ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା
ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ ଉଜ୍ଜୟିନୀର ଅର୍ଜୁନ ପରମାର । ମାତ୍ର ୨୬ ବର୍ଷ ବୟସରେ ତାଙ୍କ ବାର୍ଷିକ ଦରମା ପ୍ୟାକେଜ୍ ପ୍ରାୟ ୫୦ ଲକ୍ଷ ଟଙ୍କାରେ ପହଞ୍ଚିଛି । ଏହା ସହ ଗତ ତିନି ବର୍ଷ ମଧ୍ୟରେ ସେ ପ୍ରାୟ ୬୫ରୁ ୭୫ ଲକ୍ଷ ଟଙ୍କାର ଆର୍ଥିକ ସମ୍ପତ୍ତି ଗଢ଼ିଥିବା ରିପୋର୍ଟରେ ଦାବି କରାଯାଇଛି । ତେବେ ତାଙ୍କ ଯାତ୍ରା ଏତେ ସହଜ ନଥିଲା। ଚାକିରି ହରାଇବା ଭଳି କଠିନ ପରିସ୍ଥିତିର ମଧ୍ୟ ସେ ସାମ୍ନା କରିଛନ୍ତି।
ଅର୍ଜୁନ ମଧ୍ୟପ୍ରଦେଶର ଉଜ୍ଜୟିନୀର ବାସିନ୍ଦା। ତାଙ୍କ ବାପା ଛୋଟ ଇଲେକ୍ଟ୍ରିକ୍ ସାମଗ୍ରୀ ବ୍ୟବସାୟ କରୁଥିବା ବେଳେ ମା’ ଜଣେ ଗୃହିଣୀ। ଅର୍ଜୁନ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT)ରୁ ମେକାନିକାଲ ଇଞ୍ଜିନିୟରିଂ ପଢ଼ିଥିଲେ। କିନ୍ତୁ କଲେଜ ପରେ ନିଜ ପସନ୍ଦର କମ୍ପ୍ୟୁଟର ସାଇନ୍ସ ଓ ସଫ୍ଟୱେର୍ କ୍ଷେତ୍ରରେ ଚାକିରି ପାଇବା ତାଙ୍କ ପାଇଁ ସହଜ ନଥିଲା। ଏହି ସମସ୍ୟାର ସମାଧାନ ପାଇଁ ସେ ପ୍ରୋଗ୍ରାମିଂ, କୋଡିଂ ଓ ସଫ୍ଟୱେର୍ ଡେଭଲପ୍ମେଣ୍ଟ ଶିଖିବା ଆରମ୍ଭ କରିଥିଲେ। ୨୦୨୩ରେ ତାଙ୍କୁ ଟେକ୍ ମହିନ୍ଦ୍ରାରେ ଚାକିରି ମିଳିଥିଲା। ସେତେବେଳେ ତାଙ୍କ ବାର୍ଷିକ ପ୍ୟାକେଜ୍ ପ୍ରାୟ ୨.୨ ଲକ୍ଷ ଟଙ୍କା ଥିଲା ଏବଂ ମାସିକ ଇନ୍-ହ୍ୟାଣ୍ଡ ଦରମା ପ୍ରାୟ ୧୮ ହଜାର ଟଙ୍କା ଥିଲା।
କମ୍ ଦରମା ସତ୍ତ୍ୱେ ସେ ସଞ୍ଚୟକୁ ଗୁରୁତ୍ୱ ଦେଇଥିଲେ। ପ୍ରତି ମାସରେ ବାପା-ମା’ଙ୍କୁ ଟଙ୍କା ପଠାଇବା ସହ ନିଜର ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖୁଥିଲେ । ୨୦୨୩ ଶେଷ ଆଡ଼କୁ ସେ ମାସିକ ୫ ହଜାର ଟଙ୍କାର SIP ମଧ୍ୟ ଆରମ୍ଭ କରିଥିଲେ। ଅର୍ଜୁନଙ୍କ କ୍ୟାରିୟରରେ ୨୦୨୪ ଅକ୍ଟୋବରରେ ବଡ଼ ପରିବର୍ତ୍ତନ ଆସିଥିଲା। ଟେକ୍ ମହିନ୍ଦ୍ରାରେ ପ୍ରାୟ ୧୫ ମାସ କାମ କରିବା ପରେ ସେ ଆକ୍ସେଞ୍ଚରରେ ଯୋଗ ଦେଇଥିଲେ । ଏଠାରେ ତାଙ୍କ ବାର୍ଷିକ ଦରମା ପ୍ୟାକେଜ୍ ପ୍ରାୟ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ବେଙ୍ଗାଲୁରୁରେ ରହିବା ସମୟରେ ସେ ଘରଭଡ଼ା, ଖାଦ୍ୟ ଓ ଯାତାୟାତ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିଥିଲେ । ଏହା ସହ ନିଜର ମାସିକ SIP ନିବେଶକୁ ୩୫ରୁ ୪୦ ହଜାର ଟଙ୍କାକୁ ବଢ଼ାଇଥିଲେ । ପରିବାରକୁ ମଧ୍ୟ ପୂର୍ବାପେକ୍ଷା ଅଧିକ ଟଙ୍କା ପଠାଇବା ଆରମ୍ଭ କରିଥିଲେ।
୨୦୨୫ ଅଗଷ୍ଟରେ ଅର୍ଜୁନଙ୍କୁ ଏକ ବଡ଼ ଗ୍ଲୋବାଲ୍ ଟେକ୍ନୋଲୋଜି କମ୍ପାନୀରେ ଚାକିରି ମିଳିଥିଲା। ତାଙ୍କ ବାର୍ଷିକ ପ୍ୟାକେଜ୍ ପ୍ରାୟ ୪୫ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ପ୍ରାରମ୍ଭିକ ଦରମା ତୁଳନାରେ ଏହା ଏକ ବଡ଼ ସଫଳତା ଥିଲା। ଅଧିକ ରୋଜଗାର ସହ ତାଙ୍କ ଖର୍ଚ୍ଚ ମଧ୍ୟ ବଢ଼ିଥିଲା। ଭଲ ଘର, ବାହାରେ ଖାଇବା ଓ ଭ୍ରମଣ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ତଥାପି ସେ ପ୍ରତି ମାସରେ ପ୍ରାୟ ୧ରୁ ୧.୨୫ ଲକ୍ଷ ଟଙ୍କା ନିବେଶ ଜାରି ରଖିଥିଲେ। କିନ୍ତୁ ୨୦୨୬ ମେ’ ମାସରେ କମ୍ପାନୀର ପୁନର୍ଗଠନ ଯୋଗୁଁ ତାଙ୍କ ଚାକିରି ଚାଲିଯାଇଥିଲା। ଏତେ ଭଲ ଦରମାର ଚାକିରି ଅଳ୍ପ ସମୟ ମଧ୍ୟରେ ହାତଛଡ଼ା ହେବା ତାଙ୍କ ପାଇଁ ଏକ ବଡ଼ ଝଟ୍କା ଥିଲା।
ହେଲେ ଏହି ସମୟରେ ତାଙ୍କର ପ୍ରାୟ ୬ ଲକ୍ଷ ଟଙ୍କାର ଜରୁରୀକାଳୀନ ପାଣ୍ଠି ଥିଲା। ଏହା ତାଙ୍କୁ ନିବେଶ ଭାଙ୍ଗିବା ପରିବର୍ତ୍ତେ ନୂଆ ଚାକିରି ଖୋଜିବା ପାଇଁ ସମୟ ଦେଇଥିଲା। ଚାକିରି ହରାଇବା ପରେ ଅର୍ଜୁନ ପୁଣିଥରେ କୋଡିଂ, ଟେକ୍ନିକାଲ୍ ଇଣ୍ଟରଭ୍ୟୁ ଓ ସିଷ୍ଟମ୍ ଡିଜାଇନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଅନେକ ସ୍ଥାନରେ ବିଫଳ ହେବା ପରେ ଶେଷରେ ୨୦୨୬ ସେପ୍ଟେମ୍ବରରେ ତାଙ୍କୁ ଅନ୍ୟ ଏକ ବଡ଼ ଗ୍ଲୋବାଲ୍ ଟେକ୍ନୋଲୋଜି କମ୍ପାନୀରେ ଚାକିରି ମିଳିଥିଲା।ବର୍ତ୍ତମାନ ତାଙ୍କର ବାର୍ଷିକ CTC ପ୍ରାୟ ୫୦ ଲକ୍ଷ ଟଙ୍କା। ତେବେ ଏହାର ଅର୍ଥ ନୁହେଁ ଯେ ପ୍ରତି ମାସରେ ତାଙ୍କ ବ୍ୟାଙ୍କ ଖାତାକୁ ୪.୨ ଲକ୍ଷ ଟଙ୍କା ଆସୁଛି। ଟିକସ ଓ ଅନ୍ୟାନ୍ୟ କଟୋତି ପରେ ତାଙ୍କ ମାସିକ ଇନ୍-ହ୍ୟାଣ୍ଡ ଦରମା ପ୍ରାୟ ୨.୮ରୁ ୩ ଲକ୍ଷ ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।