ରାତି ଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା: ପୁଅ ଗୁରୁତର, ପଡ଼ୋଶୀ ଅଟ ଥିବା ସୂଚନା
କୋରୁକୋଣ୍ଡା, ୧/୧୧ (ଅଶୋକ କୁମାର ପରିଡ଼ା): ଘରେ ପଶି ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ସେମାନଙ୍କ ୧୨ ବର୍ଷୀୟ ପୁଅକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ମାଲକାନଗିରି ଜିଲା ଓରକେଲ ଥାନା ଅନ୍ତର୍ଗତ ଏମଭି-୩୬ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରବିବାର ଭୋର ପ୍ରାୟ ୩ଟା ସମୟରେ ଜଣେ ଦୁର୍ବୃତ୍ତ ଘରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ପୁଅ ଗୁରୁତର ଆହତ ହୋଇଛି।
ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଗ୍ରାମର ରମେନ୍ଦ୍ରନାଥ ସରକାରଙ୍କ ଘରର ଗ୍ରୀଲ୍ ଭାଙ୍ଗି ଜଣେ ଦୁର୍ବୃତ୍ତ ଭିତରକୁ ପ୍ରବେଶ କରିଥିଲା। ପରେ ସେ ରମେନ୍ଦ୍ରନାଥଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ସ୍ତ୍ରୀ ଓ ପୁଅ ଘଟଣାସ୍ଥଳକୁ ଆସିବାରୁ ଆକ୍ରମଣକାରୀ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ରମେନ୍ଦ୍ରନାଥ ଓ ତାଙ୍କ ସ୍ତ୍ରୀ ରେବ ମଣ୍ଡଳଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଆହତ ପୁଅକୁ ଉଦ୍ଧାର କରି ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପ୍ରାଥମିକ ସୂଚନାନୁଯାୟୀ, ଆକ୍ରମଣକାରୀ ମୃତ ରମେନ୍ଦ୍ରନାଥଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି। ଘରୋଇ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଖବର ପାଇ ଏସ୍ଡିପିଓ ପ୍ରଦୋଷ ପ୍ରଧାନ ଓ ଓରକେଲ ଥାନାଧିକାରୀ ରିଗାନ କିଣ୍ଡୋ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଓରକେଲ ପୋଲିସ ତାଙ୍କୁ ଅଟକ ରଖିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ, କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାସ୍ଥଳରେ ତଦନ୍ତ କରିବ ବୋଲି ମଧ୍ୟ ସୂଚନା ମିଳିଛି। ପୋଲିସର ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ହେବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।