ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ
କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କଳାହାଣ୍ଡି ଜିଲା କୋକସରା ବ୍ଲକ ଚିକିଲି ଗ୍ରାମର ଯବାନ ସରୋଜ କୁମାର ଶବର ନାଗାଲାଣ୍ଡ ଜୋନୋବୋଟୋ କ୍ୟାମ୍ପରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ । ସେ’ ମା’ଙ୍କ ଶ୍ରାଦ୍ଧ ପାଇଁ ନିଜ ଗାଁକୁ ଛୁଟିରେ ଆସିଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସରୋଜ ଚିକିଲି ଗ୍ରାମରୁ ସେନା ବାହିନୀରେ ଯୋଗଦେଇଥିବା ପ୍ରଥମ ଯବାନ ଥିଲେ। ସାଥୀ ଯବାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ଓ ତୋଫ ସଲାମୀ ଦେବାକୁ ଗୋପାଳପୁର ସେନା କ୍ୟାମ୍ପରୁ ଏଏଡି ରେଜିମେଣ୍ଟ ପକ୍ଷରୁ ୨୦ଜଣ ଯବାନଙ୍କ ଟିମ ଚିକିଲି ଗ୍ରାମରେ ପହଞ୍ଚି ତାଙ୍କ ବାସଭବନରେ ଦିବଂଗତ ଯବାନଙ୍କ ପାର୍ଥିବ ଶରୀରରେ ଜାତୀୟ ପତାକାରେ ଶ୍ରଦ୍ଧାଞ୍ଜଳି ଦେବାସହ ସେନା ବାହିନୀର ଗାଡିରେ ମର ଶରୀରକୁ ନେଇ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଗାର୍ଡ ଅଫ ଅନର ଦେଇ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସେନା ବାହିନୀ ରେଜିମେଣ୍ଟର ମେଜର ସୁବେଦାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଯବାନଙ୍କ ବିରତ୍ୱ ଓ ଦେଶସେବାକୁ ସମ୍ମାନ ଜଣାଇ ସେନା ବାହିନୀ ପକ୍ଷରୁ ତୋଫ ସଲାମୀ ଦିଆଯାଇଥିଲା। ମାଟିର ଜଣେ ଯବାନଙ୍କୁ ହରାଇ ଗାଁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଭର୍ଷିତା ଆଡେପୁ, କୋକସରା ଥାନା ଅଧିକାରୀ ଡମ୍ବରୁଧର ଭରତିଆ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ଏଥି ସହିତ ଅଞ୍ଚଳର ଶତାଧିକ ଜନସାଧାରଣ ସମେତ ଅବସରପ୍ରାପ୍ତ ସିପାହୀ ଉପସ୍ଥିତ ଥିଲେ। ଗାଁ ଶ୍ମଶାନରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।