ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ
ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ) ମେଘନାଦ ପାଚେରୀର ସୁରକ୍ଷା ଗାର୍ଡ ୱାଲର ପ୍ରାୟ ୩୦ ଫୁଟ ଭୁଶୁଡ଼ି ପଡିଛି। ସେତିକିବେଳେ ନିୟୋଜିତ ଥିବା ୧୦ରୁ ଊଦ୍ଦର୍ବ ମନ୍ଦିର ସଫେଇ କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ଏହି ସମ୍ପର୍କରେ ଖଣ୍ଡପଡ଼ା ତହସିଲଦାର ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱବିଶ୍ରୁତ ତ୍ରିପାଠୀଙ୍କୁ ଅବଗତ କରିବା ପରେ ସେ ଜିଲାପାଳକୁ ଅବଗତ କରିବେ ବୋଲି ସୂଚନା ଦେଇଛନ୍ତି । ପରେ ତହସିଲଦାର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ମନ୍ଦିରର ଅନ୍ୟାନ୍ୟ ଅସୁରକ୍ଷିତ ସ୍ଥାନ ଦେଖି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ, ବହୁ ପୁରାତନ ଏହି ମନ୍ଦିରର ମେଘନାଦ ପାଚେରୀ ସହିତ ମନ୍ଦିର ପ୍ରାଙ୍ଗଣରେ ଫାଟ ସୃଷ୍ଟି ହୋଇଥିବା ଖବର ଧରିତ୍ରୀରେ ପୂର୍ବରୁ ପ୍ରକାଶିତ ହୋଇଥିଲା। ଏହାର ସ୍ଥାୟୀ ପ୍ରତିକାର ଦିଗରେ ପ୍ରତ୍ନତତ୍ତ୍ୱ ବିଭାଗ ଦୃଷ୍ଟି ନ ଦେଇ କେବଳ ମରାମତି କରି ଦାୟିତ୍ୱ ସମ୍ପନ୍ନ କରିଥିବା ଅଭିଯୋଗ ହୋଇଥିଲା।
ଏପରିକି ମନ୍ଦିରର ଉତ୍ତର ଏବଂ ପଶ୍ଚିମ ପାର୍ଶ୍ୱ ମେଘନାଦ ପାଚେରୀ ଦବୁଥିବା ବେଳେ ଏଥିପ୍ରତି ପ୍ରତ୍ନତତ୍ତ୍ୱ ବିଭାଗ ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣର ଦାବି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।