ମିଳିଲା ବଡ଼ ସଫଳତା, ପ୍ଲୁଟୋ ପଛରେ ଲୁଚି ରହିଛି ଆଉ ଏକ ବିଶାଳକାୟ ବାମନ ଗ୍ରହ
ନୂଆଦିଲ୍ଲୀ,୨୯।୧୦: ମହାକାଶ ବିଜ୍ଞାନୀମାନେ ପ୍ଲୁଟୋ ପଛରେ ଲୁଚି ରହିଥିବା ଏକ ବିଶାଳକାୟ ନୂତନ ବାମନ ଗ୍ରହର ସନ୍ଧାନ ପାଇଛନ୍ତି । ଚିଲିରେ ଅବସ୍ଥିତ ବିଶ୍ୱର ସବୁଠାରୁ ବଡ଼ ସର୍ଭେ ଦୂରବୀକ୍ଷଣ ଯନ୍ତ୍ର ‘ଭେରା ସି. ରୁବିନ ଅବଜରଭେଟରି’ ଦ୍ୱାରା ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ହୋଇଛି । ପ୍ରାରମ୍ଭିକ ଭାବେ ଏହି ଆକାଶୀୟ ପିଣ୍ଡକୁ ‘୨୦୨୬ ଇଡି୧୩୮’ ନାମକରଣ କରାଯାଇଛି । ହାର୍ଭାର୍ଡ-ସ୍ମିଥ୍ସୋନିଆନ ସେଣ୍ଟର ଫର ଆଷ୍ଟ୍ରୋଫିଜିକ୍ସର ମହାକାଶ ବିଜ୍ଞାନୀ ମାଥ୍ୟୁ ହୋଲ୍ମ୍ୟାନ ଏବଂ କେଭିନ ନାପିୟରଙ୍କ ଦ୍ୱାରା ବିକଶିତ ଏକ ବିଶେଷ ସଫ୍ଟୱେର୍ ସାହାଯ୍ୟରେ ଅକ୍ଟୋବର ୧୩, ୨୦୨୬ରେ ଏହି ଗ୍ରହାଣୁର ଅସ୍ତିତ୍ୱ ଚିହ୍ନଟ କରାଯାଇଛି।
ମହାକାଶ ବିଜ୍ଞାନୀମାନଙ୍କ ଅନୁମାନ ଅନୁଯାୟୀ, ଏହି ବାମନ ଗ୍ରହର ବ୍ୟାସ ପ୍ରାୟ ୬୦୦ରୁ ୧,୫୦୦ କିଲୋମିଟର (୩୭୩ରୁ ୯୩୨ ମାଇଲ) ମଧ୍ୟରେ ହୋଇପାରେ। ଏହାର ବିଶାଳ ଆକାର ଓ ସ୍ବୟଂ ମାଧ୍ୟାକର୍ଷଣ ବଳ ଯୋଗୁ ଏହା ପ୍ରାୟ ଗୋଲାକାର ରୂପ ଧାରଣ କରିଥିବା ଆଶଙ୍କା କରାଯାଉଛି, ଯାହା ଏହାକୁ ବାମନ ଗ୍ରହର ମାନ୍ୟତା ଦେବା ପାଇଁ ଯଥେଷ୍ଟ। ସୂର୍ଯ୍ୟଙ୍କ ଚାରିପାଖରେ ଥରେ ପ୍ରଦକ୍ଷିଣ କରିବା ପାଇଁ ଏହାକୁ ପ୍ରାୟ ୨୮୧ ବର୍ଷ ସମୟ ଲାଗିଥାଏ। ଏହାର କକ୍ଷପଥ ସୂର୍ଯ୍ୟଠାରୁ ନିକଟତମ ଦୂରତା ହେଉଛି ୩୬.୮୬ ଆଷ୍ଟ୍ରୋନୋମିକାଲ୍ ୟୁନିଟ (ଏୟୁ) ଏବଂ ସର୍ବାଧିକ ଦୂରତା ୪୯.୦୪ ଏୟୁ, ଯାହା ପ୍ରାୟତଃ ପ୍ଲୁଟୋ ଗ୍ରହର କକ୍ଷପଥ ସହିତ ସମାନ। ଏହା ପ୍ଲୁଟୋ ପରି ନିକଟତର ଦୂରତାରେ ଥିଲେ ମଧ୍ୟ ଏହାର କକ୍ଷପଥ ସୌରମଣ୍ଡଳର ସମତଳ ତଳଠାରୁ ପ୍ରାୟ ୨୪.୫ ଡିଗ୍ରୀ ଢଳି ରହିଛି। ଏହାବ୍ୟତୀତ ଛାୟାପଥ (ମିଲ୍କି ଓ୍ବେ)ର ସାନ୍ଦ୍ରତା ନକ୍ଷତ୍ରଗୁଡ଼ିକର ପୃଷ୍ଠଭୂମିରେ ଲୁଚି ରହିଥିବାରୁ ପୂର୍ବରୁ ଏହା ଆଖିରେ ପଡ଼ି ନ ଥିଲା।
ରୁବିନ ଅବଜରଭେଟୋରିର ୩.୨ ଗିଗାପିକ୍ସେଲ ବିଶିଷ୍ଟ ବିଶାଳ କ୍ୟାମେରା ୨୦୨୬ ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ଏହି ପିଣ୍ଡକୁ ୩୦ ଥର ରେକର୍ଡ କରିବା ପରେ, ମହାକାଶ ବିଜ୍ଞାନୀମାନେ ଅତୀତର ଆର୍କାଇଭ ତଥ୍ୟ ଯାଞ୍ଚ କରିଥିଲେ। ଏଥିରୁ ଜଣାପଡ଼ିଛି ଯେ ୨୦୧୬ରୁ ୨୦୨୩ ମଧ୍ୟରେ ‘ଡାର୍କ ଏନର୍ଜି କ୍ୟାମେରା’ ଦ୍ୱାରା ନିଆଯାଇଥିବା ଛବିଗୁଡ଼ିକରେ ମଧ୍ୟ ଏହି ଗ୍ରହଟିର ଉପସ୍ଥିତି ରହିଥିଲା, ଯାହା ୧୦ ବର୍ଷ ଧରି ଗବେଷକଙ୍କ ନଜର ଆଢ଼ୁଆଳରେ ଥିଲା।
ମହାକାଶବିଜ୍ଞାନୀଙ୍କ ମତରେ, ଆଗାମୀ ୧୦ ବର୍ଷ ମଧ୍ୟରେ ରୁବିନ ଅବଜରଭେଟୋରି ସୌରମଣ୍ଡଳର ଶେଷ ଭାଗରେ ଥିବା ଏହିପରି ଅନେକ ହଜାର ନୂତନ ଗ୍ରହାଣୁ ଓ ସମ୍ଭାବ୍ୟ ‘ଗ୍ରହ-୯’ର ରହସ୍ୟ ଉପରୁ ପରଦା ହଟାଇବାରେ ସହାୟକ ହେବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।