ରାଷ୍ଟ୍ରପତି ପଦକ ପାଇବେ ଏହି ଫାଣ୍ଡି ଅଧିକାରୀ, କର୍ତ୍ତବ୍ୟନିଷ୍ଠା ପାଇଁ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ…

Sep 11, 2026 - 15:14
ରାଷ୍ଟ୍ରପତି ପଦକ ପାଇବେ ଏହି ଫାଣ୍ଡି ଅଧିକାରୀ, କର୍ତ୍ତବ୍ୟନିଷ୍ଠା ପାଇଁ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ…

ଦିଗପହଣ୍ଡି,୧୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌.ଆଇ ଅତିଥି ଚରଣ ନାୟକ ତାଙ୍କର ଉଲ୍ଲେଖନୀୟ ପୋଲିସ ସେବାର ସ୍ବୀକୃତି ସ୍ବରୂପ ଆସନ୍ତା ୨୦୨୭ ଗଣତନ୍ତ୍ର ଦିବସରେ ‘ପ୍ରଶଂସନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ’ ପାଇଁ ମନୋନୀତ ହୋଇଥିବା ଜଣାପଡ଼ିଛି। ଏନେଇ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟ ପକ୍ଷରୁ ପୂର୍ବରୁ ସୁପାରିସ କରାଯାଇଥିଲା। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଅନୁମୋଦନ ପରେ ଏ ସମ୍ପର୍କରେ ଚିଠି ନଂ.୧୫୮୩ ଅନୁଯାୟୀ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୭ ସେପ୍ଟେମ୍ବର ୨୮ ତାରିଖ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରଣୀତ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଷ୍ଟ୍ରପତି ପଦକ ପାଇଁ ମନୋନୀତ ଅଧିକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ଉକ୍ତ ନିୟମାନୁସାରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ରାଷ୍ଟ୍ରପତି ପଦକ ପାଇଁ ମନୋନୀତ ପୋଲିସ ଏସ୍‌.ଆଇ ଅତିଥି ଚରଣ ନାୟକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ଶାରୀରିକ ସୁସ୍ଥତା ପ୍ରମାଣପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଖବର ପ୍ରଚାରିତ ହେବାପରେ ଜିଲା ପୋଲିସ ଅଧିକାରୀ ଓ କର୍ମଚାରୀ ବୃନ୍ଦଙ୍କ ସମେତ ତାଙ୍କ ପରିବାର, ସାଙ୍ଗ ସାଥୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।