ଯୁବ ନେତୃତ୍ବ ସମାବେଶରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଗରିବ ଝିଅଙ୍କୁ ଲକ୍ଷେ ଟଙ୍କା….
କଟକ,୧୯।୧୦(କାର୍ତ୍ତିକ ସାହୁ): ଗଣତନ୍ତ୍ରର ପ୍ରକୃତ ଶକ୍ତି ହିଁ ଯୁବବର୍ଗ। ଶାନ୍ତିପୂର୍ଣ୍ଣ ଭାବେ ଛାତ୍ରସଂସଦ ନିର୍ବାଚନ ସାରି ଆମ ଯୁବଶକ୍ତି ପୂର୍ବ ସରକାରଙ୍କୁ ମୁହଁତୋଡ଼ ଜବାବ ଦେଇଛି । ଏହି ବିଜୟ କେବଳ ଏକ ନିର୍ବାଚନୀ ବିଜୟ ନୁହେଁ, ବରଂ ଏହା ହେଉଛି ମୋଦିଜୀଙ୍କ ନେତୃତ୍ୱ ପ୍ରତି ଓଡ଼ିଶାର ଯୁବଶକ୍ତିର ବିଶ୍ୱାସ ଓ ଭରସାର ବିଜୟ।
ଆପଣମାନେ ପ୍ରମାଣ କରି ଦେଖାଇଛନ୍ତି ଯେ, ଓଡ଼ିଶାର ଯୁବପିଢ଼ି ଆଜି ନକାରାତ୍ମକ ରାଜନୀତି କିମ୍ବା ଭ୍ରାନ୍ତ ପ୍ରଚାରଠାରୁ ଦୂରେଇ ରହି ସେବା, ରାଷ୍ଟ୍ରଭକ୍ତି ଏବଂ ସକାରାତ୍ମକ ପରିବର୍ତ୍ତନର ମାର୍ଗକୁ ଆପଣାଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକସ୍ଥିତ ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ରବିବାର ଆୟୋଜିତ ‘ଯୁବ ନେତୃତ୍ୱ ସମାବେଶ’ରେ ଯୋଗଦେଇ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୟ ହାସଲ କରିଥିବା ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇ ଏହି ମନ୍ତବ୍ୟ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ପୂର୍ବ ସରକାର ୨୦୧୭ ମସିହାରୁ ଦୀର୍ଘ ପ୍ରାୟ ଏକଦଶନ୍ଧି ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖି କ୍ୟାମ୍ପସରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ଥଗିତ କରିଦେଇଥିଲେ। ଆମେ ନିର୍ବାଚନ କରାଇବା ପାଇଁ ସଂକଳ୍ପ ନେବା ବେଳେ ‘ଦେଶର ମାହୋଲ ଅନୁକୂଳ ନାହିଁ’ କିମ୍ବା ‘ଜେନ-ଜି ଅସନ୍ତୁଷ୍ଟ’ ଭଳି ଭ୍ରାନ୍ତ ତଥ୍ୟ ଦେଇ ନିର୍ବାଚନ ଟାଳିବାକୁ ଚାପ ପକାଯାଇଥିଲା। କିନ୍ତୁ ଆମେ ପ୍ରତିଶ୍ରୁତି ରକ୍ଷା କରି ରାଜ୍ୟରେ ଏହି ନିର୍ବାଚନକୁ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପାଦିତ କଲୁ। ଏହି ବିଜୟ କୌଣସି ଅହଙ୍କାରର ବିଷୟ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟର ପ୍ରାରମ୍ଭ। ଜଣେ ଛାତ୍ରନେତା କେବଳ ରାଜନୀତିରେ ସୀମିତ ରହିବା ନୁହେଁ; ସାଧାରଣ ଛାତ୍ରୀଛାତ୍ରଙ୍କ ଶିକ୍ଷା, ହଷ୍ଟେଲ ଓ କ୍ରୀଡ଼ା ଭଳି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବା ସହ ସରକାରୀ ଜନକଲ୍ୟାଣ ଯୋଜନାର ଲାଭ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସେତୁ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ସର୍ବୋପରି, କଲେଜ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରଖି କ୍ୟାମ୍ପସଗୁଡ଼ିକୁ ହିଂସାମୁକ୍ତ ଓ ନିଶାମୁକ୍ତ ରଖିବା ଅତ୍ୟନ୍ତ ଆବଶ୍ୟକ।
‘ଜ୍ଞାନ, ଶୀଳ, ଏକତା’ ଆଦର୍ଶରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସମସ୍ତ ଯୁବ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଭୁବନେଶ୍ବର, କଟକ ପରି ବଡ଼ ସହରକୁ ପାଠ ପଢ଼ିବା ପାଇଁ ଆସୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ହଷ୍ଟେଲ ଗୋଟିଏ ବଡ ସମସ୍ୟା ଭାବେ ଉଭା ହୋଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସହରରେ ହଷ୍ଟେଲ ନିର୍ମାଣ କରାଯିବ। ହଷ୍ଟେଲଗୁଡ଼ିକରେ ରିଡିଙ୍ଗ ରୁମ୍, ମେସ୍ ଓ କଲେଜକୁ ଯିବା ଆସିବା ପାଇଁ ‘ଆମ ବସ୍’ ସୁବିଧା କରାଯିବ। ସେହିପରି ଚଳିତ ବର୍ଷଠାରୁ ଜନ୍ମିତ ଗରିବ ଝିଅମାନେ ସ୍ନାତକ ଶେଷ କଲେ, ତାଙ୍କୁ ସରକାରଙ୍କ ପକ୍ଷରୁ କନ୍ୟା ସୁମଙ୍ଗଳ ଯୋଜନାରେ ୧ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇ ପଡିଥିଲା। ଏହାକୁ ସୁଧାରିବା ପାଇଁ ଅନେକ ସମୟ ଲାଗିବ। କିନ୍ତୁ, ଆମ ସରକାର କ୍ଷମତାକୁ ଆସିବାମାତ୍ରେ ଏହି କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମତ୍ସ୍ୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, କ୍ରୀଡ଼ା, ଯୁବ ବ୍ୟାପାର ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୁବ ଓ ଛାତ୍ର ନେତୃତ୍ୱଙ୍କୁ ରାଷ୍ଟ୍ର ଗଠନ ଦିଗରେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।