ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା
ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ ଜିତିଥିବା ବେଳେ ବିରୋଧୀ କଂଗ୍ରେସ ୩,୬୧୩ଟିରେ ବିଜୟୀ ହୋଇଛି। ବିକାନେର ପୌର ନିଗମରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଗଡ଼ କୁହାଯାଉଥିବା ଝଲଓ୍ବାର ପୌର ପରିଷଦରେ କଂଗ୍ରେସ ବଡ଼ ବିଜୟ ହାସଲ କରିଛି।
ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ନିଜ ସହର ଭରତପୁର ପୌର ନିଗମରେ ସ୍ବାଧୀନ ପ୍ରାର୍ଥୀମାନେ ୨,୨୭୩ ଓ୍ବାର୍ଡରେ ଜିତି ଏକ ବଡ଼ ଶକ୍ତି ଭାବେ ଉଭା ହୋଇଛନ୍ତି।
ଅନ୍ୟପକ୍ଷେ ୧୦ ପୌର ନିଗମରୁ ଭାଜପା ୯ଟିରେ ବିଜୟୀ ହେବ ବୋଲି ଦାବି କରିଛି। ପୌର ନିର୍ବାଚନରେ ଦଳୀୟ ପ୍ରଦର୍ଶନକୁ ପ୍ରଶଂସା କରି ଭାଜପା ଏହାକୁ ଦଳର ସାମାଜିକ ଓ ଭୌଗୋଳିକ ପରିସର ବୃଦ୍ଧି ଏବଂ କୋଟାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମିଛ ପ୍ରଚାରକୁ ଲୋକଙ୍କ ପ୍ରତ୍ୟାଖ୍ୟାନ ବୋଲି କହିଛନ୍ତି।
ରାଜସ୍ଥାନର ୩୦୯ ପୌର ସଂସ୍ଥା ପାଇଁ ହୋଇଥିବା ନିର୍ବାଚନରେ ଭାଜପା ବିଜୟ ଦିଗରେ ଅଗ୍ରସର ହେଉଛି। ସହଯୋଗୀମାନଙ୍କ ସହ ମିଶି ଏହି ଦଳ ୧୦ଟି ପୌର ନିଗମ ମଧ୍ୟରୁ ୯ଟିକୁ ଅକ୍ତିଆର କରିବାକୁ ଯାଉଥିବା ଭାଜପା ଏମ୍ପି ସୁଧାଂଶୁ ତ୍ରିବେଦୀ ଗଣମାଧ୍ୟମକୁ କହିଛନ୍ତି। ବୁନ୍ଦି, ଦୌସା, ହନୁମାନଗଡ଼, କରୌଲି, ଢ଼ୋଲପୁର ଏବଂ ଭରତପୁରରେ ଭାଜପା ଆଗରେ ଥିବା ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।