ଯେଉଁ ରେକର୍ଡ କରିପାରିନାହାନ୍ତି ବିରାଟ-ରୋହିତ, ତାହା କରି ଦେଖାଇବେ ସ୍ମୃତି! ହେଲାଣି ଚର୍ଚ୍ଚା

Oct 16, 2026 - 10:42
ଯେଉଁ ରେକର୍ଡ କରିପାରିନାହାନ୍ତି ବିରାଟ-ରୋହିତ, ତାହା କରି ଦେଖାଇବେ ସ୍ମୃତି! ହେଲାଣି ଚର୍ଚ୍ଚା

ମୁମ୍ବାଇ,୧୬।୧୦: ସ୍ମୃତି ମନ୍ଧାନା କ୍ରିକେଟରେ ଆଜିଠାରୁ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ପୂର୍ଣ୍ଣକାଳୀନ ଅଧିନାୟିକା ହେବା ପରେ ଆଜି ହେଉଛି ତାଙ୍କର ପ୍ରଥମ ମ୍ୟାଚ। ଭାରତ ବନାମ ଜିମ୍ବାୱେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ମନ୍ଧାନା ଏକ ବିଶ୍ୱ ରେକର୍ଡର ନିକଟତର ହୋଇଛନ୍ତି। ଏଭଳି ଏକ ମାଇଲଖୁଣ୍ଟ ଛୁଇଁବାକୁ ଯାଉଛନ୍ତି, ଯେଉଁଠାରେ ଏପର୍ଯ୍ୟନ୍ତ କୌଣସି ପୁରୁଷ କ୍ରିକେଟର୍‌ ମଧ୍ୟ ପହଞ୍ଚିପାରିନାହାନ୍ତି।

ହରମନପ୍ରୀତ କୌର ଅଧିନାୟିକା ପଦ ଛାଡ଼ିବା ପରେ ବିସିସିଆଇ ୩୦ ବର୍ଷୀୟ ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା ଦଳର ନୂଆ ଅଧିନାୟିକା ନିଯୁକ୍ତ କରିଛି। ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ମନ୍ଧାନା ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଛନ୍ତି। ଏହି ସମୟ ମଧ୍ୟରେ ସେ ଅନେକ ବଡ଼ ରେକର୍ଡ ଭାଙ୍ଗିବା ସହ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏବେ ସେ ଆଉ ଏକ ବିଶ୍ୱ ରେକର୍ଡ ହାସଲ କରିବାକୁ ଯାଉଛନ୍ତି।

ସ୍ମୃତି ମନ୍ଧାନା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୫୦୦୦ ରନ ପୂରଣ କରିବାର ନିକଟତର ହୋଇଛନ୍ତି। ଏହି ମାଇଲଖୁଣ୍ଟ ଛୁଇଁବା ମାତ୍ରେ ସେ ବିଶ୍ୱ ରେକର୍ଡର ଅଧିକାରିଣୀ ହେବେ। ଏପର୍ଯ୍ୟନ୍ତ କୌଣସି ପୁରୁଷ କିମ୍ବା ମହିଳା କ୍ରିକେଟର୍‌ ଟି-୨୦ ଅନ୍ତର୍ଜାତୀୟରେ ୫୦୦୦ ରନର ଏହି ମାଇଲଖୁଣ୍ଟ ଛୁଇଁପାରିନାହାନ୍ତି। ଏହି ରେକର୍ଡ ହାସଲ କଲେ ସେ ଉଭୟ ପୁରୁଷ ଓ ମହିଳା କ୍ରିକେଟରେ ଏହି ସଫଳତା ପାଇବାରେ ପ୍ରଥମ କ୍ରିକେଟର୍‌ ହେବେ। ବର୍ତ୍ତମାନ ସେ ମହିଳା ଓ ପୁରୁଷ କ୍ରିକେଟରେ ଟି-୨୦ ଅନ୍ତର୍ଜାତୀୟର ସର୍ବାଧିକ ରନ ସଂଗ୍ରହକାରୀ।

ସ୍ମୃତି ମନ୍ଧାନା ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୧୭୯ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଏଥିରୁ ୧୭୨ଟି ଇନିଂସରେ ବ୍ୟାଟିଂ କରି ସେ ୪୮୬୭ ରନ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୨ଟି ଶତକ ଓ ୩୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ୫୦୦୦ ରନ ପୂରଣ କରିବା ପାଇଁ ତାଙ୍କୁ ଆଉ ୧୩୩ ରନ ଆବଶ୍ୟକ। ଜିମ୍ବାୱେ ବିପକ୍ଷରେ ଆଜିଠାରୁ ଆରମ୍ଭ ହେଉଥିବା ଏହି ସିରିଜ୍ରେ ସେ ଏହି ରେକର୍ଡ ସ୍ଥାପନ କରିପାରନ୍ତି।

ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ପାକିସ୍ତାନର ବାବର ଆଜମ ସର୍ବାଧିକ ରନ ସଂଗ୍ରହକାରୀ। ସେ ୧୩୬ଟି ଇନିଂସରେ ୪୫୯୬ ରନ କରିଛନ୍ତି। ଏହି ତାଲିକାରେ ଇଂଲଣ୍ଡର ଜୋସ ବଟଲର୍‌ ୪୩୮୪ ରନ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତୃତୀୟ ଓ ଚତୁର୍ଥ ସ୍ଥାନରେ ଯଥାକ୍ରମେ ରୋହିତ ଶର୍ମା ୪୨୩୧ ରନ ଏବଂ ବିରାଟ କୋହଲି ୪୧୮୮ ରନ ସହ ରହିଛନ୍ତି। ରୋହିତ ଓ କୋହଲି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି।

ସ୍ମୃତି ମନ୍ଧାନା (ଅଧିନାୟିକା), ହରମନପ୍ରୀତ କୌର, ଦୀପ୍ତି ଶର୍ମା, ଅରୁନ୍ଧତୀ ରେଡ୍ଡୀ, ମିନ୍ନୁ ମଣି, ଶେଫାଳୀ ବର୍ମା, ରିଚା ଘୋଷ (ଉଇକେଟ୍‌ କିପର), ନନ୍ଦିନୀ ଶର୍ମା, ଅନୁଷ୍କା ଶର୍ମା, କ୍ରାନ୍ତି ଗୌଡ଼, ମୋନି କଲିତା, ଶ୍ରୀ ଚରଣୀ, ନିକି ପ୍ରସାଦ, କମଳିନୀ(ଉଇକେଟ୍‌ କିପର) ଓ ପ୍ରେମା ରାୱତ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।