ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ
ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍ରେ ଗତ ତିନି ଦିନ ଧରି ଅବିଶ୍ରାନ୍ତ ଲଗାଣ ବର୍ଷା ଓ ପ୍ରବଳ ପବନ ଲାଗିରହିଛି। ଏଥିଯୋଗୁଁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପାହାଡ଼ିଆ ଅଞ୍ଚଳରେ ମାଟି ଅତଡ଼ା ଖସିବା ସହ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ି ପ୍ରମୁଖ ରାସ୍ତାଗୁଡ଼ିକ ଅବରୋଧ ହୋଇଛି। ଅନ୍ୟପଟେ ଅନେକ ଗ୍ରାମରେ କଚ୍ଚା ଓ ଖପରଘର ଭୁଶୁଡ଼ି ପଡ଼ିବାରୁ ଶତାଧିକ ପରିବାର ବାସହୀନ ହୋଇ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି।
ବିଶେଷକରି ପାଡ଼େପଦର ଗ୍ରାମପଞ୍ଚାୟତର ହାଡ଼ସିଲ ଗ୍ରାମ ନିକଟରେ ପାହାଡ଼ ଧସି ହାଡ଼ସିଲ-ତଲପଡ଼ା ରାସ୍ତାରେ ମାଟି ଅତଡ଼ା ଖସିବାରୁ ଗମନାଗମନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସେହିପରି ଖମାରପଦର ଗ୍ରାମ ନିକଟସ୍ଥ ‘ତାରସମାଳି ଡଙ୍ଗର’ରୁ କ୍ରମାଗତ ଭାବେ ମାଟି ଅତଡ଼ା ଖସୁଥିବାରୁ ଗ୍ରାମ ପ୍ରତି ବଡ଼ଧରଣର ବିପଦ ଆଶଙ୍କା କରି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବର୍ଷା ଓ ପବନର କୋପ ଯୋଗୁଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ‘ସାନ ଛତ୍ରଙ୍ଗ’ର ଅବସ୍ଥା ମଧ୍ୟ ଅତ୍ୟନ୍ତ ବେହାଲ ହୋଇପଡ଼ିଛି।
ବର୍ଷାର ପ୍ରଭାବରେ ବ୍ଲକ୍ ସଦର ମହକୁମା ସମେତ ବିଭିନ୍ନ ଅଞ୍ଚଳରେ ଅନେକ ମାଟିଘର ଭୁଶୁଡ଼ି ପଡ଼ିଛି। ବ୍ଲକ୍ ସଦର ମହକୁମା ଶିବ ମନ୍ଦିର ପଡ଼ାର ଟଙ୍କଧର ପୁଝାରୀ ନିଜ ସ୍ତ୍ରୀ ଓ ତିନି ଛୁଆଙ୍କ ସହ ପଲିଥିନ୍ ଘୋଡ଼ାଇଥିବା ଏକ ମାଟିଘରେ ରହୁଥିଲେ। ତେବେ ବର୍ଷା ମଧ୍ୟରେ ଭୋର ପ୍ରାୟ ୫ଟା ସମୟରେ ଘରର ଗୋଟିଏ ପଟ କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ଦୁର୍ବଳ ଥିବା ଅନୁମାନ କରି ଟଙ୍କଧର ସ୍ତ୍ରୀ ଓ ପିଲାଙ୍କୁ ନିକଟସ୍ଥ ମାଆଙ୍କ ଘରକୁ ନେଇଯାଇଥିବାରୁ ଏକ ବଡ଼ ଅଘଟଣରୁ ପରିବାର ବର୍ତ୍ତିଯାଇଛନ୍ତି।
ସେହିପରି ଅଚ୍ୟୁତ ପୁଝାରୀଙ୍କ ପରିବାର ମଧ୍ୟ ସମାନ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି। ତାଙ୍କ ବଡ଼ପୁଅ ମୁକୁନ୍ଦ, ବୋହୂ ଝରଣା, ସାନପୁଅ ଅଖଣ୍ଡ ଏବଂ ନାତି ସତ୍ୟବାନ ରହୁଥିବା ପଲିଥିନ୍ ଘୋଡ଼ା ମାଟିଘରର କାନ୍ଥ ଭୁଶୁଡ଼ି ପଡ଼ିଛି। ଅନ୍ୟପଟେ ଅଡ୍ରୀ ଗ୍ରାମର ସିଦ୍ଧାନ୍ତ ସାହୁଙ୍କ ଘର କାନ୍ଥ ଭୁଶୁଡ଼ି ଯିବାରୁ ସେ ନିଜ ସ୍ତ୍ରୀ କସ୍ତୁରୀ, ପୁଅ ତ୍ରିନାଥ ଓ ମଦନଙ୍କୁ ନେଇ ଅସହାୟ ଅବସ୍ଥାରେ ରହିଛନ୍ତି।
ଏହାବ୍ୟତୀତ କର୍ଲାପାଟ ଗ୍ରାମପଞ୍ଚାୟତର କୁକୁରଭୂର୍ଷୀ ଗ୍ରାମର କୁଲି ମାଝୀଙ୍କ ଘର ଗତକାଲି ରାତିରେ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି। କରାଡ଼ପାସ ଗ୍ରାମର କାଲାବତୀ ବେୱା, ଖମାରପଦର ଭାଟିପଡ଼ାର ଉମାଶଙ୍କର ନାଏକ ଓ ବୁଡୁ ମାଝୀ, କେରପାଇ ପଞ୍ଚାୟତର ମାଝୀଗାଁର ଗୁଣବାହୁର, କେରପାଇ ନୁନ୍ରେଶ ଅଞ୍ଚଳର ନରସିଂହ ମାଝୀ ଏବଂ ତାରାମୁଣ୍ଡି ଗ୍ରାମର ମାହାକେଇ ମାଝୀଙ୍କ ଘର ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଲଗାଣ ବର୍ଷା ଯୋଗୁଁ ନଦୀନାଳର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ଗ୍ରାମ ଜଳବନ୍ଦୀ ହୋଇପଡ଼ିଛି। କେରପାଇ, ତଲାମପଦର, ଓଡ୍ରି, ଗୋପୀନାଥପୁର, ମାଲିଗାଁ, ପାଡ଼େପଦର, କର୍ଲାପାଟ, ଗୁଣୁପୁର ଓ ନକରୁଣ୍ଡି ଆଦି ଅଞ୍ଚଳରେ ବର୍ଷାର କୋପ ଅଧିକ ଦେଖିବାକୁ ମିଳିଛି। ପାଡ଼େପଦର ପଞ୍ଚାୟତର ଭୂତଗୁଡ଼ା (ତେନ୍ତୁଳିପଡ଼ା) ଗ୍ରାମ ନିକଟସ୍ଥ ଡୁମୁରିମୁଣ୍ଡା ନାଳରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗ୍ରାମବାସୀ ଦୁଇ ଦିନ ହେଲା ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛନ୍ତି।
ସେହିପରି କେରପାଇ ପଞ୍ଚାୟତର କାଚେଲେଖା, କୁଟ୍ରୁମାଲି ଓ ପୋଡ଼ାପାରି ଗ୍ରାମବାସୀ ନାଗାବଳୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବାହାର ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି। ଘରେ ପାଣି ପଶିଯିବା ଓ ଜାଳେଣି ଓଦା ହୋଇଯିବାରୁ ରୋଷେଇ ବନ୍ଦ ହୋଇ ସାଧାରଣ ଲୋକେ ଭୋକଉପାସରେ ଦିନ କାଟୁଛନ୍ତି।
ରାସ୍ତାଘାଟ ବିପର୍ଯ୍ୟସ୍ତ ହେବା ଯୋଗୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। କର୍ଲାପାଟ ମୁଖ୍ୟ ରାସ୍ତା ଏବଂ ସିଆଲିପଦର ମଶାଣି ଆଗରେ ପ୍ରକାଣ୍ଡ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ଅନ୍ୟପଟେ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଦ୍ୟୁତ୍ ସେବା ବନ୍ଦ ରହିବା ଯୋଗୁଁ ସାରା ଅଞ୍ଚଳ ଅନ୍ଧାରରେ ରହିଛି। ପ୍ରବଳ ପବନ ଯୋଗୁଁ ବିଦ୍ୟୁତ୍ ସରବରାହ କଟାଯାଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।
ଏଭଳି ବିପର୍ଯ୍ୟସ୍ତ ସ୍ଥିତିରେ ବ୍ଲକ୍ ପ୍ରଶାସନ କିମ୍ବା ତହସିଲ ବିଭାଗ ପକ୍ଷରୁ କୌଣସି ଆଗୁଆ ସତର୍କତା କିମ୍ବା ପ୍ରତ୍ୟକ୍ଷ ସହାୟତା ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଖମାରପଦର ଓ ହାଡ଼ସିଲ ଭଳି ସମ୍ବେଦନଶୀଳ ଅଞ୍ଚଳ ସମେତ ପ୍ରତି ଗ୍ରାମପଞ୍ଚାୟତରେ କ୍ଷୟକ୍ଷତି ଆକଳନ କରନ୍ତୁ ବୋଲି ଦାବି ହୋଇଛି। ଏଥିସହ ଜଳବନ୍ଦୀ, ବାସହୀନ ଓ ଆବାସ ଯୋଜନାରୁ ବଞ୍ଚିତ ଅସହାୟ ପରିବାରଗୁଡ଼ିକୁ ପଲିଥିନ୍, ରିଲିଫ୍ ଓ ଶୁଖିଲା ଖାଦ୍ୟ ସହ ଯୋଗ୍ୟତା ଭିତ୍ତିରେ ସରକାରୀ ଆବାସ ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।
ଏନେଇ ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।