ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

Oct 06, 2026 - 09:21
ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି ଏକ ରେକର୍ଡ କରିପାରନ୍ତି, ଯାହା ଅଧିନାୟକ ଭାବେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ କରିପାରି ନ ଥିଲେ। ଶ୍ରେୟସଙ୍କ ପାଖରେ ଭାରତୀୟ ଟି-୨୦ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ରେକର୍ଡର ସମକକ୍ଷ ହେବାର ସୁଯୋଗ ରହିଛି।

ଭାରତ ପାଇଁ ଟି-୨୦ ଅଧିନାୟକ ଭାବେ କ୍ରମାଗତ ଭାବେ ସର୍ବାଧିକ ମ୍ୟାଚ ଜିତିବାର ରେକର୍ଡ ରୋହିତ ଶର୍ମାଙ୍କ ନାଁରେ ରହିଛି। ୨୦୨୪ରେ ରୋହିତଙ୍କ ନେତୃତ୍ୱରେ ଭାରତ କ୍ରମାଗତ ୧୧ଟି ଟି-୨୦ ମ୍ୟାଚ ଜିତିଥିଲା। ଏହା ପୂର୍ବରୁ ୨୦୧୯ରୁ ୨୦୨୨ ମଧ୍ୟରେ ରୋହିତ ନିଜ ଅଧିନାୟକତ୍ୱରେ ଭାରତକୁ କ୍ରମାଗତ ୧୪ଟି ଟି-୨୦ ମ୍ୟାଚ୍‌ରେ ବିଜୟ ଦେଇଥିଲେ। ଅର୍ଥାତ୍‌ ଭାରତୀୟ ଟି-୨୦ ଅଧିନାୟକ ଭାବେ ରୋହିତ ଦୁଇଥର ୧୦ରୁ ଅଧିକ ମ୍ୟାଚ କ୍ରମାଗତ ଭାବେ ଜିତିବାର କାରନାମା କରିଛନ୍ତି।
ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ମଧ୍ୟ ଭାରତ ଟି-୨୦ରେ କ୍ରମାଗତ ୯ଟି ଲେଖାଏମ୍ୟାଚ ଜିତିଛି। ବିରାଟ ୨୦୧୯-୨୦ରେ ଏହି ରେକର୍ଡ କରିଥିବା ବେଳେ ସୂର୍ଯ୍ୟକୁମାର ଗତ ବର୍ଷ ଅଧିନାୟକ ଭାବେ କ୍ରମାଗତ ୯ଟି ଟି-୨୦ ମ୍ୟାଚ ଜିତିଥିଲେ।

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଶ୍ରେୟସ ଆୟର ମଧ୍ୟ ଏବେ ସେହି ତାଲିକାରେ ଅଛନ୍ତି। ତାଙ୍କ ନେତୃତ୍ୱରେ ଭାରତ କ୍ରମାଗତ ୯ଟି ଟି-୨୦ ମ୍ୟାଚ ଜିତିସାରିଛି। ଏବେ ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ୍‌ର ଟି-୨୦ ସିରିଜ ଶ୍ରେୟସଙ୍କ ପାଇଁ ଏକ ବଡ଼ ପରୀକ୍ଷା। ଯଦି ଭାରତ ତାଙ୍କ ନେତୃତ୍ୱରେ ସିରିଜ୍‌ର ସମସ୍ତ ୫ଟି ମ୍ୟାଚ ଜିତି କ୍ଲିନ ସୁଇପ କରେ, ତେବେ ଶ୍ରେୟସଙ୍କ ନାଁରେ କ୍ରମାଗତ ୧୪ଟି ଟି-୨୦ ବିଜୟ ହୋଇଯିବ।

ଏହା ସହିତ ସେ ରୋହିତ ଶର୍ମାଙ୍କ ୧୪ଟି କ୍ରମାଗତ ଟି-୨୦ ବିଜୟର ରେକର୍ଡର ସମକକ୍ଷ ହେବେ। ଏଭଳି ହେଲେ ଶ୍ରେୟସ ଭାରତର ଦ୍ୱିତୀୟ ଟି-୨୦ ଅଧିନାୟକ ହେବେ, ଯାହାଙ୍କ ନେତୃତ୍ୱରେ ଦଳ କ୍ରମାଗତ ୧୦ରୁ ଅଧିକ ମ୍ୟାଚ ଜିତିଥିବ।

ଏବେ ନଜର ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଉପରେ। ଶ୍ରେୟସ ଆୟର ରୋହିତଙ୍କ ରେକର୍ଡର ସମକକ୍ଷ ହୋଇପାରୁଛନ୍ତି କି ନାହିଁ, ତାହା ଦେଖିବା ରୋଚକ ହେବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।