ଦିଗପହଣ୍ଡିରେ ଧୂମ୍‌ଧାମ୍‌ରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ଆରମ୍ଭ: ଅଞ୍ଚଳ କଲୋନୀ ଚଳଚଞ୍ଚଳ

Oct 24, 2026 - 21:05
ଦିଗପହଣ୍ଡିରେ ଧୂମ୍‌ଧାମ୍‌ରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ଆରମ୍ଭ: ଅଞ୍ଚଳ କଲୋନୀ ଚଳଚଞ୍ଚଳ

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନିଳାଦ୍ରୀ ବିହାର ପ୍ରଥମ ଲେନ୍‌ରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଧର୍ମୀୟ ଭାବନା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ଶନିବାରଠାରୁ ଶୁଭାରମ୍ଭ ହୋଇଛି। ମା’ ଗଜଲକ୍ଷ୍ମୀଙ୍କ ଏହି ପୂଜା ଧନ, ଧାନ୍ୟ, ସମୃଦ୍ଧି, ସୁଖ ଓ ଶାନ୍ତିର ପ୍ରତୀକ ଭାବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ମହତ୍ତ୍ୱ ବହନ କରେ। ଏହି ପୂଜା ମାଧ୍ୟମରେ ଅଞ୍ଚଳବାସୀଙ୍କ ମଧ୍ୟରେ ଧାର୍ମିକ ଭାବନା ଜାଗ୍ରତ ହେବା ସହ ସାମାଜିକ ଏକତା ଓ ଭାଇଚାରାର ବାର୍ତ୍ତା ପ୍ରସାରିତ ହେଉଥିବା ବେଳେ ସମଗ୍ର ଅଞ୍ଚଳ କଲୋନୀରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

ପୂଜାର ପ୍ରଥମ ଦିବସରେ ମା’ ଅଞ୍ଚଳେଶ୍ୱରୀ ଠାକୁରାଣୀ ପୀଠ ସଂଲଗ୍ନ ପୁଷ୍କରିଣୀରୁ ପ୍ରଚଳିତ ବିଧି ବିଧାନ ଅନୁଯାୟୀ ଗଙ୍ଗା ମାତାଙ୍କୁ ଆବାହନ କରାଯାଇଥିଲା। ଏହାପରେ ବହୁ ସଂଖ୍ୟକ ମହିଳା ଶ୍ରଦ୍ଧାଳୁ ପୂର୍ଣ୍ଣ ଜଳକଳସ ଶୋଭାଯାତ୍ରାରେ ବାହାରି ପୂଜାସ୍ଥଳରେ ପହଞ୍ଚିବା ପରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କର ପୂଜାର୍ଚ୍ଚନା କରାଯାଇଥିଲା। ଚଳିତ ବର୍ଷ ଦେବାଶିଷ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ସାଇପ୍ରିୟା ପଣ୍ଡା କର୍ତ୍ତା ଭାବେ ପୂଜା କାର୍ଯ୍ୟ ତୁଲାଉଛନ୍ତି।

ଚଳିତ ବର୍ଷ ଏହି ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ୫ମ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ମା’ ଗଜଲକ୍ଷ୍ମୀଙ୍କ ସହସ୍ରାର୍ଚ୍ଚନା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା କରାଯାଇଥିବା ପୂଜା ପରିଚାଳନା କମିଟି ସଭାପତି ଦାମୋଦର ପାଢ଼ୀ, ସମ୍ପାଦକ କୈଳାସ ଦାସ ଓ କୋଷାଧ୍ୟକ୍ଷ ପ୍ରଭାକର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଆସନ୍ତା ସୋମବାର ପୂଜା ସ୍ଥଳରେ ଚାଲିଥିବା ମହାହୋମର ପୂର୍ଣ୍ଣାହୁତି ହେବ ବୋଲି ବେଦ ବିଭୂଷଣ ବେଦମୂର୍ତ୍ତି ପଣ୍ଡିତ ସମ୍ଭବ କୁମାର ତ୍ରିପାଠୀ ଶର୍ମା ଜଣାଇଛନ୍ତି।

ଏହି ଆୟୋଜନରେ କଲୋନୀର ସୁଦାମ ଦାସ, ସୀମାଞ୍ଚଳ ପଣ୍ଡା, ଲକ୍ଷ୍ମୀ ନାରାୟଣ ପାଢ଼ୀ, କେ. ଜଗନ୍ନାଥ, ଶିବାଶିଷ ଦାସ ଓ ରବି ନାରାୟଣ ପାଢ଼ୀ ପ୍ରମୁଖ ସକ୍ରିୟ ସହଯୋଗ କରୁଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।