ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ
ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ଅସ୍ଥାୟୀ ମାଟି ରାସ୍ତାରେ ବାରମ୍ବାର ଯାତାୟାତ ବାଧାପ୍ରାପ୍ତ ହେଉଛି। ଶୁକ୍ରବାର ଦିନତମାମ ଏକାଧିକ ଗାଡ଼ି ରାସ୍ତାରେ ଦବି ରହିବା ଯୋଗୁ କିଛି ଘଣ୍ଟା ଧରି ଯାତାୟାତ ବନ୍ଦ ରହିଥିଲା।
ଫଳରେ ବାଡ଼ାବାଙ୍ଗା, ସିମନବାଡ଼ି, ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ରାଇକିଆ ସହର ଉପରେ ନିର୍ଭରଶୀଳ ୧୦ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକେ ଏହାଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଏହିସବୁ ଗ୍ରାମବାସୀଙ୍କ ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି।
ପରିସ୍ଥିତି ଏପରି ହୋଇଛି ଯେ, ଅଟୋ ଓ ବାଇକ୍ ମଧ୍ୟ ଚଳାଚଳ କରିବା ସମ୍ଭବ ହେଉନାହିଁ। ଏହି ରାସ୍ତା ଦେଇ ପ୍ରତିଦିନ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ି ଯାତାୟାତ କରୁଥିବାବେଳେ ବର୍ଷା ଯୋଗୁ ସେମାନଙ୍କ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।
ଅନ୍ୟପକ୍ଷରେ, କିଛି ବର୍ଷ ହେଲା ଏଠାରେ ନୂତନ ପୋଲ ନିର୍ମାଣ କାମ ଚାଲିଥିଲେ ମଧ୍ୟ ଏହାର କାର୍ଯ୍ୟ ଶେଷ ହେବାରେ ବିଳମ୍ବ ହେଉଛି। ଏଥିସହ ବର୍ଷା ଋତୁକୁ ଦୃଷ୍ଟିରେ ରଖି ଯାତାୟାତ ସୁବିଧା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉନଥିବାରୁ ବାରମ୍ବାର ଏଭଳି ପରିସ୍ଥିତି ଉପୁଜୁଥିବା ସ୍ଥାନୀୟ ଲୋକେ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।