ରାତିରେ ନିଦ…..ନିଜ ସ୍ୱାସ୍ଥ୍ୟକୁ ନେଇ ବଡ଼ କଥା କହିଲେ ଅମିତାଭ ବଚ୍ଚନ, ଚାରିଆଡେ ଚର୍ଚ୍ଚା!

Nov 03, 2026 - 16:23
ରାତିରେ ନିଦ…..ନିଜ ସ୍ୱାସ୍ଥ୍ୟକୁ ନେଇ ବଡ଼ କଥା କହିଲେ ଅମିତାଭ ବଚ୍ଚନ, ଚାରିଆଡେ ଚର୍ଚ୍ଚା!

ମୁମ୍ବାଇ,୩।୧୧: ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ ଜିଣିଥିବା ବିଗ୍‌ ବି ସୋସିଆଲ ମିଡିଆରେ ମଧ୍ୟ ଫ୍ୟାନ୍‌ଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି । ବିଶେଷକରି ନିଜ ବ୍ଲଗ୍‌ ଜରିଆରେ ସେ ଜୀବନର ଅନେକ ଅନୁଭୂତି ଓ ଦୈନନ୍ଦିନ ଜୀବନର କଥା ସେୟାର କରନ୍ତି। ନିକଟରେ ନିଜ ସ୍ୱାସ୍ଥ୍ୟ ଓ ରୁଟିନ୍‌କୁ ନେଇ କିଛି ରୋଚକ କଥା କହିଛନ୍ତି ଅମିତାଭ । ତାଙ୍କୁ ବେଳେବେଳେ ରାତିରେ ନିଦ ହେବାରେ ସମସ୍ୟା ହେଉଥିବା ବେଳେ ଜିମ୍‌ ରୁଟିନ୍‌କୁ ପୁଣି ଥରେ ନିୟମିତ କରିବାକୁ ସେ ଚେଷ୍ଟା କରୁଥିବା କଥା କହିଛନ୍ତି ।

ଅମିତାଭ ନିଜ ବ୍ଲଗ୍‌ରେ କହିଛନ୍ତି ଯେ, ତାଙ୍କୁ ଏବେ ବି ବ୍ଲଗ୍‌ ଲେଖିବା ସମୟରେ ଫଣ୍ଟ୍‌ ସାଇଜ୍‌ ବଦଳାଇବାରେ ସମସ୍ୟା ହେଉଛି । ଏଥିପାଇଁ ସେ ଗୁଗଲ୍‌ରେ ମଧ୍ୟ ସାହାଯ୍ୟ ଖୋଜିଥିଲେ । କିନ୍ତୁ ସେଠାରେ ଦିଆଯାଇଥିବା ନିର୍ଦ୍ଦେଶ ତାଙ୍କୁ ଠିକ୍‌ ଭାବେ ବୁଝାପଡ଼ିନଥିଲା। ଏହା ସହ ସେ କହିଛନ୍ତି ଯେ, ସେଦିନ ସକାଳେ ବହୁତ ଶୀଘ୍ର ଉଠିଯାଇଥିଲେ । କାରଣ ମନରେ ବାରମ୍ବାର ଆସୁଥିଲା ଯେ, ପୂର୍ବ ରାତିରେ ହିଁ ବ୍ଲଗ୍‌ ଲେଖିଦେବା ଉଚିତ ଥିଲା। ପରେ ପୁଣି ଥରେ ଶୋଇବାକୁ ଚେଷ୍ଟା କରିଥିଲେ।

ଅମିତାଭ କହିଛନ୍ତି ଯେ, ଇଣ୍ଟରନେଟ୍‌ରେ ଶୀଘ୍ର ନିଦ ଆଣିବା ପାଇଁ ଅନେକ ପ୍ରକାରର ବ୍ୟାୟାମ ଓ ଉପାୟ ବିଷୟରେ କୁହାଯାଇଛି। ସେ ଏଥିମଧ୍ୟରୁ ଅନେକ ଉପାୟ ଚେଷ୍ଟା କରିଥିଲେ, ହେଲେ ବିଶେଷ ଫାଇଦା ମିଳିନଥିଲା। ଶେଷରେ ସେ ଭାବିଥିଲେ ଯେ, ନିଦ ଆସିବାର ସବୁଠାରୁ ସ୍ୱାଭାବିକ ଉପାୟ ହେଉଛି ପ୍ରକୃତିର ନିୟମକୁ ଅନୁସରଣ କରିବା। କମ୍ବଳ ଭିତରେ ଭଲ ଭାବେ ଘୋଡ଼େଇ ହୋଇ ମା’ଙ୍କ ଗର୍ଭରେ ଶିଶୁ ଯେପରି ଗୋଟିଏ ଅବସ୍ଥାରେ ରହିଥାଏ, ସେହିପରି ଶୋଇବାକୁ ଚେଷ୍ଟା କରିଥିଲେ । ଏହାପରେ ତାଙ୍କୁ ଭଲ ନିଦ ହୋଇଥିଲା ଏବଂ ସେ ଘୁଙ୍ଗୁଡ଼ି ମାରି ଶୋଇପଡ଼ିଥିଲେ ବୋଲି କହିଛନ୍ତି । ନିଜ ଫିଟନେସ୍‌କୁ ନେଇ ମଧ୍ୟ ବ୍ଲଗ୍‌ରେ ମନର କଥା କହିଛନ୍ତି ବିଗ୍‌ ବି । ସେ କହିଛନ୍ତି, ଗତ କିଛି ଦିନ ହେବ ତାଙ୍କ ଜିମ୍‌ ରୁଟିନ୍‌ ଠିକ୍‌ ଭାବେ ଚାଲୁନାହିଁ । ଏବେ ପୁଣି ଥରେ ଏହାକୁ ନିୟମିତ କରିବାକୁ ଉଦ୍ୟମ କରୁଛନ୍ତି ।

ତାଙ୍କ କହିବା ଅନୁସାରେ, ଫିଟ୍‌ ରହିବା ଶୁଣିବାକୁ ଯେତେ ସହଜ ଲାଗେ, ବାସ୍ତବରେ ସେତେ ସହଜ ନୁହେଁ । ଲଗାତାର କାମ କରିବା ଦ୍ୱାରା ଶରୀର ଓ ମନ ଉଭୟ ଉପରେ ପ୍ରଭାବ ପଡ଼ିଥାଏ। ତେଣୁ ନିଜ ଯତ୍ନ ନେବା ମଧ୍ୟ ଜରୁରୀ। ଅମିତାଭଙ୍କ କହିବା ଅନୁସାରେ, ମନ ବ୍ୟାୟାମ କରିବାକୁ ରାଜି ହେଉଥିବା ବେଳେ ଶରୀର କିନ୍ତୁ ଟିକିଏ ଆରାମ କରିବାକୁ କହୁଛି। ତଥାପି ହାର ମାନିବାକୁ ଚାହୁଁନାହାନ୍ତି ଏହି ମହାନାୟକ। ବୟସ ବଢ଼ିଲେ ମଧ୍ୟ ନିଜକୁ ଫିଟ୍‌ ରଖିବା ପାଇଁ ପ୍ରୟାସ ଜାରି ରଖିବା ଜରୁରୀ ବୋଲି ସେ ମତ ରଖିଛନ୍ତି। ଏବେ ପୁଣି ଥରେ ଜିମ୍‌ ରୁଟିନ୍‌କୁ ଟ୍ରାକ୍‌କୁ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ୮୦ ବର୍ଷ ପାର୍‌ କରିଥିବା ଏହି ମେଗାଷ୍ଟାର ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।