ ସ୍ପିନ ଅଲରାଉଣ୍ଡର୍ ରଚିନ ରବୀନ୍ଦ୍ର ୫ଟି ଯାକ ଦିନିକିଆ ମ୍ୟାଚରୁ ବାଦ ପଡ଼ିଛନ୍ତି। ଦୀର୍ଘଦିନ ଧରି ଉଭୟ ଖେଳାଳି ଆହତ ସମସ୍ୟାରେ ରହିଥିବାରୁ ଟି-୨୦ ସିରିଜରେ ମଧ୍ୟ ଖେଳିପାରି ନଥିଲେ।
ଦିନିକିଆ ସିରିଜ ପୂର୍ବରୁ ଉଭୟ ଖେଳାଳି ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଥିଲା। ସେଥିପାଇଁ ସେମାନଙ୍କୁ ଦଳରେ ସ୍ଥାନ ମିଳିଥିଲା। କିନ୍ତୁ ସୋମବାର ଉଭୟଙ୍କୁ ସିରିଜରୁ ବାଦ ଦିଆଯିବା ସହ ସେମାନଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି।
ମାର୍କ ଚାପମ୍ୟାନ ହାମଷ୍ଟ୍ରିଙ୍ଗ (ଜଙ୍ଘର ମାଂସପେଶୀରେ ଟାଣ) ଆଘାତରୁ ସୁସ୍ଥ ହେଉଥିବା ବେଳେ ରଚିନ ରବୀନ୍ଦ୍ର ଏବେ ବି କାନ୍ଧ ଆଘାତରୁ ମୁକୁଳି ପାରିନାହାନ୍ତି। ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ସମ୍ପ୍ରତି କରାଯାଇଥିବା ଏମଆର୍ଆଇ ରିପୋର୍ଟରୁ ଜଣାପଡ଼ିଛି ଯେ, ଚାପମ୍ୟାନଙ୍କୁ ବାମ ଜଙ୍ଘର ମାଂସପେଶୀ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦୁଇ ସପ୍ତାହ ସମୟ ଲାଗିବ। ସେହିପରି ଡାହାଣ କାନ୍ଧରେ ଆଘାତ ଯୋଗୁଁ ରଚିନ ରବୀନ୍ଦ୍ର ଏବେ ବି ପୂର୍ଣ୍ଣ କ୍ଷମତାରେ ଫିଲ୍ଡିଂ କରିପାରୁନାହାନ୍ତି।
ଚାପମ୍ୟାନ ଓ ରଚିନ ରବୀନ୍ଦ୍ର ବାଦ ପଡ଼ିବା ପରେ ଟିମ ସିଫର୍ଟ ପୂରା ସିରିଜ ପାଇଁ ଦଳରେ ରହିବେ। ଅନ୍ୟପଟେ ହେନେରୀ ନିକୋଲ୍ସ ପ୍ରଥମ ତିନୋଟି ମ୍ୟାଚ ଖେଳିବେ। ଚତୁର୍ଥ ଓ ପଞ୍ଚମ ଦିନିକିଆ ପାଇଁ ଡିନ ଫକ୍ସକ୍ରଫ୍ଟଙ୍କୁ ଦଳରେ ସାମିଲ କରାଯାଇଛି। ଉଭୟ ଖେଳାଳି ବାଦ ପଡ଼ିବା ନ୍ୟୁଜିଲାଣ୍ଡ ପାଇଁ ନିରାଶାଜନକ ବୋଲି ଦଳର ମୁଖ୍ୟ କୋଚ ରବ ୱାଲ୍ଟର କହିଛନ୍ତି।
ମିଚେଲ ସାଣ୍ଟନର୍ (ଅଧିନାୟକ), ମାଇକେଲ ବ୍ରେସୱେଲ, ଡେଭନ କନୱେ, ଜାକବ ଡଫି, ମ୍ୟାଟ ଫିସର୍, ମ୍ୟାଟ ହେନରୀ, କାଇଲ ଜେମିସନ, ଟମ ଲାଥମ (ଉଇକେଟକିପର), ଡାରିଲ ମିଚେଲ, ହେନେରୀ ନିକୋଲ୍ସ, ଗ୍ଲେନ ଫିଲିପ୍ସ, ଟିମ ସିଫର୍ଟ, ନାଥନ ସ୍ମିଥ, ୱିଲ ୟଙ୍ଗ ଏବଂ ବ୍ଲେୟାର୍ ଟିକନର୍।
ଚତୁର୍ଥ ଓ ପଞ୍ଚମ ଦିନିକିଆ ପାଇଁ ନ୍ୟୁଜିଲାଣ୍ଡର ସଂଶୋଧିତ ଦଳ
ମିଚେଲ ସାଣ୍ଟନର୍ (ଅଧିନାୟକ), ଫିନ ଆଲେନ, ମାଇକେଲ ବ୍ରେସୱେଲ, କ୍ରିଷ୍ଟିଆନ କ୍ଲାର୍କ, ଜାକବ ଡଫି, ମ୍ୟାଟ ଫିସର୍, ଡିନ ଫକ୍ସକ୍ରଫ୍ଟ, ଲକି ଫର୍ଗୁସନ, ମିଚ ହେ (ଉଇକେଟକିପର), ନିକ କେଲି, ଟିମ ସିଫର୍ଟ (ଉଇକେଟକିପର), ବ୍ଲେୟାର୍ ଟିକନର୍ ଏବଂ ୱିଲ ୟଙ୍ଗ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।